ଭୁବନେଶ୍ୱର,୦୪/୧୧: ନବରଙ୍ଗପୁର ଧନରା ଗାଁର ମାଳତୀ ଗଣ୍ଡ । ସୁଭଦ୍ରା ସହାୟତା ଆବେଦନ କରିବାକୁ ଗାଁଠୁ ପ୍ରାୟ ୨୫ କିମି ଦୂର ଜନସେବା କେନ୍ଦ୍ରକୁ ଗଲେ । ସହାୟତା ଆସିଛି ନା ନାହିଁ ଯାଞ୍ଚ କରିବାକୁ ଦୁଇଥର ଅଟୋ ଭଡ଼ା କରି ପଡ଼ୋଶୀ ଛତିଶଗଡ଼ରେ ଥିବା ଏକ ଜନସେବା କେନ୍ଦ୍ରକୁ ଗଲେଣି ।
କେବଳ ମାଳତୀ ନୁହଁନ୍ତି ଇଣ୍ଟରନେଟ୍ ନଥିବାରୁ ରାଜ୍ୟର ଏମିତି ବହୁ ସଂଖ୍ୟାରେ ମହିଳା ‘ସୁଭଦ୍ରା’ ପାଇଁ ଛଟପଟ ହେଉଛନ୍ତି । ଇଣ୍ଟରନେଟ୍ ସେବା ନଥିବାରୁ ଆଖପାଖରେ ଜନସେବା କେନ୍ଦ୍ର ନାହିଁ । ବ୍ୟାଙ୍କ ଶାଖା ନାହିଁ କି ବ୍ୟାଙ୍କମିତ୍ରଙ୍କ ଦର୍ଶନ ମିଳୁନି । ବ୍ୟାଙ୍କ ଖାତା-ଆଧାର ଲିଙ୍କ୍ ହୋଇଛି ନା ନାହିଁ? ସହାୟତା ରାଶି ଆସିଛି ନା ନାହିଁ ଜାଣିବାକୁ ମହିଳାମାନେ ଚାଲି ଚାଲି ହେଉ ଅବା ଅଟୋ ଭଡ଼ା କରି ଘରଠୁ ୧୫/୨୦ କିମି ଯାଉଛନ୍ତି । ଆଧାର କାର୍ଡରେ ତ୍ରୁଟି ଥିଲେ ସଂଶୋଧନ ପାଇଁ ମଧ୍ୟ ଦୂରକୁ ଯିବାକୁ ପଡ଼ୁଛି ।
ମୟୂରଭଞ୍ଜ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ଦେବଗଡ଼, ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଏମିତି ସମସ୍ୟା ଦୃଷ୍ଟିକୁ ଆସିଛି । ଏପରିକି ଟୋଲ ଫ୍ରି ନମ୍ବରକୁ ଏ ନେଇ ଅଭିଯୋଗ ମଧ୍ୟ ଆସୁଛି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳରେ ଏମିତି ବହୁ ଗାଁ ଅଛି ଯେଉଁଠି ମହିଳାମାନେ ଆବେଦନ କରିବାକୁ ୧୫ ରୁ ୨୦ କିମି ଯାଏ ଯାଉଥିଲେ ।
ସମାନ ଚିତ୍ର ନବରଙ୍ଗପୁର ଜିଲ୍ଲାର ଧନରା, ଭରଣ୍ଡଖୁଣ୍ଟ, ହାଟଭରଣ୍ଡି, ଖିଲୋଲି, ଖାଲେପାରା ଆଦି ଗାଁରେ । ଏ ଗାଁର ମହିଳାମାନେ ଇଣ୍ଟରନେଟ୍ ପାଇଁ ପଡ଼ୋଶୀ ଛତିଶଗଡ଼ ଉପରେ ନିର୍ଭର କରୁଛନ୍ତି । ଅନ୍ୟ ଜିଲ୍ଲାର ଦୁର୍ଗମ ଅଞ୍ଚଳର ମହିଳାମାନେ ସୁଭଦ୍ରା ପାଇଁ ଇଣ୍ଟରନେଟ୍ ବାଧକର ଶିକାର ହୋଇଛନ୍ତି । ଏ ସଂପର୍କରେ ସରକାର ଅବଗତ ହେବା ପରେ ଆବେଦନ ବେଳେ କେୱାଇସିକୁ ହଟାଇ ନେଇଛନ୍ତି । ଦୁର୍ଗମ ଅଞ୍ଚଳର ମହିଳାମାନେ ନିଜ ଆବେଦନକୁ ଅଙ୍ଗନବାଡ଼ି କର୍ମୀଙ୍କୁ ଦେବାକୁ କୁହାଯାଇଛି ।
