ଭୁବନେଶ୍ୱର, ୨୫/୦୪: ସହରାଞ୍ଚଳର ବହୁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଅନୁପାତରେ ଅଧିକ ଶିକ୍ଷକ ଅଛନ୍ତି । ଆଉ ଗ୍ରାମାଞ୍ଚଳର ଅନେକ ସ୍କୁଲରେ ଶିକ୍ଷକ ଆନୁପାତିକ ହାର ଯଥେଷ୍ଟ କମ୍ ରହିଛି । ଏପରିକି ବହୁ ସ୍କୁଲ ଜଣେ ଶିକ୍ଷକରେ ଚାଲୁଛି । ଶିକ୍ଷକ ଦେବାକୁ ସରକାରଙ୍କ ପାଖରେ ଗଦା ଗଦା ଆବେଦନ ଓ ଅଭିଯୋଗ । ଯଥାଶୀଘ୍ର ଜିଲ୍ଲାରେ ଶିକ୍ଷକଙ୍କ ନିଯୁକ୍ତି ତାଲିକା ତଦାରଖ କରାଯିବ । ଯେଉଁ ସ୍କୁଲରେ ଅଧିକ ଶିକ୍ଷକ ଅଛନ୍ତି ସେଠାରୁ ଶିକ୍ଷକ ନଥିବା ସ୍କୁଲକୁ ଅବସ୍ଥାପିତ କରାଯିବ । ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଏମିତି ଚିଠି କରିଛି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ।
ଜରୁରୀକାଳୀନ ଚିଠି ଜାରି କରି ନିର୍ଦ୍ଦେଶାଳୟ ସ୍ପଷ୍ଟ ଭାଷାରେ ଉଲ୍ଲେଖ କରିଛି, ସହରାଞ୍ଚଳରେ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ଗ୍ରାମାଞ୍ଚଳରେ ଆବଶ୍ୟକତାଠୁ କମ୍ ଅଛନ୍ତି । ଏପରିକି ଜଣେ ଶିକ୍ଷକରେ ସ୍କୁଲ ଚାଲିଛି । ଛାତ୍ର-ଶିକ୍ଷକ ଅନୁପାତ ଅନୁଯାୟୀ ସମସ୍ତ ସ୍କୁଲରେ ଶିକ୍ଷକ ନିଯୁକ୍ତି କରାଯିବ । ଯଥାଶୀଘ୍ର ସହରାଞ୍ଚଳ, ବ୍ଲକ ହେଡ୍ କ୍ୱାର୍ଟରରୁ ଗ୍ରାମାଞ୍ଚଳକୁ ଶିକ୍ଷକ ବଦଳି କରାଯିବ । ଆସନ୍ତା ୩୦ ତାରିଖ ମଧ୍ୟରେ ଶିକ୍ଷକ ନଥିବା ସ୍କୁଲ କିମ୍ବା ଜଣେ ଶିକ୍ଷକରେ ଚାଲିଥିବା ସ୍କୁଲକୁ ଶିକ୍ଷକ ବଦଳିକୁ ଗୁରୁତ୍ୱର ସହ ନେବାକୁ କୁହାଯାଇଛି । ଏତିକି ନୁହେଁ ପାଠପଢ଼ାରେ ଯେପରି କୌଣସି ଅସୁବିଧା ନହୁଏ ସେଥି ପ୍ରତି ଧ୍ୟାନ ଦେବାକୁ ମଧ୍ୟ କୁହାଯାଇଛି । ଏନେଇ ନିର୍ଦ୍ଦେଶାଳୟ ପାଖରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ୟୁନିଫାଏଡ୍ ଡିଷ୍ଟ୍ରିକ୍ଟ ଇନ୍ଫର୍ମମେସନ୍ ସିଷ୍ଟମ ଫର ଏଜୁକେସନ (ୟୁଡାଇଏସ୍) ଓ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତି ପ୍ରାଥମିକ ସ୍କୁଲରେ ପ୍ରତି ୨୪ ଜଣରେ ଜଣେ ଶିକ୍ଷକ ରହିବା ଆବଶ୍ୟକ । ସେହିପରି ହାଇସ୍କୁଲ ସ୍ତରରେ ପ୍ରତି ୨୭ ଜଣରେ ଜଣେ ଶିକ୍ଷକ ଅନୁପାତ ହେବା ଆବଶ୍ୟକ । ଏପରିକି ଗୋଟେ ସ୍କୁଲରେ ସର୍ବନିମ୍ନ ୨ଜଣ ଶିକ୍ଷକ ରହିବା ଆବଶ୍ୟକ । ମାତ୍ର ରାଜ୍ୟରେ ୪୮ ହଜାରରୁ ଅଧିକ ସରକାରୀ ସ୍କୁଲ ରହିଛି ।
ଏଠାରେ ପ୍ରାୟ ୧୫ ଲକ୍ଷରୁ ଅଧିକ ପିଲା ପାଠ ପଢ଼ୁଛନ୍ତି । ମାତ୍ର ପିଲାଙ୍କ ଆବଶ୍ୟକତା ଅନୁଯାୟୀ ଶିକ୍ଷକ ନାହାନ୍ତି ।ଏହା ମଧ୍ୟ ବହୁ ସମୟରେ ଅଭିଯୋଗ ହୋଇଛି, ଅଧିକାଂଶ ଶିକ୍ଷକ ବଦଳି କରି ନିଜ ଅଞ୍ଚଳ ଓ ଜିଲ୍ଲା ଓ ବ୍ଲକ, ସହରକୁ ଆସିବାକୁ ଚାହୁଁଛନ୍ତି । ବିଭିନ୍ନ କାରଣ ଦର୍ଶାଇ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରୁ ସହରାଞ୍ଚଳକୁ ବଦଳି ହୋଇଯାଉଛନ୍ତି । ଯାହା ଫଳରେ ଅନେକ ସ୍କୁଲରେ ଆବଶ୍ୟକତାଠୁ ଅଧିକ ଶିକ୍ଷକ ରହୁଥିବା ବେଳେ ଆଉ ଅନେକ ସ୍କୁଲରେ ଶିକ୍ଷକ ମରୁଡ଼ି ଦେଖିବାକୁ ମିଳୁଛି । ଯାହା ଫଳରେ ପାଠପଢ଼ାରେ ବାଧାପ୍ରାପ୍ତ ହେଉଛି । ଏନେଇ ବିଭିନ୍ନ ସମୟରେ ଅଭିଯୋଗ ପତ୍ର ବିଭିନ୍ନ ମାଧ୍ୟମରେ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏପରି କଡ଼ା ନିଷ୍ପତ୍ତି ନିଆଯାଇଛି।