ନ୍ୟୁୟର୍କ: ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାଓ୍ଵାଲ ଭୁଟ୍ଟୋ ଜାର୍ଦାରୀ ସଂଯୁକ୍ତ ରାଷ୍ଟ୍ର (UN) ରେ ଭୟଙ୍କର ଅପମାନର ସାମ୍ନା କରିବାକୁ ପଡିଛି। ୟୁଏନରେ ପାକିସ୍ତାନ ପକ୍ଷରୁ ହେଉଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଭାରତରେ ମୁସଲିମମାନଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଯାଉଛି ବୋଲି ସେ ଦାବି କରିଥିଲେ। କିନ୍ତୁ, ଜଣେ ବିଦେଶୀ ସାମ୍ବାଦିକଙ୍କ ପ୍ରଶ୍ନ ତାଙ୍କ ଏହି ଦାବିକୁ ମିଛ ପ୍ରମାଣିତ କରିଛି। ଯାହା ଫଳରେ ଭୁଟ୍ଟୋ ନିରୁତ୍ତର ରହିବା ସହ ଏହି ବିଷୟକୁ ଛାଡି ଅନ୍ୟ ବିଷୟ ଉପରେ ଆଲୋଚନା କରିବାକୁ ବାଧ୍ୟ ହୋଇଥିଲେ।
ଭୁଟ୍ଟୋ ନ୍ୟୁୟର୍କସ୍ଥିତ ୟୁଏନ ମୁଖ୍ୟାଳୟରେ କାଶ୍ମୀର ପ୍ରସଙ୍ଗକୁ ଉଠାଇ କହିଥିଲେ ଯେ, ଏପ୍ରିଲ ୨୨ରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣ ନାଗରିକ ନିହତ ହୋଇଥିଲେ, ତାହାକୁ ନେଇ ଭାରତରେ ମୁସଲିମମାନଙ୍କୁ ବଦନାମ କରିବା ପାଇଁ ରାଜନୈତିକ ଉପକରଣ ଭାବେ ବ୍ୟବହାର କରାଯାଉଛି। କିନ୍ତୁ, ସାମ୍ବାଦିକ ଅହମଦ ଫତି ତାଙ୍କୁ ପ୍ରଶ୍ନ କରି କହିଥିଲେ, "ମୁଁ ଉଭୟ ପକ୍ଷର ବ୍ରିଫିଂ ଦେଖିଛି। ଭାରତ ପକ୍ଷରୁ ଅପରେସନ ସିନ୍ଦୁରର ବ୍ରିଫିଂ ମୁସଲିମ ସୈନ୍ୟ ଅଧିକାରୀମାନେ କରୁଥିବାର ମୁଁ ଦେଖିଛି।" ଏହି ପ୍ରଶ୍ନରେ ଭୁଟ୍ଟୋ କିଛି ଉତ୍ତର ଦେଇ ପାରି ନଥିଲେ। ଏବଂ କେବଳ ମୁଣ୍ଡ ହଲାଇ କହିଥିଲେ, "ଅପରେସନ ସମ୍ବନ୍ଧରେ ଆପଣ ଠିକ୍ କହୁଛନ୍ତି।"
ଏହି ସାମ୍ବାଦିକ ଭାରତୀୟ ସେନାର କର୍ନେଲ ସୋଫିୟା କୁରେଶୀଙ୍କ କଥା ଉଲ୍ଲେଖ କରିଥିଲେ, ଯିଏ ଅପରେସନ ସିନ୍ଦୁରର ବ୍ରିଫିଂରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। କର୍ନେଲ କୁରେଶୀ ଏବଂ ଭାରତୀୟ ବାୟୁସେନାର ଉଇଙ୍ଗ କମାଣ୍ଡର ବ୍ୟୋମିକା ସିଂଙ୍କ ସହ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏହି ବ୍ରିଫିଂରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ।