ମାତ୍ର ଆବେଦନର ସ୍ଥିତାବସ୍ଥା, ସହାୟତା ରାଶି ବ୍ୟାଙ୍କ ଖାତାକୁ ଆସିଛି ନା ନାହିଁ ଏସବୁ ଜାଣିବାକୁ ଇଣ୍ଟରନେଟ୍ ବଡ଼ ବାଧକ ସାଜିଛି । ବ୍ୟାଙ୍କ ଶାଖା ନଥିବାରୁ ସମସ୍ୟା ଆହୁରି ଜଟିଳ ହୋଇଛି । ସରକାର ଇତିମଧ୍ୟରେ ୬୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ସହାୟତା ଦେଇସାରିଲେଣି । ନଭେମ୍ବର ଶେଷ ସୁଦ୍ଧା ଆଉ ୨୦ ଲକ୍ଷଙ୍କୁ ସହାୟତା ଦେବାକୁ ନିଷ୍ପତ୍ତି ହୋଇଛି । ମାତ୍ର ଆବେଦନ ପରେ ସୂଚନା ପାଇବାକୁ ଇଣ୍ଟରନେଟ୍ ସୁବିଧା ନଥିବାରୁ ମହିଳାମାନେ ଅନ୍ଧାରରେ ରହୁଛନ୍ତି । ଖର୍ଚ୍ଚାନ୍ତ ହେଉଛନ୍ତି ।
ଦେଶରେ ମୋବାଇଲ ସେବାକୁ ୨୮ ବର୍ଷ ପୂରିଲାଣି । ବିଡ଼ମ୍ବନା ଓଡ଼ିଶାର ୩୮୫୩ ଗାଁରେ ଏଯାଏ ମୋବାଇଲ ସେବା ଅପହଞ୍ଚ । ମୋବାଇଲ ସେବା ନଥିବାରୁ ଲୋକମାନେ ଯୋଗାଯୋଗ ପାଇଁ ହଇରାଣ ହରକତ ହେଉଛନ୍ତି । ରାଜ୍ୟ ଡିଜିଟାଲ ଅର୍ଥନୀତିରେ ମଧ୍ୟ ପଛରେ ପଡ଼ିଛି । ରାଜ୍ୟର ଦୁର୍ଗମ ଅଞ୍ଚଳରେ ଯେଉଁଠି ଟେଲିସେବା ନାହିଁ ମୋବାଇଲ ସେବା ପହଞ୍ଚାଇବାକୁ ରାଜ୍ୟ ଦାବି କରିଆସୁଛି । କେନ୍ଦ୍ର ସରକାର ସବୁ ଗାଁକୁ ମୋବାଇଲ ସେବା ପହଞ୍ଚାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଏବେ ବି ସେବା ପହଞ୍ଚିପାରୁନି । ରାଜ୍ୟରେ ୪୩୭୩ ପଞ୍ଚାୟତରେ ବ୍ୟାଙ୍କର ଶାଖା ନାହିଁ । ବ୍ୟାଙ୍କ ମିତ୍ରଙ୍କ ଠାରୁ ସେବା ମିଳୁନି । ଇଣ୍ଟରନେଟ୍ ଓ ବ୍ୟାଙ୍କ ଅଭାବ ମହିଳାମାନଙ୍କୁ ଦହଗଞ୍ଜ କରୁଛି ।
ସରକାରୀ ସୂଚନା କହୁଛି, ଗତ ଏପ୍ରିଲ ମାସ ସୁଦ୍ଧା ଓଡ଼ିଶାର ୫୧ ହଜାର ୧୭୬ ଗାଁରୁ ୪୭,୩୨୩ ଗାଁରେ ମିଳୁଛି ମୋବାଇଲ ନେଟୱର୍କ। ୩୮୫୩ ଗାଁ ଏଥିରୁ ବଞ୍ଚିତ । ୪୬ ହଜାର ୫୦ ଗାଁରେ ୩ଜି/୪ଜି ମୋବାଇଲ ସେବା ମିଳୁଛି । ଅଧିକାଂଶ ଗାଁରେ ମୋବାଇଲ୍ ସଂଯୋଗ ଥିଲେ ମଧ୍ୟ ନେଟ୍ୱର୍କ ଅତି ଦୁର୍ବଳ । ସେ ନେଟୱର୍କରେ ଜନସେବା କେନ୍ଦ୍ରରୁ ସେବା ପାଇବା ସମ୍ଭବ ହେଉନି । ରାଜ୍ୟର ୬,୭୮୮ ପଞ୍ଚାୟତ ମଧ୍ୟରୁ ଭାରତନେଟ୍ରେ ୬,୭୮୫କୁ ସଂଯୋଗ କରାଯାଇଛି ।
