ନୂଆଦିଲ୍ଲୀ: ଭାରତ ଭଳି ଏବେ ପାକିସ୍ତାନ ବିଦେଶକୁ ନିଜର ପ୍ରତିନିଧିମଣ୍ଡଳୀ ପଠାଇଛି । ଭାରତର ଅପରେସନ୍ ସିନ୍ଦୂରରେ ପାକିସ୍ତାନ ସହିଥିବା କ୍ଷତି ସଂପର୍କରେ ବିଶ୍ବକୁ ଜଣାଇବେ ଶେହବାଜ ସରକାର । ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଆରମ୍ଭ କରିଥିଲା । ଏହା ଜରିଆରେ ଭାରତୀୟ ସେନା ପିଓକେ ଏବଂ ପାକିସ୍ତାନରେ ଥିବା ୯ଟି ଆତଙ୍କୀ ଆଡ୍ଡା ଧ୍ବଂସ କରିଥିଲା । ଏହା ପରେ ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । ଏହାର ପ୍ରତିଜବାବରେ ଭାରତ ପାକିସ୍ତାନର ବିଭିନ୍ନ ବାୟୁସେନା ଘାଟି ନଷ୍ଟ କରିଥିଲା । ଏଥିପାଇଁ ବିଶ୍ବରୁ ସହାନୁଭୂତି ପାଇବାକୁ ଚେଷ୍ଟା କରିବ ପାକିସ୍ତାନ ।
ପାକିସ୍ତାନ ସୋମବାର ଆମେରିକା ଏବଂ ବ୍ରିଟେନ ଭଳି ଅନ୍ୟ ଦେଶଗୁଡ଼ିକୁ କୂଟନୈତିକ ଯୋଗାଯୋଗ ପାଇଁ ପ୍ରତିନିଧିମଣ୍ଡଳୀ ପଠାଇଛି। ପିଟିଆଇ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଭାରତ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ବିଭିନ୍ନ ଦେଶକୁ ପ୍ରତିନିଧିମଣ୍ଡଳୀ ପଠାଇବାର କିଛି ଦିନ ପରେ ପାକିସ୍ତାନ ସମର୍ଥନ ସଂଗ୍ରହ କରିବା ପାଇଁ ଦୁଇଟି ଦଳ ବିଦେଶକୁ ପଠାଇଛି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ଜୀବନ ଯିବା ପରେ ଭାରତ ଏହାର କୂଟନୈତିକ ପ୍ରସାର ଲାଗି ୩୩ଟି ଦେଶର ରାଜଧାନୀକୁ ୭ଟି ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ପଠାଇଛି। ସେପଟେ କପି କ୍ୟାଟ୍ ପାକିସ୍ତାନ ନିଜର ଉଚ୍ଚସ୍ତରୀୟ ସର୍ବଦଳୀୟ ପ୍ରତିନିଧିମଣ୍ଡଳୀ ୨ ଜୁନ୍ ୨୦୨୫ରୁ ନ୍ୟୁୟର୍କ, ୱାଶିଂଟନ୍ ଡିସି, ଲଣ୍ଡନ ଏବଂ ବ୍ରୁସେଲ୍ସ ପଠାଇଛି । ୯ ଜଣିଆ ପ୍ରତିନିଧି ଦଳ ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ନେତୃତ୍ବରେ ପରିଚାଳିତ ହେଉଛି।
ପ୍ରତିନିଧି ଦଳର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସଂଘୀୟ ମନ୍ତ୍ରୀ ମୁସାଦିକ୍ ମାଲିକ, ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଖାର ଏବଂ ଖୁରମ ଦସ୍ତଗିର ଖାନ, ପୂର୍ବତନ ମନ୍ତ୍ରୀ ସୟଦ ଫୈସଲ ଅଲି ସବଜୱାରି ଏବଂ ଶେରି ରେହମାନ, ସିନେଟର ବୁଶରା ଅଞ୍ଜୁମ ବଟ୍ ଅଛନ୍ତି । ଏଥିରେ ଦୁଇ ପୂର୍ବତନ ବୈଦେଶିକ ସଚିବ - ଜଲିଲ ଆବାସ ଜିଲାନି ଏବଂ ତେହମିନା ଜାଞ୍ଜୁଆ ମଧ୍ୟ ସାମିଲ ଅଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ସୟଦ ତାରିକ ଫାତେମିଙ୍କ ନେତୃତ୍ବରେ ଦ୍ବିତୀୟ ପ୍ରତିନିଧିମଣ୍ଡଳୀ ଜୁନ୍ ୨ରୁ ମସ୍କୋ ଗସ୍ତ କରିବାର ଥିଲା। ହେଲେ ଏନେଇ ଅଧିକ ସୂଚନା ମିଳିପାରି ନାହିଁ । ଦୁଇ ପ୍ରତିନିଧିମଣ୍ଡଳୀ ଅନ୍ତର୍ଜାତୀୟ ସଂସ୍ଥା, ସରକାରୀ କାର୍ଯ୍ୟାଳୟ ଧାରକ, ବରିଷ୍ଠ ଅଧିକାରୀ, ସାଂସଦ, ଥିଙ୍କଟ୍ୟାଙ୍କ୍, ଗଣମାଧ୍ୟମ ଏବଂ ପ୍ରବାସୀ ପାକିସ୍ତାନୀଙ୍କ ସହିତ ମାରାଥନ ବୈଠକ କରିବେ ବୋଲି ଆଶା କରାଯାଉଛି ।