କେନ୍ଦୁଝର ସଦର, ୧୧/୦୮: ପୁଅ ଝିଅ ଦୁଇ ଅକ୍ଷର ପାଠ ପଡିଲେ ସମାଜର ମୁଖ୍ୟ ଶ୍ରୋତରେ ସାମିଲ ହେବେ । ରୋଜଗାର କରି ନିଜ ଗୋଡ଼ରେ ଛିଡା ହୋଇପାରିବେ । ଏପରି କେତେ କଣ ଆଶା ରଖି ଅଭିଭାବକ ମାନେ ଛୁଆକୁ ସରକାରୀ ବିଦ୍ୟାଳୟରେ ନାମ ଲେଖାଇ ପାଠ ପଢ଼ିବାକୁ ପଠାଉଛନ୍ତି । ସରକାର ମଧ୍ୟ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ଅଭାବରୁ ଅଭିଭାବକ ମହଲରେ ତୀବ୍ର ସମାଲୋଚନା ଦେଖିବାକୁ ମିଳିଛି । ଏହି କାରଣରୁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ସରକାରୀ ବିଦ୍ୟାଳୟ ଗୁଡିକରେ ପାଠ ପଢାଇବାକୁ ଇଚ୍ଛା ପ୍ରକଟ କରୁନଥିବା ଦେଖାଗଲାଣି । କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ମହାଦେଈଯୋଡା ପଞ୍ଚାୟତ ମରଦଙ୍ଗାଯୋଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ।
ଉକ୍ତ ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଥିବାବେଳେ ଶିଶୁ ବାଟିକା ୮ ଜଣ ଛାତ୍ରଛାତ୍ରୀ , ପ୍ରଥମରେ ୧୩, ଦ୍ଵିତୀୟରେ ୬, ତୃତୀୟରେ ୬, ଚତୁର୍ଥରେ ୧୧, ପଞ୍ଚମରେ ୫, ଷଷ୍ଠରେ ୯, ସପ୍ତମରେ ୩ ଜଣ, ଅଷ୍ଟମରେ ୫ ଜଣ ଛାତ୍ରଛାତ୍ରୀ ମିଶି ସମୁଦାୟ ୬୬ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ହେଲେ ସବୁ ଶ୍ରେଣୀର ପିଲାମାନଙ୍କୁ ଗୋଟିଏ କକ୍ଷରେ ବସାଇ ପାଠ ପଢ଼ାଯାଉଛି ।ବିଦ୍ୟାଳୟରେ ପ୍ରଥମ ଶ୍ରେଣୀର ପାଠକୁ ଅଷ୍ଟମ ଶ୍ରେଣୀର ପିଲା ପଡୁଛନ୍ତି ଏବଂ ଅଷ୍ଟମ ଶ୍ରେଣୀର ପାଠକୁ ପ୍ରଥମ ଶ୍ରେଣୀର ପିଲା ପଢୁଛନ୍ତି । କହିବାକୁ ଗଲେ ସମସ୍ତ ଶ୍ରେଣୀର ପାଠକୁ ଏକାଥରେ ପଢୁଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟରେ ୨ଜଣ ଶିକ୍ଷକ ଥିବାବେଳେ ଜଣେ ଶିକ୍ଷକ କେତେବେଳେ ବିଦ୍ୟାଳୟ କାଗଜପତ୍ର କାମରେ ଯାଉଛନ୍ତି ତ ଆଉ କେତେବେଳେ ବୁଥ୍ ଲେବୁଲ ଅଫିସର କାର୍ଯ୍ୟ କରୁଛନ୍ତି । ଏପରି ସ୍ଥଳେ ଜଣେ ଶିକ୍ଷକଙ୍କୁ ପୁରା ବିଦ୍ୟାଳୟ ସମ୍ଭାଳିବାକୁ ପଡୁଛି । ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ପାଇଁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇବା ସହିତ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲା ପରେ ଗ୍ରାମରୁ ପାଞ୍ଚ କିଲୋମିଟର ଦୂର ବିଦ୍ୟାଳୟକୁ ଟିସି ନେଇ ଚାଲିଯାଉଛନ୍ତି । ଯାହା ଅଭିଭାବକ ଏବଂ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଶିକ୍ଷକ ସମସ୍ୟା ପାଇଁ ଗ୍ରାମବାସୀଙ୍କ ତରଫରୁ ମଣ୍ଡଳ ଶିକ୍ଷା ଅଧିକାରୀଙ୍କୁ ବାରମ୍ବର ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ବିଦ୍ୟାଳୟ ପ୍ରତି ଗୁରୁତ୍ୱ ଦେଉନଥିବା କଥା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।