ଝାଡ଼ଖଣ୍ଡ,୩/୫ : ଝାଡ଼ଖଣ୍ଡର ଜାମସେଦପୁର ଜିଲ୍ଲାରୁ ଏକ ବଡ଼ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଏଠାରେ ଏକ ହସ୍ପିଟାଲ କୋଠାର ଏକ ଅଂଶ ଭୁଶୁଡ଼ି ପଡ଼ିଛି । ଫଳରେ ଜଣେ ମହିଳାଙ୍କ ସମେତ ୪ ଜଣ ରୋଗୀ ତଳେ ଚାପି ହୋଇଯାଇଛନ୍ତି । ସୂଚନା ଅନୁସାରେ ଏହି ଦୁର୍ଘଟଣା ଜାମସେଦପୁରର ମହାତ୍ମା ଗାନ୍ଧୀ ମେମୋରିଆଲ (ଏମଜିଏମ) ମେଡିକାଲ କଲେଜ ହସ୍ପିଟାଲରେ ଘଟିଛି। କୁହାଯାଉଛି ଯେ ଶନିବାର ସାକଚି ଥାନା ଅଞ୍ଚଳରେ ଥିବା ଏମଜିଏମ ହସ୍ପିଟାଲର ଏକ ବାଲକୋନି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଏଥିରେ ଜଣେ ମହିଳାଙ୍କ ସମେତ ଚାରି ଜଣ ରୋଗୀ କାନ୍ଥ ତଳେ ପୋତି ହୋଇଗଲେ। ଏହି ଘଟଣା ଯୋଗୁଁ ସମଗ୍ର ହସ୍ପିଟାଲରେ ଏକ ଭୟାବହ ପରିବେଶ ସୃଷ୍ଟି ହୋଇଥିଲା। ହସ୍ପିଟାଲ ପରିଚାଳନା ଏବଂ ସ୍ଥାନୀୟ ପ୍ରଶାସନ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ।
କୁହାଯାଉଛି କି ହସ୍ପିଟାଲ ପରିସରରେ ଥିବା ୩ମହଲା ମେଡ଼ିସିନ ଓ୍ବାର୍ଡ଼ର ଛାତର ଏକ ଅଂଶ ହଠାତ୍ ଭୁଶୁଡ଼ି ପଡ଼ିଥିଲା । ଏହି କାରଣରୁ ତଳେ ରହୁଥିବା ରୋଗୀମାନେ ଭଗ୍ନାବଶେଷ ତଳେ ପୋତି ହୋଇଗଲେ। ଘଟଣାସ୍ଥଳରୁ ଯେଉଁ ଭିଡିଓ ସାମ୍ନାକୁ ଆସିଛି ସେଥିରେ ଆହତଙ୍କ ପୋଷାକରେ ରକ୍ତ ଦାଗ ଦେଖାଯାଉଛି । ବର୍ତ୍ତମାନ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ହସ୍ପିଟାଲ କୋଠାର ଯେଉଁ ଅଂଶ ଭୁଶୁଡ଼ି ପଡ଼ିଛି ତାହା ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା। ଏହାର ମରାମତି ପାଇଁ ପୂର୍ବରୁ ଅନେକ ଥର ଦାବି କରାଯାଇଥିଲା। କିନ୍ତୁ ଏହାକୁ ମରାମତି କରାଯାଇ ନ ଥିଲା। ବର୍ତ୍ତମାନ ଜାମସେଦପୁରରେ ମଧ୍ୟ ବର୍ଷା ହେଉଛି । ଏଭଳି ସ୍ଥିତିରେ ଉଦ୍ଧାର କରିବାରେ ଅସୁବିଧା ହେଉଛି ।