ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ୍ ମଧ୍ୟରେ ଯୁଦ୍ଧବିରତି କରାଇବା ପରେ ଏବେ ଆଉ ଏକ ଯୁଦ୍ଧ ବନ୍ଦ କରିବାକୁ ପ୍ରୟାସ କରୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ ଏବଂ ହମାସକୁ ଯୁଦ୍ଧ ବନ୍ଦ କରି ଏକ ନୂଆ ଚୁକ୍ତିନାମା ଉପରେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଅବଶିଷ୍ଟ ବନ୍ଧକଙ୍କୁ ଫେରାଇ ଆଣି ଯୁଦ୍ଧବିରତି କରିବାକୁ ସେ ଇସ୍ରାଏଲକୁ ଅପିଲ କରିଛନ୍ତି । ଟ୍ରୁଥ ସୋଶାଲରେ ଟ୍ରମ୍ପଙ୍କ ପୋଷ୍ଟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲ ଉପରେ ଟ୍ରମ୍ପ ଚାପ ପକାଉଛନ୍ତି ବୋଲି କୁହାଯାଉଛି । ତେବେ ଏହି ଯୁଦ୍ଧବିରତି ଗୋଟିଏ ସପ୍ତାହ ମଧ୍ୟରେ ହେବ ବୋଲି ମଧ୍ୟ ଟ୍ରମ୍ପ ଭବିଷ୍ୟବାଣୀ କରିଛନ୍ତି ।
ଏହା ପୂର୍ବରୁ ଅନ୍ୟ ଏକ ପୋଷ୍ଟରେ ଟ୍ରମ୍ପ, ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଚାଲିଥିବା ଅପରାଧିକ ମାମଲାକୁ ସମାଲୋଚନା କରିଛନ୍ତି । ଏହି ମାମଲା ଉଭୟ ଗାଜା ଏବଂ ଇରାନ୍ ସହ ଶାନ୍ତି ବୁଝାମଣା ଦିଗରେ ବାଧା ସୃଷ୍ଟି କରିବ ବୋଲି ସେ ଦାବି କରିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଅନୁସାରେ, ନେତାନ୍ୟାହୁଙ୍କ ସହିତ ଯାହା ଘଟୁଛି ତାହା ଭୟଙ୍କର। ଟ୍ରମ୍ପ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ 'ଯୁଦ୍ଧ ନାୟକ' ବୋଲି କହିଛନ୍ତି । ସେ ଇରାନର ପରମାଣୁ ବିପଦରୁ ମୁକ୍ତି ପାଇବାରେ ଆମେରିକା ସହିତ ଭଲ କାମ କରିଛନ୍ତି ବୋଲି କହିଛନ୍ତି ଟ୍ରମ୍ପ ।
ନେତାନ୍ୟାହୁଙ୍କ ବିରୋଧରେ ଚାଲିଥିବା ମାମଲାକୁ ରାଜନୈତିକ ପ୍ରଣୋଦିତ ବୋଲି ବର୍ଣ୍ଣନା କରିଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ନ୍ୟାୟର ଏହି ଉପହାସ ଇରାନ ଏବଂ ହମାସ ଉଭୟଙ୍କ ମଧ୍ୟରେ ଆଲୋଚନାକୁ ବାଧା ଦେବ । କିଛି ଦିନ ପୂର୍ବରୁ ଟ୍ରମ୍ପ ଗାଜାରେ ଯୁଦ୍ଧବିରତି ପାଇଁ ଦାବି କରିଥିଲେ। ଟ୍ରମ୍ପ କହିଥିଲେ ଯେ, ସେ ଯୁଦ୍ଧବିରତି ଏବଂ ବନ୍ଧକଙ୍କ ମୁକ୍ତି ପାଇଁ ଏହି ଚୁକ୍ତିକୁ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ସହିତ କଥା ହୋଇଛନ୍ତି ।
୭ ଅକ୍ଟୋବର ୨୦୨୩ ରେ, ହମାସ ହଠାତ୍ ଇସ୍ରାଏଲର ନୋଭା ଫେଷ୍ଟିଭାଲରେ ଆକ୍ରମଣ କରିଥିଲା । ଯେଉଁଥିରେ ପ୍ରାୟ ୧୨୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ, ୨୫୧ ଜଣଙ୍କୁ ବନ୍ଧକ କରି ନେଇଥିଲା ହମାସ । ଏହା ପରେ ଇସ୍ରାଏଲ ପ୍ରତିଜବାବ ଦେଇଥିଲା । ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଏବେ ବି ଜାରି ରହିଛି । ଏହି ସମୟ ମଧ୍ୟରେ ଅନେକ ବନ୍ଧକଙ୍କୁ ହମାସ ଫେରାଇଛି । କେହି କେହି ଜୀବିତ ତ ଆଉ କେହି ମୃତ ଅବସ୍ଥାରେ ସ୍ବଦେଶ ଫେରିଛନ୍ତି । ଏବେ ବି ଅନେକ ଇସ୍ରାଏଲ ନାଗରିକ ହମାସ କବଜାରେ ଅଛନ୍ତି ।