ପୁରୀ, ୦୬/୧୧ : ପାଞ୍ଜିରେ ବାରମ୍ବାର ଭିନ୍ନ ଭିନ୍ନ ଦିନ ପର୍ବପର୍ବାଣୀ ଦର୍ଶାଯିବାକୁ ନେଇ ବିବାଦର ସମାଧାନ ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପ୍ରୟାସ ଆରମ୍ଭ କରିଛି । ସମସ୍ତ ପାଞ୍ଜି ପ୍ରକାଶନ କରୁଥିବା ଅନୁଷ୍ଠାନମାନେ ପଞ୍ଜିକା ପାଣ୍ଡୁଲିପି ମୁକ୍ତି ମଣ୍ଡପ ପଣ୍ଡିତସଭାଙ୍କ ନିକଟକୁ ୧୪ ତାରିଖ ସୁଦ୍ଧା ପଠାଇବା ସହ ଏହାର ଏକ କପି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପଠାଇବାକୁ ଅନୁରୋଧ କରାଯାଇଛି । ସୋମବାର ଏନେଇ ସମସ୍ତଙ୍କୁ ଚିଠି କରାଯାଇଛି ।
ଏଥିରେ ଦର୍ଶାଯାଇଛି, ୨୦୨୫-୨୬ ବର୍ଷର ପଞ୍ଜିକା ପାଣ୍ଡୁଲିପି ସଂଶୋଧନ କାର୍ଯ୍ୟ ମୁକ୍ତିମଣ୍ଡପ ପଣ୍ଡିତସଭାଙ୍କ ଦ୍ୱାରା ୨୦୨୪ ଅକ୍ଟୋବର ଶେଷ ସପ୍ତାରୁ ଆରମ୍ଭ ହୋଇଛି । ତେଣୁ ଆସନ୍ତା ବର୍ଷର ପଞ୍ଜିକା ପାଣ୍ଡୁଲିପି ସଂଶୋଧନ ନିମନ୍ତେ ଅକ୍ଟୋବର ୨୦ ତାରିଖ ସୁଦ୍ଧା ମୁକ୍ତିମଣ୍ଡପ ପଣ୍ଡିତସଭାଙ୍କ ନିକଟକୁ ପଠାଇବା ପାଇଁ ସେପ୍ଟେମ୍ବର ୨୭ ତାରିଖରେ ସମସ୍ତ ପାଞ୍ଜି ପ୍ରକାଶ ଅନୁଷ୍ଠାନଙ୍କୁ ଅନୁରୋଧ କରାଯାଇଥିଲା । ମାତ୍ର ଅଦ୍ୟାବଧି ଅଧିକାଂଶ ଅନୁଷ୍ଠାନ ପଞ୍ଜିକା ପାଣ୍ଡୁଲିପି ମୁକ୍ତିମଣ୍ଡପ ପଣ୍ଡିତ ସଭାଙ୍କ ନିକଟକୁ ସଂଶୋଧନ ନିମନ୍ତେ ପଠାଇନାହାଁନ୍ତି । ଯେହେତୁ ମୁକ୍ତି ମଣ୍ଡପ ପଣ୍ଡିତସଭା ପଞ୍ଜିକା ସଂଶୋଧନ ଆରମ୍ଭ କଲେଣି ତେଣୁ ପାଣ୍ଡୁଲିପିଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ନ ପହଞ୍ଚିଲେ ସଂଶୋଧନ ବିଳମ୍ବ ହେବ । ଏଥିସହ ଶ୍ରୀମନ୍ଦିରର ପର୍ବପର୍ବାଣୀ ତାଲିକା ପ୍ରସ୍ତୁତ କରିବାରେ ଅତ୍ୟଧିକ ବିଳମ୍ବ ଘଟିବ । ଏହାକୁ ହୃଦୟଙ୍ଗମ କରି ସମସ୍ତ ପାଞ୍ଜି ପ୍ରକାଶନ କରୁଥିବା ଅନୁଷ୍ଠାନମାନେ ପଞ୍ଜିକା ପାଣ୍ଡୁଲିପି ପଣ୍ଡିତ ସଭାଙ୍କ ନିକଟକୁ ଆସନ୍ତା ୧୪ ତାରିଖ ସୁଦ୍ଧା ପଠାଇବା ସହ ଏହାର ଏକ କପି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ପଠାଇବାକୁ ଅନୁରୋଧ କରାଯାଇଛି ।
ପ୍ରକାଶ ଥାଉକି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାୟ ୮ଟି ପଞ୍ଜିକା ଅନୁଷ୍ଠାନକୁ ଏହି ଚିଠି କରାଯାଇଛି । ଗୋଟିଏ ପାଞ୍ଜି ପକ୍ଷରୁ ୧୨ ମାସର ପାଣ୍ଡୁଲିପି ଦିଆଯାଇଥିବା ବେଳେ ଅନ୍ୟଗୋଟିଏ ପଞ୍ଜିକା ୬ ମାସର ପାଣ୍ଡୁଲିପି ଦେଇଛି । ତେଣୁ ସମସ୍ତ ପଞ୍ଜିକା ପ୍ରକାଶନ ସଂସ୍ଥା ସେମାନଙ୍କ ପୂର୍ଣ୍ଣ ପାଣ୍ଡୁଲିପି ଦେବାକୁ ଚିଠିରେ ଅନୁରୋଧ କରାଯାଇଛି।