ଝାରସୁଗୁଡ଼ା/ସୁନ୍ଦରଗଡ଼/ରାଉରକେଲା,୧୨/୧୨: ଦୀର୍ଘବର୍ଷର ନିବିଡ଼ ସମ୍ପର୍କ । ଗର୍ଭବତୀ ହେଲା ନାବାଳିକା । ହେଲେ ପ୍ରତାରକ ସାଜିଲା ଯୁବକ । ମାମଲା ପହଞ୍ଚିଲା ଥାନାରେ । ବନ୍ଧା ହୋଇ ଜେଲ୍ ଗଲା ଯୁବକ । ୩ ମାସ ଜେଲରେ ରହିବା ପରେ ଜାମିନ ମିଳିଗଲା । ଦଣ୍ଡରୁ ମୁକୁଳିବା ପାଇଁ କୋର୍ଟରେ ବୟାନ ବଦଳାଇବାକୁ ପୀଡ଼ିତାଙ୍କୁ ବାଧ୍ୟ କଲା । ମନା କରିଦେବାରୁ ଦଣ୍ଡିତ ହେବା ଭୟ ଗୋଡ଼ାଇଲା । ଏଥିରୁ ମୁଣ୍ଡରେ ଚଢ଼ିଗଲା ବିଷ । ପୀଡ଼ିତାଙ୍କୁ ସବୁଦିନ ପାଇଁ ଶେଷ କରିଦେବାକୁ ଯୋଜନା କଲା । ଜଣେ ନାବାଳକ ସହଯୋଗୀ ସହ ଷଡ଼ଯନ୍ତ୍ର ରଚିଲା । ପୀଡ଼ିତାଙ୍କୁ କୌଶଳକ୍ରମେ ଝାରସୁଗୁଡ଼ାରୁ ଅପହରଣ କରିବା ପରେ ବୀଭତ୍ସ ଭାବେ ହତ୍ୟା କରି ମୃତଦେହକୁ ରାଉରକେଲାରେ ଖଣ୍ଡଖଣ୍ଡ କରି ଫିଙ୍ଗିଦେଲା । ହେଲେ ପୀଡିତାଙ୍କୁ ଅପହରଣ କରିବାର ଦୃଶ୍ୟ ଏଆଇ ସିସିଟିଭି କ୍ୟାମେରାରେ କଏଦ ହେଇଥିଲା । ସେହି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଘରିବାରେ ସଫଳ ହୋଇଛି ପୋଲିସ ।
ପ୍ରେମ-ପ୍ରତାରଣା-ପ୍ରତିହିଂସା କେତେ ଭୟଙ୍କର ହୋଇପାରେ ତାହାର ବୀଭତ୍ସ ଚିତ୍ର ହେଲା ଏହି ହତ୍ୟାକାଣ୍ଡ । ଘଟଣାରେ ସମ୍ପୃକ୍ତ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଅଞ୍ଚଳର ଅଭିଯୁକ୍ତ କୁନୁ କିଷାନ (୨୨) ଏବଂ ତା’ର ସହଯୋଗୀ (୧୭) ଧରାପଡ଼ିଛି । ବୁଧବାର ଝାରସୁଗୁଡ଼ାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାର ପର୍ଦ୍ଦାଫାସ କରିଛନ୍ତି ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଓ ଏସପି ସ୍ମିଥ ପୁରୁଷୋତ୍ତମ ପରମାର୍ । ହତ୍ୟା ଅଭିଯୁକ୍ତ କୁନୁର ବୟାନ ଆଧାରରେ ସକାଳ ୭ଟାରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଏବଂ ରାଉରକେଲା ପୁଲିସ୍ ଟିମ ରାଉରକେଲା ବ୍ରାହ୍ମଣୀ ନୂଆ ସେତୁ ପାଶ୍ୱର୍ ନଦୀକୂଳରେ ପହଞ୍ଚିଥିଲା । ଓଡ୍ରାଫ୍ ଏବଂ ଅଗ୍ନିଶମ ବାହିନୀ ସହାୟତାରେ ଦୀର୍ଘ ସମୟ ଖୋଜାଖୋଜି ପରେ ନୂଆ ସେତୁ ନିକଟରୁ ଏକ କଟା ହାତ ମିଳିଥିଲା ।
