ନୂଆଦିଲ୍ଲୀ,୩।୫: ଗଣଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। କେବଳ ଜଣେ ବ୍ୟକ୍ତି ଦୁଷ୍କର୍ମ କରିଥିଲେ ବି ସମ୍ପୃକ୍ତ ଘଟଣାରେ ସାମିଲ ସମସ୍ତଙ୍କୁ ଏଥିପାଇଁ ଦୋଷୀ ସାବ୍ୟସ୍ତ କରାଯାଇପାରିବ । ସରଳ ଭାଷାରେ ବୁଝିବାକୁ ଗଲେ, ଗଣଦୁଷ୍କର୍ମ ମାମଲାରେ ଯଦି ଏକାଧିକ ବ୍ୟକ୍ତି ଅପରାଧରେ ସାମିଲ ଥାନ୍ତି, ତେବେ ପ୍ରତ୍ୟେକ ବ୍ୟକ୍ତି ଦୁଷ୍କର୍ମ କରିଥିବା ପ୍ରମାଣ କରିବା ଆବଶ୍ୟକ ନୁହେଁ ।
ବିଚାରପତି ସଞ୍ଜୟ କାରୋଲ ଏବଂ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ମେ ୧ ତାରିଖରେ ଏହି ରାୟ ଶୁଣାଇଥିଲେ । ଆଇପିସିର ଧାରା ୩୭୬(୨)(ଜି) ଅନୁଯାୟୀ, ଗଣଦୁଷ୍କର୍ମ ମାମଲାରେ, ଯଦି ସମସ୍ତେ ଦୁଷ୍କର୍ମ ଉଦ୍ଦେଶ୍ୟ ନେଇ ଏହି କାର୍ଯ୍ୟ କରିଥାନ୍ତି, ତେବେ ଜଣେ ଅଭିଯୁକ୍ତ ଦ୍ୱାରା କରାଯାଇଥିବା କାର୍ଯ୍ୟ ସମସ୍ତଙ୍କୁ ଦଣ୍ଡ ଦେବା ପାଇଁ ଯଥେଷ୍ଟ । କେବଳ ଜଣେ ବ୍ୟକ୍ତିଙ୍କ ଦ୍ୱାରା କରାଯାଇଥିବା ଦୁଷ୍କର୍ମ କାର୍ଯ୍ୟ ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ । କହିରଖୁ କି, ୨୦୦୪ ମସିହାରେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଅପହରଣ ଏବଂ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ୍ୟ ହେବା ସମୟରେ ଏହି ମନ୍ତବ୍ୟ ଦିଆଯାଇଥିଲା । ପୀଡ଼ିତା ତାଙ୍କ ବୟାନରେ କହିଛନ୍ତି ଯେ, ଜଳନ୍ଧର କୋଲ ଏବଂ ରାଜୁ ନାମକ ୨ ଜଣ ବ୍ୟକ୍ତି ତାଙ୍କୁ ଦୁଷ୍କର୍ମ କରିଥିଲେ । ଟ୍ରାଏଲ୍ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଦୁଷ୍କର୍ମ, ଅପହରଣ ଏବଂ ଅବୈଧ ବନ୍ଦି କରି ରଖିବା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ରାଜୁଙ୍କୁ ଆଜୀବନ କାରାଦଣ୍ଡ ଏବଂ ଜଳନ୍ଧର କୋଲଙ୍କୁ ୧୦ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା । ହାଇକୋର୍ଟ ଟ୍ରାଏଲ୍ କୋର୍ଟର ନିଷ୍ପତ୍ତିକୁ ବଜାୟ ରଖିଲେ, ଯାହା ପରେ ରାଜୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ।