ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ତଥାପି ଯୁଦ୍ଧବିରତି ଲାଗି ଉଭୟ ପକ୍ଷ ମଧ୍ୟରେ ନିରନ୍ତର ବୈଠକ ଚାଲିଛି । ସୋମବାର ଦିନ ଉଭୟ ଦେଶର ପ୍ରତିନିଧିମଣ୍ଡଳୀ ପୁଣିଥରେ ତୁର୍କୀରେ ସାକ୍ଷାତ କରିଥିଲେ। ଗତ ଦୁଇ ସପ୍ତାହ ମଧ୍ୟରେ ଏହା ଦୁଇ ଦେଶ ମଧ୍ୟରେ ଦ୍ବିତୀୟ ସିଧାସଳଖ ଶାନ୍ତି ଆଲୋଚନା। ତଥାପି ତିନି ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧର ଅନ୍ତ ଘଟାଇବା ପାଇଁ ଏହି ଆଲୋଚନାରେ କୌଣସି ଅଗ୍ରଗତି ହେବାର ଆଶା କମ୍। ବୈଠକରେ ୟୁକ୍ରେନୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ବ ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମେରୋଭ ନେଇଥିଲେ । ରୁଷୀୟ ପ୍ରତିନିଧିମଣ୍ଡଳୀର ନେତୃତ୍ବ ଭ୍ଲାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ ଭ୍ଲାଦିମିର ମେଡିନସ୍କି ନେଇଥିଲେ।
ତୁର୍କୀର ବୈଦେଶିକ ମନ୍ତ୍ରୀ ହାକାନ ଫିଦାନ ସହରର ସିରାଗାନ ପ୍ୟାଲେସରେ ଆଲୋଚନାରେ ଅଧ୍ୟକ୍ଷତା କରିଥିଲେ ଏବଂ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଉଭୟ ଦେଶର ବରିଷ୍ଠ ଅଧିକାରୀଙ୍କ ମନ୍ତବ୍ୟ ସୂଚାଇ ଦେଉଛି ଯେ, ଯୁଦ୍ଧ ରୋକିବା ପାଇଁ ଉଭୟ ଦେଶ ସର୍ତ୍ତାବଳୀ ମାନିବାକୁ ରାଜି ନାହାନ୍ତି । ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଯୁଦ୍ଧର ତୀବ୍ରତା ବଢ଼ିଛି । ପ୍ରାୟ ୧ ହଜାର କିଲୋମିଟର ଫ୍ରଣ୍ଟ ଲାଇନ୍ରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଉଭୟ ପାର୍ଶ୍ବରୁ ଲଗାତାର ଆକ୍ରମଣ କରାଯାଉଛି।
ସେପଟେ ରୁଷ ଭିତରେ ଭୟଙ୍କର ଆକ୍ରମଣ କରୁଛି ୟୁକ୍ରେନ୍ । ଡ୍ରୋନ୍ ଆକ୍ରମଣ କରି ୪୦ରୁ ଅଧିକ ରୁଷୀୟ ବିମାନ ଧ୍ବଂସ କରିଥିବା ନେଇ ୟୁକ୍ରେନ ଦାବି କରିଛି । ଅନ୍ୟପଟେ, ରୁଷର ପ୍ରତିରକ୍ଷା ପ୍ରଣାଳୀ ୮ଟି ରୁଷୀୟ ଅଧିକୃତ ଅଞ୍ଚଳରେ ୧୬୨ଟି ବିମାନ ଖସାଇ ଦେଇଥିବା କ୍ରେମଲିନ୍ ପକ୍ଷରୁ କୁହାଯାଇଛି । ସେହିଭଳି ରୁଷ ପଠାଇଥିବା ୮୦ ମିସାଇଲ୍ରୁ ୫୨ଟିକୁ ନଷ୍ଟ କରିଦେଇଥିବା ଦାବି କରିଛି ୟୁକ୍ରେନ୍ର ବାୟୁ ସେନା ।
ସୂଚନାଯୋଗ୍ୟ, ଉତ୍ତର-ପୂର୍ବ ୟୁକ୍ରେନୀୟ ସହର ଖାରକିଭର ମେୟର କହିଛନ୍ତି ଯେ, ସୋମବାର ସକାଳେ ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହରର ଏକ ଆବାସିକ ଅଞ୍ଚଳରେ ମାଡ଼ କରିଥିଲା ରୁଷ । ଏହି କ୍ଷେପଣାସ୍ତ୍ରଗୁଡ଼ିକ ମଧ୍ୟରୁ ଗୋଟିଏ ସ୍କୁଲ ନିକଟରେ ପଡ଼ିଥିଲା। ମେୟର ଇହୋର ତେରେଖୋଭ ଏକ ବିବୃତ୍ତିରେ କହିଛନ୍ତି ଯେ, ଗୋଟିଏ କ୍ଷେପଣାସ୍ତ୍ର ଏକ ଆପାର୍ଟମେଣ୍ଟ ନିକଟରେ ପଡ଼ିଥିଲା । ଅନ୍ୟ ଏକ ସ୍କୁଲ ନିକଟ ଏକ ରାସ୍ତାରେ ପଡ଼ିଥିଲା । ସେ ଏକ ବଡ଼ ଗର୍ତ୍ତର ଫଟୋଗ୍ରାଫ୍ ବି ଦେଖାଇଥିଲେ।