ସେଠାରୁ ୪ କିଲୋମିଟର ଦୂର ତରକେରା ନାଳ ନିକଟରୁ ଅଖାରେ ଭର୍ତ୍ତି ହୋଇଥିବା ଆଉ ଏକ କଟା ହାତ, ଗୋଟିଏ କଟା ଗୋଡ଼, ଗଣ୍ଡି ମିଳିଥିଲା । ଏହାର ଅନତି ଦୂରରେ କଟା ମୁଣ୍ଡ, ଆଉ ଏକ କଟା ଗୋଡ଼ ମିଳିଥିଲା । ହତ୍ୟାର ଶିକାର ପୀଡ଼ିତାଙ୍କ ଜ୍ୟାକେଟ୍, ପୋଷାକ, ଚପଲ ଏବଂ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ମଧ୍ୟ ସେଠାରୁ ଜବତ କରାଯାଇଥିଲା । ଓଡ୍ରାଫ୍ର ୩ଟି ଟିମ୍ ଏବଂ ଦୁଇଟି ସାଇଣ୍ଟିଫିକ ଟିମ୍ ତଦନ୍ତରେ ନିୟୋଜିତ ଥିଲେ । ମୃତଦେହ, ପୋଷାକ ଚପଲ, ଅଳଙ୍କାର ଆଦି ଦେଖି ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ । ସାଇଣ୍ଟିଫିକ୍ ଚିହ୍ନଟ ଲାଗି ଡିଏନଏ ପରୀକ୍ଷା କରାଯିବ । ମାମଲାର ତ୍ୱରିତ ଶୁଣାଣି ଲାଗି ଯଥାଶୀଘ୍ର ଚାର୍ଜସିଟ୍ ଦାଖଲ କରିବାକୁ ଝାରସୁଗୁଡ଼ା ପୁଲିସ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଆଇଜି କହିଛନ୍ତି ।
ପୁଲିସ୍ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅଞ୍ଚଳର ସମ୍ପୃକ୍ତା ଯୁବତୀ ଜଣକ ନାବାଳିକା ଥିବା ସମୟରେ କୁନୁ ପ୍ରେମ ଜାଲରେ ଫସାଇଥିଲା । ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା । ପରବର୍ତ୍ତୀ ସମୟରେ ପ୍ରତାରଣା କରିବାରୁ ପୀଡ଼ିତା ୨୦୨୩ରେ ଧରୁଆଡିହି ଥାନାରେ ବଳାତ୍କାର ଅଭିଯୋଗ କରିଥିଲେ । ସେହିବର୍ଷ ଅଗଷ୍ଟ ୨୭ରେ ପୁଲିସ କୁନୁକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ୨୦୨୩ ଡିସେମ୍ବର ୪ରେ ସେ ହାଇକୋର୍ଟରୁ ଜାମିନରେ ମୁକୁଳିଥିଲା । ଏହା ଏକ ପୋକ୍ସୋ ମାମଲା ଥିଲା ଓ ଦୋଷୀ ପ୍ରମାଣିତ ହେବା ଲାଗି ଆବଶ୍ୟକ ପ୍ରମାଣ ଥିବାରୁ ଦଣ୍ଡ ପାଇବା ନିଶ୍ଚିତ ବୋଲି କୁନୁ ଭାବିବାକୁ ଲାଗିଥିଲା । ଏଥିରୁ ବର୍ତ୍ତିବା ଲାଗି ଯୋଜନା କରିଥିଲା । କୋର୍ଟରେ ନିଜ ବିରୋଧରେ ବୟାନ ନ ଦେବାକୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ପୀଡ଼ିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲା ।
