ସମ୍ବଲପୁର, ୦୯/୦୬: ମିଲ୍କୁ ଟାର୍ଗେଟ ନ ମିଳିବାରୁ ତାତିଲେ ଚାଷୀ । ବାରମ୍ବାର ଦାବି ସତ୍ତ୍ୱେ ଯୋଗାଣ ବିଭାଗ ପକ୍ଷରୁ ଟାର୍ଗେଟ୍ ଦିଆଯାଉନଥିବାରୁ ସୋମବାର ରାଜରାସ୍ତାକୁ ଓହ୍ଲାଇଛି କୃଷକ ସଙ୍ଗଠନ । ଶହ ଶହ ଚାଷୀ ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କଠାରେ ଜାତୀୟ ରାଜପଥକୁ ଅବରୋଧ କରି ଧାରଣାରେ ବସିଛନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ଗାଡ଼ି ଅଟକି ରହିଛି ।
ପୂର୍ବରୁ ଚାଷୀମାନେ କଟନି ଛଟନି ସମସ୍ୟାକୁ ନେଇ ରାଜପଥକୁ ଓହ୍ଲାଉଥିଲେ। ଧାନ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ପ୍ରଥମ କରି ସମ୍ବଲପୁର ଜିଲ୍ଲାର ଚାଷୀମାନେ ଧାନ ସଂଗ୍ରହ ଟାର୍ଗେଟ ପାଇଁ ଆନ୍ଦୋଳନ କରୁଛନ୍ତି । ଚାଷୀମାନେ ଏକାଠି ହୋଇ ସୋମବାର ସକାଳ ୬ ଟାରୁ ସିନ୍ଦୁରପଙ୍କଠାରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଟାର୍ଗେଟ ନମିଳିବା ଯାଏଁ ଧାରଣା ଦିଆଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି । ଧାରଣାର ପ୍ରାୟ ୪ଘଣ୍ଟା ପରେ ଘଟଣାସ୍ଥଳରେ ଉପଜିଲ୍ଲାପାଳ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଛନ୍ତି। ହେଲେ ସେମାନେ ରବି ଧାନ କିଣାରେ ଟାର୍ଗେଟ ନମିଳିବା ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।
ପ୍ରଥମେ ଅଦିନିଆ ବର୍ଷାରେ ବ୍ୟାପକ ଫସଳ ନଷ୍ଟ ହୋଇଥିଲା। ବର୍ତ୍ତମାନ ଧାନ ସଂଗ୍ରହ ପାଇଁ ସମବାୟ ସମିତିକୁ ଆବଶ୍ୟକ ଟାର୍ଗେଟ ମିଳୁନି। ଏଭଳି ସ୍ଥିତିରେ ଚାଷୀମାନେ ଧାନ ବିକ୍ରି କରିପାରୁ ନାହାନ୍ତି। ରବିବାର ଚାଷୀ ତବଲା ସମବାୟ ସମିତିରେ ତାଲା ପକାଇଥିଲେ। ଏହା ପରେ ସୋମବାର ସିନ୍ଦୁରପଙ୍କ ଛକରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।
ରବି ଧାନ କିଣିବାକୁ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ କୁଇଣ୍ଟାଲ୍ ଟାର୍ଗେଟ୍ ସମ୍ବଲପୁର ଜିଲ୍ଲାକୁ ମିଳିଥିଲା । ପରେ ଆଉ ୨ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଯୋଗାଣ ନିଗମ ନିଷ୍ପତ୍ତି ନେଇଥିଲା। ହେଲେ ଏହି ଟାର୍ଗେଟ କମ୍ ବୋଲି ଚାଷୀ ସଂଗଠନ ଦାବି କରିଥିଲା। ତେଣୁ ଧାନ କିଣାରେ ଅଧିକ ଟାର୍ଗେଟ ଦେବାକୁ କୁହାଯାଇଥିଲା। କିନ୍ତୁ ସମବାୟ ସମିତିକୁ ନୂଆ ଟାର୍ଗେଟ ନମିଳିବାରୁ ଗତ ୪ ଦିନ ହେଲା ମଣ୍ଡିରୁ ଧାନ ଉଠୁନାହିଁ । ଫଳରେ ମଣ୍ଡିରେ ଅଚଳାବସ୍ଥା ଲାଗି ରହିଥିଲା। ଯାହା ପରେ ରବିବାର ତବଲା ମଣ୍ଡିରେ ଚାଷୀମାନେ ତାଲା ପକାଇଥିଲେ ।
ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି ସଦର ଏସଡିପିଓଙ୍କ ସହ ଘଟଣାସ୍ଥଳରେ ପୁଲିସକର୍ମୀ ମୁତୟନ ହୋଇଛନ୍ତି । ସମ୍ବଲପୁରରୁ ଦେବଗଡ଼ ଦେଇ କୋଲକାତା ଓ କଟକକୁ ସମ୍ପୂର୍ଣ୍ଣ ରାସ୍ତା ବନ୍ଦ ହୋଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି ।