ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ବିଦ୍ରୋହୀଙ୍କ କବ୍‌ଜାରେ ସିରିଆ: ପରିବାର ସହ ରୁଷରେ ଆଶ୍ରୟ ନେଲେ ଅସଦ, ରାଷ୍ଟ୍ରପତି ଭବନରୁ ଲୁଟ୍‌ଲେ ବିଦ୍ରୋହୀ

Published By : Prameya | December 9, 2024 10:44 AM

ଡାମାସ୍‌କସ୍‌,୦୯/୧୨: ଦୀର୍ଘବର୍ଷ ଧରି ଗୃହଯୁଦ୍ଧରେ ମାତିଥିବା ସିରିଆରେ ରବିବାର ବଡ଼ଧରଣର ପରିବର୍ତ୍ତନ ହୋଇଛି । ସିରିଆ ରାଜଧାନୀ ଡାମାସ୍‌କସ୍‌ ବିଦ୍ରୋହୀ ହୟାତ ତହରିର  ଅଲ୍‌-ଶାମ୍‌(ଏଚ୍‌ଟିଏସ୍‌)ର କବ୍‌ଜାକୁ ଆସିବା ପରେ  ଇସ୍ତଫା ଦେଇ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ବଶର ଅଲ୍‌-ଅସଦ । ତାଙ୍କ ପଳାୟନ ବାବଦରେ  ସେନା ପକ୍ଷରୁ ସୂଚନା ଦିଆଯାଇଛି । ସିରିଆରେ ଗତ  ୧୧ ଦିନ ହେଲା ବିଦ୍ରୋହୀ ଏବଂ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ପରେ ଅସଦଙ୍କୁ ବିଦ୍ରୋହୀ କ୍ଷମତାଚ୍ୟୁତ କରିଛନ୍ତି । ଫଳରେ ଅସଦଙ୍କ ଦୀର୍ଘ ୨୪  ବର୍ଷର ଶାସନର ଅନ୍ତ ଘଟିଛି । ଅସଦଙ୍କ ବିରୋଧରେ  ଦୀର୍ଘ ୧୪ ବର୍ଷ ହେଲା ବିଦ୍ରୋହ ଜାରି ଥିଲା । ଅସଦଙ୍କ  ପଳାୟନ ପରେ ସିରିଆ ପ୍ରଧାନମନ୍ତ୍ରୀ ବିଦ୍ରୋହୀଙ୍କୁ  କ୍ଷମତା ହସ୍ତାନ୍ତର ପାଇଁ ପ୍ରସ୍ତାବ ଦେଇଛନ୍ତି ।  

ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜି ଅଲ୍‌ ଜଲାଲି ଏକ ଭିଡିଓରେ କହିଛନ୍ତି ଯେ, ସେ ଦେଶରେ ରହିବେ  ଏବଂ ଯାହାଙ୍କୁ ସିରିଆ ଲୋକେ ବାଛିବେ ତାଙ୍କ ସହ ମିଶି କାମ କରିବେ । ଡାମାସ୍‌କସ୍‌ ସମେତ ପ୍ରମୁଖ ସହର ଅଲେପ୍ପୋ, ହମା, ହୋମ୍ସ ସହର  କବ୍‌ଜା କରିସାରିଥିବା ବିଦ୍ରୋହୀ ସିରିଆକୁ ସ୍ୱାଧୀନ ଘୋଷଣା କରିଛନ୍ତି । ଏକଛତ୍ରବାଦୀ ଶାସକ ଅସଦଙ୍କ କ୍ଷମତାର ଅନ୍ତ ଘଟାଇଥିବା ନେଇ ସେମାନେ  ଏକ ସରକାରୀ ଟିଭି ଚ୍ୟାନେଲ ଏବଂ ରେଡିଓରେ ଘୋଷଣା କରିଛନ୍ତି । ଏବେ ପାଇଁ ପ୍ରଧାନମନ୍ତ୍ରୀ ହିଁ  ସରକାରୀ ସଂସ୍ଥାଗୁଡ଼ିକର ତଦାରଖ କରିବେ ବୋଲି ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି । ଡାମାସ୍‌କସ୍‌ରେ କର୍ଫ୍ୟୁ  ଲାଗୁ ହୋଇଛି ଏବଂ ଲୋକଙ୍କୁ ଘରେ ରହିବାକୁ କୁହାଯାଇଛି । ଏହା ଭିତରେ ଏଚ୍‌ଟିଏସ୍‌ ମୁଖ୍ୟ  ଅବୁ ମହମ୍ମଦ ଅଲ୍‌-ଜୋଲାନି ଡାମାସ୍‌କସ୍‌ରେ  ପହଞ୍ଚିଛନ୍ତି । ସିରିଆ ଲୋକଙ୍କ ଅଧିକାର ସୁରକ୍ଷିତ  ନ ହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ । ଏଣିକି  ଭବିଷ୍ୟତ ଆମର ଏବଂ ବିଜୟ ଦିଗରେ ଆମେ  ଅଗ୍ରସର ହୋଇଛୁ ବୋଲି ଜୋଲାନି କହିଛନ୍ତି । 

ସେପଟେ ଅସଦ ଯେଉଁ ବିମାନରେ ଯାଉଥିଲେ ତାହା ହଠାତ୍‌ ରାଡାରରୁ ଗାଏବ ହୋଇଯାଇଥିବା କୁହାଯାଉଥିଲା । ଏମିତି କି ବିମାନଟିକୁ ଖସାଇ ଦିଆଯାଇଥିବା କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ୟ  ଚର୍ଚ୍ଚା ହୋଇଥିଲା । କିନ୍ତୁ ଅସଦ ସପରିବାର ରୁଷ୍‌  ରାଜଧାନୀ ମସ୍କୋରେ ପହଞ୍ଚିଛନ୍ତି । ରୁଷ୍‌ରେ ଆଶ୍ରୟ ନେବା ଲାଗି ସେ ପୁଟିନ୍‌ ସରକାରଙ୍କ ଅନୁମତି  ଲୋଡ଼ିଥିଲେ । ଏହାକୁ ସରକାର ଅନୁମୋଦନ  ଦେଇଛନ୍ତି । ବର୍ତ୍ତମାନ ମସ୍କୋରେ ହିଁ ଅସଦ ନିଜ ପରିବାର ସହ ରହିବେ । ତେବେ କେତେଦିନ  ପାଇଁ ସେଠାରେ ରହିବାକୁ ଅନୁମତି ମିଳିବ, ତାହା ନେଇ କ୍ରେମ୍‌ଲିନ୍‌ ପକ୍ଷରୁ କିଛି କୁହାଯାଇ ନାହିଁ । ଅନ୍ୟ ଦେଶଗୁଡ଼ିକ ଭଳି ସିରିଆ ଏକ ସାଧାରଣ ଦେଶ ବନିପାରିବ ଏବଂ  ପଡ଼ୋଶୀଙ୍କ ସମେତ ଦୁନିଆର ଅନ୍ୟ  ଦେଶଗୁଡ଼ିକ ସହ ଏହାର ଭଲ  ସମ୍ପର୍କ ରହିବ ବୋଲି ପ୍ରଧାନମନ୍ତ୍ରୀ  ମହମ୍ମଦ ଗାଜି ସୋସିଆଲ  ମିଡିଆରେ ପୋଷ୍ଟ କରିଛନ୍ତି । ଏହା  ଭିତରେ ବିରୋଧୀ ଦଳ ନେତା ହାଦି  ଅଲ୍‌-ବହରା ଡାମାସ୍‌କସ୍‌ ସୁରକ୍ଷିତ  ଥିବା କହିଛନ୍ତି । ଅସଦଙ୍କ ପରେ ସିରିଆ ଇତିହାସର ଏକ କଳା ଯୁଗ ଶେଷ ହୋଇଥିବା ଏକ  ଚ୍ୟାନେଲରେ କହିଛନ୍ତି । ଅସଦଙ୍କୁ କ୍ଷମତାଚ୍ୟୁତ  କରିବା ପରେ ବିଦ୍ରୋହୀ ଗୋଷ୍ଠୀ ଉତ୍ସବ ପାଳିଛନ୍ତି । ସେପଟେ ଲୋକେ ରାଷ୍ଟ୍ରପତିଙ୍କ ବାସଭବନରେ  ପଶି ଲୁଟ୍‌ପାଟ କରିଛନ୍ତି । ସିରିଆ ସ୍ଥିତିକୁ ଦେଖି  ଇସ୍ରାଏଲ ଦକ୍ଷିଣ ପଶ୍ଚିମ ସିରିଆ ସୀମା ସହ ଲାଗିଥିବା  ଇସ୍ରାଏଲ ଅଧିକୃତ ଗୋଲେନ୍‌ ହାଇଟ୍ସ ନିକଟ ବଫର  ଜୋନ୍‌ରେ ଏହାର ସୈନ୍ୟଙ୍କୁ ମୁତୟନ କରିଛି ।

ସେହିପରି ସିରିଆରେ ସମସ୍ତ ଭାରତୀୟ ସୁରକ୍ଷିତ  ଥିବା ଏବଂ ଡାମାସ୍‌କସ୍‌ରେ ଭାରତୀୟ ଦୂତାବାସ କାର୍ଯ୍ୟକ୍ଷମ ଥିବା ଭାରତର ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି । ସେଠାରେ ଭାରତୀୟଙ୍କ ସହ ଦୂତାବାସ ସମ୍ପର୍କରେ ଥିବା ଏବଂ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ  କୁହାଯାଇଛି । ଅନ୍ୟପକ୍ଷରେ ଡିସେମ୍ବର ୧୮ ପର୍ଯ୍ୟନ୍ତ ଡାମାସ୍‌କସ୍‌ ସମସ୍ତ ବିମାନ ଉଡ଼ାଣ ବାତିଲ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.