ନୂଆଦିଲ୍ଲୀ,୨୫।୧୧: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ସମାଜବାଦୀ ଓ ’ଧର୍ମନିରପେକ୍ଷ’ ଶବ୍ଦକୁ ଚ୍ୟାଲେଞ୍ଜ ଦିଆଯାଇଥିବା ଆବେଦନକୁ କରିଛନ୍ତି ଖାରଜ । ରାଜ୍ୟସଭାର ପୂର୍ବତନ ସାଂସଦ ସୁଭ୍ରମଣ୍ୟମ ସ୍ବାମୀ, ଆଇନଜୀବି ବିଷ୍ଣୁ ଶଙ୍କର ଜୈନ ଏବଂ ଅନ୍ୟମାନଙ୍କ ଦ୍ବାରା ଦାଖଲ ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏହା ସହ ପୂର୍ବଭଳି ଏହି ଶବ୍ଦ ମୁଖବନ୍ଧରେ ରହିବ ବୋଲି କହିଛନ୍ତି ପ୍ରଧାନ ବିଚାରପତି।
ସମ୍ବିଧାନ ଦିବସ ପୂର୍ବରୁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ସମ୍ବିଧାନ ମୁଖବଦ୍ଧରେ ସାମିଲ ‘ସମାଜବାଦୀ’ ଓ ‘ଧର୍ମ ନିରପେକ୍ଷ’ ଶବ୍ଦ ପୂର୍ବ ଭଳି ରହିବ। ଏହାକୁ ହଟାଯିବନି ବୋଲି କହିଛନ୍ତି, ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ। ସିଜେଆଇ କହିଛନ୍ତି, ଏହି ଆବେଦନ ଉପରେ ବିସ୍ତାରିତ ଭାବରେ ଶୁଣାଣି କରିବାର କିଛି ଆବଶ୍ୟକତା ନାହିଁ। ‘ସମାଜବାଦୀ’ ଓ ‘ଧର୍ମ ନିରପେକ୍ଷ’ ଭଳି ଶବ୍ଦ ୧୯୭୬ ରେ ସମ୍ବିଧାନ ସଂଶୋଧନ ଜରିଆରେ ସାମିଲ କରାଯାଇଥିଲା। ଏହାଦ୍ବାରା ୧୯୪୯ ରେ ଗ୍ରହଣ କରାଯାଇଥିବା ସମ୍ବିଧାନ ଉପରେ କୌଣସି ଫରକ ପଡେନି।’ ରାଜ୍ୟସଭାର ପୂର୍ବତନ ସାଂସଦ ସୁଭ୍ରମଣ୍ୟମ ସ୍ବାମୀ, ଆଇନଜୀବି ବିଷ୍ଣୁ ଶଙ୍କର ଜୈନ ଏବଂ ଅନ୍ୟମାନଙ୍କ ଦ୍ବାରା ଦାଖଲ ଆବେଦନକୁ ସୋମବାର ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଇନ୍ଦିରା ଗାନ୍ଧି ସରକାର ୧୯୭୬ ମସିହାରେ ସମ୍ବିଧାନର ୪୨ତମ ସଂଶୋଧନ ବଳରେ ମୁଖବନ୍ଧରେ ସମାଜବାଦୀ ଓ ଧର୍ମନିରପେକ୍ଷ ଶବ୍ଦ ଯୋଡ଼ିଥିଲେ। ଏଥିଯୋଗୁ ଭାରତର ପରିଚୟ ମୁଖବନ୍ଧରେ ବଦଳି ଥିଲା। ତଥାପି ମୁଖବନ୍ଧରେ ୧୯୭୬ ମସିହା କଥା ଉଲ୍ଲେଖ କରାଯାଇନି। ଏଥିରେ କେବଳ ୧୯୪୯ ମସିହା ନଭେମ୍ବର ୨୬ରେ ଗ୍ରହଣ କରାଯାଇଥିଲା ବୋଲି କହିଛନ୍ତି ପ୍ରଧାନ ବିଚାରପତି।