ଓଡ଼ିଶାରେ ଏବେ ୩ କୋଟି ୩୭ ଲକ୍ଷ ମୋବାଇଲ ଉପଭୋକ୍ତା ଅଛନ୍ତି । ରାଜ୍ୟରେ ଇଣ୍ଟରନେଟ୍ ଗ୍ରାହକଙ୍କ ସଂଖ୍ୟା ଗତ ୬ ବର୍ଷରେ ଅଢ଼େଇ ଗୁଣ ବଢ଼ିଛି । ଏବେ ରାଜ୍ୟରେ ପ୍ରତି ୧୦୦ ଲୋକରେ ୫୨ ଜଣ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି । ଜାତୀୟହାର କିନ୍ତୁ ରହିଛି ୬୪ । ରାଜ୍ୟରେ ମୋବାଇଲ ଟେଲି ସାନ୍ଦ୍ରତା ୭୫.୫ ରହିଛି । ସର୍ବଭାରତୀୟସ୍ତରରେ ଏହି ହାର କିନ୍ତୁ ୮୪.୫ । ଓଡ଼ିଶାରେ ଗ୍ରାମୀଣ ଟେଲି ଘନତ୍ୱ ୬୩% ଛୁଇଁଛି । ଜାତୀୟ ହାରଠାରୁ ଓଡ଼ିଶା ଟେଲି ସାନ୍ଦ୍ରତା, ମୋବାଇଲ ଗ୍ରାହକ ଓ ଇଣ୍ଟରନେଟ୍ ବ୍ୟବହାରକାରୀ ସଂଖ୍ୟା ଢେର କମ୍ ରହିଛି । ସେହିଭଳି ବ୍ୟାଙ୍କ ସୁବିଧା ନଥିବାରୁ ରାଜ୍ୟରେ ୩ଶହ ନୂଆ ଡାକଘର ଖୋଲିବା ସହ ବ୍ୟାଙ୍କିଂ ସୁବିଧା ଦେବାକୁ ନିଷ୍ପତ୍ତି ହୋଇଛି ।
ଦୁର୍ଗମ ଅଞ୍ଚଳର ଏ ସମସ୍ୟା ସଂପର୍କରେ ସରକାର ଅବଗତ ଅଛନ୍ତି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଦୁର୍ଗମ ଅଞ୍ଚଳରେ ଘର ଘର ବୁଲି ସୁଭଦ୍ରା ଆବେଦନ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏ ସଂପର୍କରେ ଆଇଟି ବିଭାଗ ଦର୍ଶାଉଛି, ଜାତୀୟ ବ୍ରଡବ୍ୟାଣ୍ଡ ମିଶନ ସହ ଗତିଶକ୍ତି ସଂଚାର ପୋର୍ଟାଲ ଜରିଆରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଭାରତ ନେଟ୍-୨ର ଆଧାରରେ ଟେଲି ସଂଯୋଗ ଲିନିୟର ଫର୍ମରେ ଲାଗୁ କରାଯାଇଛି । ଏହାର ଗୋଟିଏ ତାର କଟିଗଲେ ସେହି ତାରରେ ଯେତେ ଗାଁ ଥିବ ସେ ସବୁର ସଂଯୋଗ କଟିଯାଉଛି । ଭାରତ ସରକାର ଏବେ ଏହାର ଆଧୁନିକୀକରଣ କରି ଏହାର ରିଙ୍ଗ୍ ଫର୍ମ କରିବାକୁ ଯାଉଛନ୍ତି । ଫଳରେ ସଂଯୋଗ କଟିବ ନାହିଁ । ଖୁବଶୀଘ୍ର ରାଜ୍ୟରେ ଇଣ୍ଟରନେଟ୍କୁ ନେଇ ସମସ୍ୟା ରହିବନି ।