ଇତିମଧ୍ୟରେ ନାବାଳିକା ସାବାଳିକା ହୋଇସାରିଥିଲେ ଏବଂ ଝାରସୁଗୁଡ଼ାସ୍ଥିତ ମାଉସୀ ଘରେ ରହୁଥିଲେ । ୧୮ ବର୍ଷୀୟା ସମ୍ପୃକ୍ତା ଯୁବତୀ ଜଣକ ନିଖୋଜ ଥିବା ନେଇ ପରିବାର ଲୋକେ ଗତ ୭ ତାରିଖରେ ଝାରସୁଗୁଡ଼ା ଥାନାରେ ଏତଲା ଦେଇଥିଲେ । ପୁଲିସ୍ ତାଙ୍କୁ ଖୋଜିବା ଲାଗି ଏଆଇ ସହାୟତା ନେଇଥିଲା । ଯୁବତୀଙ୍କ ଫଟୋ ଓ ଝାରସୁଗୁଡ଼ା ସ୍ମାର୍ଟସିଟି ସିସିଟିଭି ସିଷ୍ଟମ୍ରୁ ଅପହରଣର ଖିଅ ମିଳିଥିଲା । ଘଟଣା ଦିନ ଦୁଇଜଣ ଯୁବକ ଯୁବତୀଙ୍କୁ ବାଇକ୍ରେ ନେଇଯାଉଥିବା ଜଣାପଡ଼ିଥିଲା । ଏଥିରେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଅଞ୍ଚଳର ଅଭିଯୁକ୍ତ କୁନୁ କିଷାନଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ପୁଲିସ୍ ତାକୁ ଓ ସହଯୋଗୀକୁ ଉଠାଇ ଆଣି ଜେରା କରିଥିଲା । ଜେରା ବେଳେ ପୁଲିସ୍ ଆଗରେ କୁନୁ ଯେଉଁ କଥା କହିଥିଲା, ତାହା ଥିଲା ଯେତିକି ଭୟଙ୍କର ସେତିକ ଲୋମଟାଙ୍କୁରା । ପ୍ରତିଶୋଧ ପରାୟଣ କୁନୁ ଯୁବତୀଙ୍କୁ ହତ୍ୟା କରି ରାଉରକେଲାରେ ଖଣ୍ଡଖଣ୍ଡ କରି ଫିଙ୍ଗି ଦେଇଥିବା ମାନିଯାଇଥିଲା । ଯୁବତୀଙ୍କୁ ଅପହରଣ କରିବା ପୂର୍ବରୁ ହତ୍ୟା କରିବାର ସବୁ ଯୋଜନା କରିସାରିଥିଲା କୁନୁ । ଘଟଣା ଦିନ ଏକ ବାଇକ୍ରେ କୁନୁ ଓ ତା’ର ସହଯୋଗୀ ଝାରସୁଗୁଡ଼ା ଆସିଥିଲେ । ଯୁବତୀକୁ ଅପହରଣ କରି ନେଇ ଯାଇଥିଲେ । ଏହି ସମୟର ଦୃଶ୍ୟ ଏଆଇ କ୍ୟାମେରାରେ କଏଦ ହୋଇଥିଲା । ପୁଲିସ୍ ଯେପରି ପ୍ରମାଣ ଯୋଗାଡ଼ କରି ନ ପାରିବ ସେଥିଲାଗି ବାଇକ୍ର ନମ୍ବର ପ୍ଲେଟ୍ ଓ ଷ୍ଟିକର ବଦଳାଇ ଦେଇଥିଲା । ହେଲମେଟ୍ ପିନ୍ଧି ଯାତ୍ରା କରିଥିଲା । ଜାତୀୟ ରାଜପଥ-୧୪୩ର ରାଉରକେଲା-ବାରକୋଟ ରାସ୍ତାରେ ଲାଠିକଟା ଥାନା ଅଞ୍ଚଳରେ ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା । ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ବର୍ବରତାର ସବୁ ସୀମା ଟପି ମୃତଦେହକୁ ଖଣ୍ଡ ଖଣ୍ଡ କରି ରଘୁନାଥପଲ୍ଲୀ ଥାନାଞ୍ଚଳର ତରକେରା ନାଳ ଏବଂ ବ୍ରାହ୍ମଣୀ ନଦୀର ବାଲୁଘାଟରେ ଫିଙ୍ଗି ଦେଇଥିଲା । ହେଲେ ଉକ୍ତ କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ସାହାଯ୍ୟରେ ପୋଲିସ ହତ୍ୟାକାରୀଙ୍କୁ ଘରିବାରେ ସଫଳ ହୋଇଛି । ହତ୍ୟାରେ ସମ୍ପୃକ୍ତ ସହଯୋଗୀ ସମ୍ପର୍କରେ ତଥ୍ୟ ଦେବାକୁ ପୁଲିସ୍ ମନା କରିଦେଇଛି ।