ନୂଆଦିଲ୍ଲୀ: ରବିବାର ରୁଷ ୟୁକ୍ରେନର F-୧୬ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଛି, ଯେଉଁଥିରେ ଜଣେ ୟୁକ୍ରେନୀୟ ପାଇଲଟଙ୍କର ମୃତ୍ୟୁ ହୋଇଛି। ୟୁକ୍ରେନୀୟ ସେନା କହିଛି ଯେ, ଗତ ରାତିରେ ରୁଷ ଅନେକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏହି ସମୟରେ ଏକ F-୧୬ ଲଢ଼ୁଆ ବିମାନ ରୁଷ ସେନାର ଟାର୍ଗେଟରେ ଆସି ନଷ୍ଟ ହୋଇଯାଇଥିଲା।
ଶନିବାର ରାତିରେ ରୁଷ ୫୦୦ ରୁ ଅଧିକ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରି ଏହାର ସବୁଠାରୁ ବଡ଼ ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣ ପଶ୍ଚିମ, ଦକ୍ଷିଣ ଏବଂ କେନ୍ଦ୍ରୀୟ ୟୁକ୍ରେନର ଅନେକ ଅଞ୍ଚଳକୁ ଥରାଇ ଦେଇଥିଲା। ଏହାକୁ ନେଇ ୟୁକ୍ରେନର ବାୟୁସେନା କହିଛି ଯେ,ଏହା ୪୭୭ ଡ୍ରୋନ୍ ଏବଂ ୬୦ କ୍ଷେପଣାସ୍ତ୍ରର ସମ୍ମୁଖୀନ ହୋଇଥିଲା। ଏଥିମଧ୍ୟରୁ ୨୪୯ ଡ୍ରୋନ୍ ଖସାଇ ଦିଆଯାଇଥିଲା ଏବଂ ୨୨୬ଟିକୁ ଇଲେକ୍ଟ୍ରୋନିକ୍ ଜାମିଂ ମାଧ୍ୟମରେ ନିଷ୍କ୍ରିୟ କରାଯାଇଥିଲା। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହି ଆକ୍ରମଣକୁ ରୁଷ ଦ୍ୱାରା ସବୁଠାରୁ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ୍ ଅଭିଯାନ ଭାବରେ ବିବେଚନା କରାଯାଉଛି।
ୟୁକ୍ରେନ ବାୟୁସେନା ନିଶ୍ଚିତ କରିଛି ଯେ, ଆକ୍ରମଣକୁ ରୋକିବା ପାଇଁ ଏକ F-୧୬ ଲଢ଼ୁଆ ବିମାନ ରୁଷ ସେନାର ଟାର୍ଗେଟ ପାଲଟିଥିଲା ଏବଂ ଏହାର ପାଇଲଟ୍ ସହିଦ ହୋଇଥିଲେ। ପାଇଲଟ୍ ୭ଟି ବିମାନ ଆକ୍ରମଣ କରିଥିଲେ, କିନ୍ତୁ ଶେଷ ଲକ୍ଷ୍ୟସ୍ଥଳକୁ ଆକ୍ରମଣ କରିବା ସମୟରେ ଜେଟ୍ କ୍ଷତିଗ୍ରସ୍ତ ହୋଇଥିଲା। ଏକ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇବା ପରେ, ଯୁଦ୍ଧ ବିମାନଟି ଉଚ୍ଚତାରୁ ଦ୍ରୁତ ଗତିରେ ତଳକୁ ଖସି ପଡ଼ିବାକୁ ଲାଗିଲା। ଏହି ସମୟରେ, ପାଇଲଟ୍ ବିମାନକୁ ଜନବସତି ଅଞ୍ଚଳରୁ ଦୂରକୁ ନେଇଯିବାକୁ ଚେଷ୍ଟା କରିଚାଲିଥିଲେ। ୟୁକ୍ରେନିଆନ୍ ବାୟୁସେନା ଟେଲିଗ୍ରାମରେ ଏକ ବିବୃତ୍ତି ଜାରି କରି କହିଛି ଯେ, ପାଇଲଟ୍ ତାଙ୍କର ସମସ୍ତ ବିମାନ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲେ,କିନ୍ତୁ ଶେଷ ଆକ୍ରମଣରେ ବିମାନଟି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇଥିଲା । ଆଉ ସେ ସମୟ ମଧ୍ୟରେ ବାହାରକୁ ବାହାରି ପାରିନଥିଲେ। ଏପର୍ଯ୍ୟନ୍ତ, ରୁଷିଆନ୍ ଆକ୍ରମଣରେ ତିନୋଟି ୟୁକ୍ରେନିଆନ୍ ଯୁଦ୍ଧ ବିମାନ ନଷ୍ଟ ହୋଇଛି।
ୟୁକ୍ରେନ୍ ନିକଟରେ ନେଦରଲ୍ୟାଣ୍ଡ ଏବଂ ଡେନମାର୍କ ସହାୟତାରେ F-୧୬ ଯୁଦ୍ଧ ବିମାନର ପ୍ରଥମ ବ୍ୟାଚ୍ ପାଇଛି। ଏହି ବିମାନ ଗୁଡ଼ିକ ଆମେରିକାର ତାଲିମ ଏବଂ ବୈଷୟିକ ସହଯୋଗ ଅଧୀନରେ ପରିଚାଳିତ ହେଉଛି।୨୬ ମଇ ୨୦୨୫ରେ ଭୋଲକେଲ ବାୟୁସେନା ଘାଟିରୁ ଦୁଇଟି ଶେଷ F-୧୬ ବିମାନ ମଧ୍ୟରୁ ଗୋଟିଏ ୟୁକ୍ରେନକୁ ପଠାଯାଇଥିଲା, କିନ୍ତୁ ଏବେ ଆଉ ଏକ ବିମାନ ହରାଇବା ପରେ, ୟୁକ୍ରେନର ବାୟୁ ପ୍ରତିରକ୍ଷା କ୍ଷମତା ଉପରେ ଚାପ ଆହୁରି ବୃଦ୍ଧି ପାଇଛି।