ପୁରୀ, ୦୬/୧୧ : ଶିଉଳି ଜମାଟ ବାନ୍ଧିବାରୁ କଳା ଦିଶିଲାଣି ବଡ଼ଦେଉଳ। ପଥର ଭେଦି ପାଣି ଭିତରକୁ ପଶୁଛି। ଲୁଣି ହାୱା ମାଡ଼ରେ ପଥର ଦୋହଲି ଲାଣି। କିଛିମାସ ତଳେ ବଡ଼ଦେଉଳରୁ ପଥର ମଧ୍ୟ ଖସି ପଡ଼ିଥିଲା । ସେପଟେ ଶ୍ରୀମନ୍ଦିର ଭିତରେ ଥିବା ୧୩୪ ମନ୍ଦିର ସମେତ ମେଘନାଦ ପାଚେରି ମଧ୍ୟ କଳା ଦିଶିଲାଣି । ପ୍ରାଚୀନ ମନ୍ଦିର ସୁରକ୍ଷା ପ୍ରତି ବିପଦ ଦେଖାଦେଲାଣି । ହେଲେ ବଡ଼ଦେଉଳ, ମେଘନାଦ ପାଚେରି ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରକୁ ସୁରକ୍ଷା ଦେବା ନିମନ୍ତେ କେମିକାଲ ପ୍ରଲେପ ଠିକ୍ ଭାବେ ଦିଆଯାଉନଥିବା ବରିଷ୍ଠ ସେବାୟତମାନେ ଅଭିଯୋଗ କରିଛନ୍ତି ।
ବଡ଼ଦେଉଳକୁ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ କେମିକାଲ ପ୍ରଲେପ ଦିଆଯାଇନି । ଯେପରି ଘରର ଭିତର ଓ ବାହାର ପାଶ୍ୱର୍କୁ ଖରାବର୍ଷାରୁ ସୁରକ୍ଷା ଦେବା ନିମନ୍ତେ ୱେଦର କୋଟିଂ ବା ଚୂନ ଦିଆଯାଇଥାଏ ଠିକ୍ ସେହିପରି ପୁରାତନ କୀର୍ତ୍ତିରାଜୀକୁ କେମିକାଲ ୱାସ୍ କରାଯାଇଥାଏ । ବଡ଼ଦେଉଳକୁ ଖରାବର୍ଷାରୁ ରକ୍ଷା କରିବା ଲାଗି ୨୦୧୩-୧୪ରେ କେମିକାଲ୍ର ଏକ ପ୍ରଲେପ ଦିଆଯାଇଥିଲା । ଏହି ପ୍ରଲେପ ଦିଆଯିବା ଫଳରେ ପାଣି ପଡ଼ିବା ମାତ୍ରେ ତଳକୁ ଖସାଇ ଦେଇଥାଏ । ପଥରର ଯୋଡେଇରେ ପାଣି ପଶି ନ ଥାଏ । ଗତ ୧୦ ବର୍ଷରୁ ଅଧିକ ସମୟ ହେବ ବଡ଼ଦେଉଳକୁ ଏଏସ୍ଆଇ କେମିକାଲ ୱାସ୍ କରିନାହିଁ । ସେହିପରି ଶ୍ରୀମନ୍ଦିର ଭିତରେ ଥିବା ୧୩୪ଟି ମନ୍ଦିର ଓ ମେଘନାଦ ପାଚେରିକୁ ମଧ୍ୟ ପ୍ରତିବର୍ଷ କେମିକାଲ ୱାସ୍ କରାଯାଉନାହିଁ । ଫଳରେ ବିଭିନ୍ନ ପାର୍ଶ୍ୱ ମନ୍ଦିରଗୁଡ଼ିକ ମଧ୍ୟ ଶିଉଳି ଲାଗିବା ଯୋଗୁ କଳା ଦିଶିଲାଣି । ବର୍ଷା ଦିନେ ପଥର ଯୋଡେଇ ଭେଦି ପାଣି ମନ୍ଦିର ଭିତରକୁ ପଶୁଛି । ଜଏଣ୍ଟଗୁଡ଼ିକରୁ ବାଲି ଖସି ପଡ଼ୁଛି । ପୁରୁଣ ପିଟା ଲୁହା ସପୋଟିଂଗୁଡ଼ିକରେ କଳଙ୍କି ଲାଗି ଯାଉଛି । ଜଏଣ୍ଟଗୁଡ଼ିକ ଅଠା ଦେଇ ମରାମତି କରିବାରେ ମଧ୍ୟ ଏଏସ୍ଆଇ ଦୃଷ୍ଟି ଦେଉନାହିଁ । ଏଏସ୍ଆଇର ୪ଟି ବ୍ରାଞ୍ଚ ସଂରକ୍ଷଣ, ମରାମତି, କେମିକାଲ ବା ସାଇନ୍ସ ଓ ଗାର୍ଡେନ ଶାଖା ରହିଛି । ପୁରୀରେ ସଂରକ୍ଷଣ ଓ ମରାମତି ଶାଖା ରହିଥିବା ବେଳେ କେମିକାଲ ଓ ଗାର୍ଡେନ ଶାଖାକୁ ପର୍ଯ୍ୟାୟ କ୍ରମେ ବନ୍ଦ କରି ଦିଆଯାଇଛି । ଏବେ ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥ ମନ୍ଦିର ଭିତରେ ଉଦ୍ୟାନ ରକ୍ଷଣାବେକ୍ଷଣ କାର୍ଯ୍ୟ କରୁଛି ।
