ଭୁବନେଶ୍ୱର ୨୪/୦୫: କେରଳ ଛୁଇଁବ ମୌସୁମୀ ବାୟୁ। ଆଗାମୀ ୨୪ ଘଣ୍ଟାରେ କେରଳରେ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ। ପାଗ ଅନୁକୂଳ ରହିଥିବାରୁ ୧୬ ବର୍ଷ ପରେ ଏଥର ସଅଳ କେରଳ ଛୁଇଁବ ମୌସୁମୀ । ୨୦୦୯ ମେ'୨୩ରେ କେରଳ ଛୁଇଁଥିଲା ମୌସୁମୀ ବାୟୁ। ଏଥର କେରଳ ସମେତ କର୍ଣ୍ଣାଟକ ଓ ତାମିଲନାଡ଼ୁ କିଛି ଅଞ୍ଚଳରେ ମୌସୁମୀ ବାୟୁ ଛୁଇଁବ । ପାଗ ଅନୁକୂଳ ଥିବାରୁ ଠିକ୍ ସମୟରେ ଓଡ଼ିଶା ଛୁଇଁବ ବୋଲି ଆଇଏମ୍ଡି ଆକଳନ କରିଛି ।
ଓଡ଼ିଶାରେ ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ସମ୍ଭାବନା ରହିଛି । ଶନିବାର ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଅଧିକ ବର୍ଷା ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ରବିବାର ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଝାରସୁଗୁଡ଼ା ଓ ସମ୍ବଲପୁରରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବୋହିପାରେ ।
୨୬ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳରେ ଘଡ଼ଘଡ଼ି ଓ ବର୍ଷା ସହିତ ୩୦ରୁ ୪୦କିମି ବେଗରେ ପବନ ବୋହିବ । ୨୭ ତାରିଖରେ କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ସହିତ ୪୦ରୁ ୫୦ କିମି ବେଗରେ ପବନ ହେବାର ସମ୍ଭାବନା ଅଛି । ବଜ୍ରପାତର ଆଶଙ୍କା ମଧ୍ୟ ଅଛି । ୨୮ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ କଳାହାଣ୍ଡିରେ ଅଧିକ ବର୍ଷା ହୋଇପାରେ । ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ୨୯ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଜପତି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ସାଙ୍ଗକୁ ଜୋରରେ ପବନ ବୋହିପାରେ ।