ନୂଆଦିଲ୍ଲୀ, ୨୭/୧୨ : ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳି ଶେଷ କରିଥିଲେ ମନମୋହନ ସିଂ । ହେଲେ ତାଙ୍କ ପ୍ରଧାନମନ୍ତ୍ରୀତ୍ୱକୁ ଦୁର୍ବଳ ବୋଲି କହି ବିରୋଧୀ ବାରମ୍ବାର ଟାର୍ଗେଟ କରିଥିଲେ । ତାଙ୍କୁ ରିମୋଟ ଚାଳିତ ଏପରିକି ଆକ୍ସିଡେଣ୍ଟାଲ ପ୍ରଧାନମନ୍ତ୍ରୀ ଭାବେ ମଧ୍ୟ ଅଭିହିତ କରିଥିଲେ । ସୋନିଆ ଗାନ୍ଧୀ ତାଙ୍କ ମାଧ୍ୟମରେ ପ୍ରକୃତ କ୍ଷମତା ଉପଭୋଗ କରୁଥିବା ବିରୋଧୀ ବାରମ୍ବାର କହିଆସିଥିଲେ । ନିଜ କାମ, ପଦ ଏବଂ ଦାୟିତ୍ୱକୁ ନେଇ ସେ କେବେ ବି ଲଜ୍ଜା ଅନୁଭବ କରି ନ ଥିବା କହିଥିଲେ ମନମୋହନ । ଏପରିକି ସାମ୍ବାଦିକ ସମ୍ମିଳନୀ କରିବାରେ ଅଦ୍ୟାବଧି ସେ ହେଉଛନ୍ତି ଭାରତର ଶେଷ ପ୍ରଧାନମନ୍ତ୍ରୀ ।
୨୦୧୪ ଜାନୁଆରୀ ୩ରେ ଶେଷ ସାମ୍ବାଦିକ ସମ୍ମିଳନୀ କଲାବେଳେ ମନମୋହନ କହିଥିଲେ, ‘ମୋତେ ଅତ୍ୟନ୍ତ ସଚ୍ଚୋଟତାର ସହ ବିଶ୍ୱାସ ଅଛି ଯେ ଗଣମାଧ୍ୟମ ତୁଳନାରେ ଇତିହାସ ମୋ ପ୍ରତି ଅଧିକ ଉଦାର ରହିବ’ । ସେ ୧୦୦ରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କ ୬୨ ପ୍ରଶ୍ନର ଉତ୍ତର ଦେଇଥିଲେ । ଦୀର୍ଘ ୩୩ ବର୍ଷ ଧରି ସାଂସଦ ରହିବା ପରେ ୯୧ ବର୍ଷ ବୟସରେ ସେ ସକ୍ରିୟ ରାଜନୀତିରୁ ଅବସର ନେଇଥିଲେ । ୧୯୯୯ରେ ସେ ସାଉଥ ଦିଲ୍ଲୀରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ହେଁ ପରାଜିତ ହୋଇଥିଲେ । ଏହା ପରେ ସେ ଆଉ କେବେ ଲୋକସଭା ନିର୍ବାଚନକୁ ଓହ୍ଲାଇ ନ ଥିଲେ । ଆରମ୍ଭ ଅତି ସରଳ ଥିଲେ ବି ଗଣତନ୍ତ୍ର ବଳରେ ସେ ଶାସନର ଶୀର୍ଷରେ ପହଞ୍ଚିପାରିଥିଲେ । ହେଲେ ଏହା ପରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ତାଙ୍କ ଆଗରେ ଛିଡ଼ା ହୋଇଥିବା ଦେଶର ଭୁସୁଡ଼ିପଡ଼ୁଥିବା ଦେଶର ଅର୍ଥନୀତି । ହେଲେ ଆହ୍ୱାନକୁ ସ୍ୱାଗତ ଜଣାଇ ସେ ତାହାର ପ୍ରତିକାର ବାହାର କରିଥିଲେ ଏବଂ ଦେଶର ଅର୍ଥନୀତିର ବିକାଶକୁ ଏଭଳି ଗତି ଦେଇଥିଲେ ଯାହା ଦେଶ କେବେ ଦେଖି ନ ଥିଲା ।
କେବଳ ଅର୍ଥନୀତି ନୁହେଁ ବିଦେଶ ନୀତିରେ ମଧ୍ୟ ବଡ଼ ସୁଧାର ଆଣିଥିଲେ ଏହି ଅକ୍ସଫୋର୍ଡ ବିଦ୍ୱାନ । ରାଜନୈତିକ ଦଳଗୁଡ଼ିକର କଡ଼ା ବିରୋଧ ଭିତରେ ମନମୋହନ ଆମେରିକା ସହ ବେସାମରିକ ପରମାଣୁ ଚୁକ୍ତି ପାଇଁ ଆଲୋଚନା ଆଗକୁ ବଢ଼ାଇଥିଲେ । ପରେ ତାଙ୍କୁ ଆସ୍ଥା ଭୋଟର ସାମ୍ନା କରିବାକୁ ପଡ଼ିଥିଲା । ତାଙ୍କ ସପକ୍ଷରେ ୨୭୫ ଏବଂ ବିରୋଧରେ ୨୫୬ ଭୋଟ ପଡ଼ିବାରୁ ସେ ଆସ୍ଥାରେ ଜିତି ଯାଇଥିଲେ । ଏତେ ଗତିରୋଧ ସତ୍ତ୍ଵେ ଶେଷରେ ମନମୋହନ ଏହି ଚୁକ୍ତି କାର୍ଯ୍ୟକାରୀ କରାଇଥିଲେ । ବିରୋଧୀଙ୍କ ନଜରରେ ‘ମୌନମୋହନ’ ପାଲଟିଥିବା ଏହି ବ୍ୟକ୍ତିଙ୍କ କାମର ସ୍ୱର କିନ୍ତୁ ବେଶ୍ ଉଚ୍ଚ ଥିଲା । ଯାହାଙ୍କ ସମୟ ଆସେ ବିଶ୍ୱର କୌଣସି ଶକ୍ତି ତାଙ୍କ ବିଚାରକୁ ବନ୍ଦ କରିପାରିବ ନାହିଁ ବୋଲି ୧୯୯୧ରେ ଅର୍ଥମନ୍ତ୍ରୀ ଭାବେ ବଜେଟ ଭାଷଣ ଶେଷ କରିବା ବେଳେ କହିଥିଲେ ମନମୋହନ । ୧୯୯୧ରେ ଭାରତ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତିକରୁଥିବାବେଳେ ମାତ୍ର ୨ ସପ୍ତାହ ପର୍ଯ୍ୟନ୍ତ ଆମଦାନୀ ଲାଗି ଅର୍ଥ ରହିଥିଲା । ଏଭଳି ଆର୍ଥିକ ସ୍ଥିତିରୁ ଦେଶକୁ ସେ କେବଳ ଉଦ୍ଧାର କରି ନ ଥିଲେ ବରଂ ଦେଶର ଅର୍ଥନୀତିରେ ଡେଣା ମଧ୍ୟ ଲଗାଇଥିଲେ ।