ନୂଆଦିଲ୍ଲୀ ୨୩/୦୭: ମାଲେସିଆର ନୂଆ ସମ୍ରାଟ ସୁଲତାନ ଇବ୍ରାହିମ ଇସ୍କନ୍ଦର । ଗତ ଶନିବାର ପରମ୍ପରା ଅନୁସାରେ ତୋପ ସଲାମି ସହିତ ଧୂମ୍ଧାମରେ ତାଙ୍କର ରାଜ୍ୟାଭିଷେକ ହୋଇଛି । ୫ ବର୍ଷର କାର୍ଯ୍ୟକାଳରେ ନିରପେକ୍ଷ ଶାସନର ସେ ସଂକଳ୍ପ ନେଇଛନ୍ତି । ଅରବପତି ସୁଲତାନ ଇବ୍ରାହିମ (୬୫) ଗତ ଜାନୁଆରୀ ୩୧ ତାରିଖରେ ଶପଥ ନେଇଥିଲେ । ଗତ ଶନିବାର ନ୍ୟାସ୍ନାଲ ପ୍ୟାଲେସନ୍ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମାଲେସିଆର ସପ୍ତଦଶ ସମ୍ରାଟ ରୂପେ ତାଙ୍କର ରାଜ୍ୟାଭିଷେକ କରାଯାଇଛି । ସିଂହାସନରେ ଆରୋହଣ ପୂର୍ବରୁ ସୁଲତାନ ଇବ୍ରାହିମ ଓ ରାଣୀ ରଜା ଜରିଥ ସୋଫିଆଙ୍କୁ ସଲାମି ଦିଆଯାଇଥିଲା । ଅନ୍ୟ ରାଜ ପରିବାରର ପ୍ରମୁଖ ଯଥା- ବ୍ରୁନେଇ ସୁଲତାନ ହସନଲ ବୋଲକିଆ ଓ ବାହାରିନର ସୁଲତାନ ହମଦ ଈସା ଅଲ ଖଲିଫା ଏ ଅବସରରେ ଉପସ୍ଥିତ ଥିଲେ ।
ରାଜ୍ୟାଭିଷେକ ବିଧି ପ୍ରାରମ୍ଭରେ ସୁଲତାନଙ୍କୁ କୁରାନର ଏକ କପି ଭେଟି ଦିଆଯାଇଥିଲା । ଶକ୍ତିର ପ୍ରତୀକ ସ୍ୱରୂପ ତାଙ୍କୁ ସୁନାର ଏକ ଖଞ୍ଜର ବା ଛୋଟ ଖଣ୍ଡା ପ୍ରଦାନ କରାଯାଇଥିଲା । ତାଙ୍କ ଶପଥ ଗ୍ରହଣ ପରେ ଉପସ୍ଥିତ ଅତିଥିମାନେ ୩ ଥର ‘ସମ୍ରାଟ ଅମର ରହେ’ ସ୍ଲୋଗାନ୍ ଦେଇଥିଲେ । ମାଲେସିଆ ସମ୍ରାଟଙ୍କ ଭୂମିକା ନାମମାତ୍ର ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଓ ସଂସଦର ପ୍ରଶାସନିକ ଶକ୍ତି ରହିଛି । ସମ୍ରାଟ ସରକାର ଓ ସଶସ୍ତ୍ର ବଳର ନାମମାତ୍ର ପ୍ରମୁଖ ଅଟନ୍ତି । ସମସ୍ତ ଆଇନ, କ୍ୟାବିନେଟ୍ ନିଯୁକ୍ତି ଓ ସାଧାରଣ ନିର୍ବାଚନ ଲାଗି ସଂସଦ ଅଧିବେଶନ ଭଙ୍ଗ ଲାଗି ତାଙ୍କର ଔପଚାରିକ ମଞ୍ଜୁରି ଆବଶ୍ୟକ ।
ସିଙ୍ଗାପୁର ସୀମାକୁ ଲାଗି ଦକ୍ଷିଣ ଜୋହୋର ରାଜ୍ୟର ସୁଲତାନ ଇବ୍ରାହିମ ଦେଶର ଅନ୍ୟତମ ସବୁଠୁ ଧନୀ ବ୍ୟକ୍ତି । ତାଙ୍କ ବ୍ୟବସାୟ ଟେଲିକମ୍ଠୁ ରିୟଲ ଇଷ୍ଟେଟ୍ ପର୍ଯ୍ୟନ୍ତ ପରିବ୍ୟାପ୍ତ । ବିଳାସପୂର୍ଣ୍ଣ କାର ଓ ମୋଟରବାଇକ ସଂଗ୍ରହ ଲାଗି ସେ ବେଶ ପରିଚିତ । ତାଙ୍କ ପାଖରେ ନିଜର ଏକ ଛୋଟ ସୈନ୍ୟବାହିନୀ ରହିଛି । ତାଙ୍କର ଆନୁମାନିକ ସମ୍ପତ୍ତି ୫.୭ ବିଲିଅନ ଡଲାର । ଭାରତୀୟ ମୁଦ୍ରାରେ ପ୍ରାୟ ୪୭ ଲକ୍ଷ କୋଟି । କୁହାଯାଏ, ତାଙ୍କ ସମ୍ପତ୍ତି ଏହାଠୁ ଆହୁରି ଅଧିକ । ତାଙ୍କର ଏକ ଭବ୍ୟ ମହଲ ରହିଛି । ସୁଲତାନଙ୍କ ପାଖରେ ୩୦୦ରୁ ଅଧିକ ବିଳାସପୂର୍ଣ୍ଣ କାର ରହିଛି । ତନ୍ମଧ୍ୟରେ ହିଟଲର ଉପହାରରେ ଦେଇଥିବା ଏକ କାର ବି ସାମିଲ । ବିପୁଳ ସୁନା, ବୋଇଂ ୭୩୭ ସମେତ ନିଜସ୍ୱ ଜେଟ୍ ମଧ୍ୟ ତାଙ୍କ ପାଖରେ ରହିଛି ।