ହାଇଦ୍ରାବାଦ,୦୭/୦୭: ଚଳନ୍ତା ବସ୍ରେ ସନ୍ତାନ ପ୍ରସବ କଲେ ମହିଳା। ଆଉ ବସ୍ରେ ଥିବା କର୍ମଚାରୀ ତାଙ୍କୁ କରିଥିଲେ ସବୁ ପ୍ରକାର ସହାୟତା। ଏଭଳି ଏକ ଘଟଣା ତେଲେଙ୍ଗାନାରେ ଦେଖିବାକୁ ମିଳିଛି। ଆଉ ସବୁଠାରୁ ବଡ କଥା ହେଲା ତେଲେଙ୍ଗାଲା ରାଜ୍ୟ ପରିବହନ ନିଗମ (ଟିଜିଏସଆରଟିସି) ପକ୍ଷରୁ ଉକ୍ତ ଶିଶୁକୁ ଆଜୀବନ ମାଗଣା ପରିବହନ ସେବା ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି।
ସୂଚନା ଅନୂଯାୟୀ, ଶୁକ୍ରବାରରେ ଶ୍ୱେତା ରତ୍ନମ ନାମକ ଗର୍ଭବର୍ତୀ ମହିଳା ମୁଶିରାବାଦରୁ ୧ଜେଡ୍ ବସ୍ରେ ଚଢିଥିଲେ। ବସଟି ଆରାମଘର ଛକ ପାଖରେ ପହଞ୍ଚିବା ସମୟରେ ସେ ପ୍ରସବ ୟନ୍ତ୍ରଣା ଅନୁଭବ କରିଥିଲେ। ବସ କଣ୍ଡକ୍ଟର ଆର.ସରୋଜା ତାଙ୍କୁ ଏପରି ଅବସ୍ଥାରେ ଦେଖି ସାହାଯ୍ୟ କରିଥିଲେ ଏବଂ ଡ୍ରାଇଭର ଏମଏମ ଅଲ୍ଲୀଙ୍କୁ ବସ ଅଟକାଇବାକୁ କହିଲେ। ପରେ ସେ ୮ଜଣ ମହିଳା ଯାତ୍ରୀଙ୍କ ସହାୟତାରେ ବାହାଦୁରପୁର ନିକଟରେ ଶିଶୁଟିକୁ ଜନ୍ମ କରିଲେ। ଶିଶୁଟି ଜନ୍ମ ହେବା ପରେ ଉଭୟ ମା ଏବଂ ଶିଶୁକୁ ପେଟଲାବୁର୍ଜ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।
ଟିଜିଏସଆରଟିସିର ଉପାଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଭିସି ସଜ୍ଜନାର ଏମଏମ ଅଲ୍ଲୀ ଏବଂ ସରୋଜାଙ୍କର ସଚେତନତା ପାଇଁ ପ୍ରସଂଶା କରିଲେ। ଉଭୟଙ୍କ କାରଣରୁ ମା ଏବଂ ଶିଶୁ ସୁରକ୍ଷିତ ଅଛନ୍ତି ବୋଲି ସେ କହିଲେ। ଶଶୁଟିର ଜନ୍ମ ପ୍ରମାଣ ପତ୍ର ଯଥାଶୀଘ୍ର କରାଇଦିଆଯିବ ବୋଲି ଗ୍ରେଟର ହାଇଦ୍ରାବାଦ ମୁନିସିପାଲ କର୍ପୋରେସନ ତରଫରୁ କୁହାଯାଇଛି।