ଅପରେସନ ସିନ୍ଦୁର ହେଉଛି ଭାରତର ଏକ ସାମରିକ କାର୍ଯ୍ୟାନୁଷ୍ଠାନ। ଯାହା ମେ ୭ରେ ଆରମ୍ଭ ହୋଇଥିଲା ଏବଂ ଏଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (POK) ରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା। ଏହା ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର କଡା କାର୍ଯ୍ୟନୁଷ୍ଠାନ ଥିଲା।
ଭାରତ ଅପରେସନ ସିନ୍ଦୁର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନର ଆତଙ୍କବାଦ ସମର୍ଥିତ କାର୍ଯ୍ୟକଳାପକୁ ବିଶ୍ୱ ସମୁଦାୟ ଆଗରେ ରଖିବା ପାଇଁ ଏକ ସଂସଦୀୟ ପ୍ରତିନିଧିମଣ୍ଡଳୀ ଗଠିତ କରି ବିଭିନ୍ନ ଆନ୍ତର୍ଜାତୀୟ ମଞ୍ଚରେ ନିଜର ଦୃଷ୍ଟିକୋଣ ଉପସ୍ଥାପନ କରୁଛନ୍ତି। ଯେଉଁଥିରେ ଶଶୀ ଥରୁର ଏବଂ ଅସଦୁଦ୍ଦିନ ଓଓ୍ଵେସୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶରେ ଅପରେସନ ସିନ୍ଦୁର ଏବଂ ଭାରତର ଆତଙ୍କବାଦକୁ ନେଇ ଥିବା ଦୃଷ୍ଟିକୋଣ ଉପରେ ଆଲୋଚନା କରୁଛନ୍ତି। ଏହାର ଜବାବରେ ପାକିସ୍ତାନ ଭାରତର ଏହି କାର୍ଯ୍ୟକ୍ରମକୁ କପି ପେଷ୍ଟ କରି ଭାରତ ବିରୋଧି ସମର୍ଥନ ପାଇଁ ନିଜର ଏକ ପ୍ରତିନିଧି ମଣ୍ଡଳୀ ଗଠିତ କରି ବିଭିନ୍ନ ଦେଶକୁ ପଠାଇଛି। ଭୁଟ୍ଟୋ ବର୍ତ୍ତମାନ ପାକିସ୍ତାନର ଏକ ସଂସଦୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇ ଯୁକ୍ତରାଷ୍ଟ୍ର ଆମେରିକାରେ ଅଛନ୍ତି।
ଏହି ଘଟଣା ସାମାଜିକ ଗଣମାଧ୍ୟମରେ ମଧ୍ୟ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଛି। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହୋଇଥିବା ଅନେକ ପୋଷ୍ଟରେ ଦାବି କରାଯାଇଛି ଯେ ଭୁଟ୍ଟୋଙ୍କ ଦାବିକୁ ଏକ ବିଦେଶୀ ମୁସଲିମ ସାମ୍ବାଦିକ ଖଣ୍ଡନ କରିଛନ୍ତି। ଯିଏ କର୍ନେଲ ସୋଫିୟା କୁରେଶୀଙ୍କୁ ଉଦାହରଣ ଭାବେ ଉଲ୍ଲେଖ କରିଥିଲେ।
ଏହି ଘଟଣା ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତାକୁ ଆହୁରି ତିକ୍ତ କରିଛି। ଭୁଟ୍ଟୋଙ୍କ ଏହି ମନ୍ତବ୍ୟ ଏବଂ ତାହାର ଖଣ୍ଡନ ଆନ୍ତର୍ଜାତୀୟ ମଞ୍ଚରେ ଭାରତର ଦୃଢ କାର୍ଯ୍ୟଦକ୍ଷତା ଓ ବୈଦେଶିକ ନୀତିକୁ ପ୍ରମାଣ କରିଛି। ଏହାସହ ପାକିସ୍ତାନର ବିଶ୍ୱସନୀୟତା ଓ ଦୋମୁହାଁ ନୀତିକୁ ମଧ୍ୟ ପଦାରେ ପକାଇଛି।