କୋଣାର୍କ ସମେତ ଅନ୍ୟ ଐତିହ୍ୟସ୍ଥଳରେ ଏଏସ୍ଆଇ କରୁଥିବା ଉକ୍ତ କାର୍ଯ୍ୟକୁ ଏଠାରେ ଶ୍ରୀମନ୍ଦିର ପ୍ରଶାସନ ହାତେଇ ନେଇଛି । ବରିଷ୍ଠ ସେବାୟତଙ୍କ କହିବା କଥା କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ରହିଛି । ତେଣୁ ଯେପରି ଏହି ପ୍ରଚୀନ ମନ୍ଦିର ଐତିହ୍ୟାସିକ ସଂରକ୍ଷଣ ନଷ୍ଟ ନହେବ, ଭକ୍ତଙ୍କ ଉପରେ ବିପଦ ନ ପଡ଼ିବ ଓ ଶ୍ରୀମନ୍ଦିର ସଦାସର୍ବଦା ସୁନ୍ଦର ଦିଶିବ ସେଥିପ୍ରତି ଏଏସ୍ଆଇର ସମସ୍ତ ଶାଖା କାର୍ଯ୍ୟ କରିବା କଥା । ଏଏସ୍ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ସମନ୍ୱୟର ଅଭାବ ଯୋଗୁ ବଡ଼ଦେଉଳ ପ୍ରତି ବିପଦ ବଢ଼ିବଢ଼ି ଚାଲିଛି । ଶ୍ରୀମନ୍ଦିର ପୂର୍ବତନ ସୁପରଭାଇଜର ତଥା ଜଣେ ବରିଷ୍ଠ ସେବାୟତ କହିଛନ୍ତି, ବଡ଼ଦେଉଳକୁ ଅତୀତରେ କେମିକାଲ ପ୍ରଲେପ ଦେବାରେ ଅନିୟମିତତା ହୋଇଥିଲା । ତେଣୁ ବଡ଼ଦେଉଳରେ ଶିଉଳି ଲାଗି କଳା ଦିଶିଲାଣି । ଦୁଇଟି ବ୍ରାଞ୍ଚକୁ ଏଏସ୍ଆଇ ପୁରୀରେ ବନ୍ଦ କରିଦେବା ପରିତାପର ବିଷୟ । ଅଢ଼େଇ ବର୍ଷ ତଳେ କେମିକାଲ ଶାଖାକୁ ଏଠାରେ ବନ୍ଦ କରିଦିଆଯାଇଛି । ସେହିପରି ୨୫ ବର୍ଷ ତଳେ ଗାର୍ଡେନ ଶାଖାକୁ ବନ୍ଦ କରି ଦିଆଯାଇଥିଲା । ଏହା ପରିତାପର ବିଷୟ ।
ଶ୍ରୀମନ୍ଦିର ପ୍ରଶାସନର ମଧ୍ୟ ଏକ ବୈଷୟିକ ଦଳ ରହିଛି । ସେମାନେ ମଧ୍ୟ ଆବଶ୍ୟକ ଅନୁଧ୍ୟାନ କରୁନାହାନ୍ତି । ଏଏସ୍ଆଇର ସମସ୍ତ ଶାଖା ପୁରୀରେ ଖୋଲାଯାଇ ନିରୀକ୍ଷଣ, ମରାମତି ଓ ସଂରକ୍ଷଣ କାମ ଉତ୍ତମ ଭାବେ କରାଯାଉ । ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି, ଗତବର୍ଷ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ମେଘନାଦ ପାଚେରି ପୂର୍ବ, ପଶ୍ଚିମ, ଉତ୍ତର ପାର୍ଶ୍ୱ କେମିକାଲ ପେଣ୍ଟିଂ କରାଯାଇଥିଲା । ଏହି ସମୟରେ ମେଘନାଦ ପାଚେରି ଶିଉଳି ଛଡ଼ା ଯାଇଥିଲା । ତେବେ ବଡ଼ଦେଉଳର କେମିକାଲ ପେଣ୍ଟିଂ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ହେବ ହୋଇନି । ଏଥିନିମନ୍ତେ ଭାରାବାନ୍ଧି କାମ କରିବା ଏକ ବଡ଼ ଚ୍ୟାଲେଞ୍ଜ । ସଦାସର୍ବଦା ଶ୍ରଦ୍ଧାଳୁଙ୍କ ବଡ଼ ଗହଳି ଲାଗି ରହୁଥିବାରୁ ଅନ୍ୟମନ୍ଦିରଗୁଡ଼ିକ ବାହାର ଓ ଭିତର ପାଶ୍ୱର୍ କେମିକାଲ ପେଣ୍ଟିଂ ସହ ମରାମତି କରିବା ଆହ୍ୱାନପୂର୍ଣ୍ଣ । ତଥାପି ଏଏସ୍ଆଇ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବାକୁ ଚେଷ୍ଟା କରୁଛି । ତେବେ ଏଏସ୍ଆଇ କେମିକାଲ ଶାଖାର ସୁପରିଟେଣ୍ଡେଣ୍ଟ କିମ୍ବା ବିଭାଗୀୟ ଅନ୍ୟ ଅଧିକାରୀଙ୍କ ମତାମତ ଏନେଇ ମିଳିପାରିନି ।