ନୂଆଦିଲ୍ଲୀ, ୧୧/୧୨: ଦେଶର ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ହାର ବଡ଼ ଆକାରରେ ବଢ଼ିଛି । ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଏଥିରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଥିବା ଅବଧିକାଳୀନ ଶ୍ରମଶକ୍ତି ସର୍ବେକ୍ଷଣ (ପିଏଲ୍ଏଫ୍ଏସ୍) ରୁ ଜଣାପଡ଼ିଛି । ଶ୍ରମଶକ୍ତିରେ ଗ୍ରାମୀଣ ମହିଳାଙ୍କ ଯୋଗଦାନ ହାର ୬୯% ବଢ଼ିଛି । ଏହା ୨୪.୬%ରୁ ୪୧.୫%ରେ ପହଞ୍ଚିଛି । ସେହିଭଳି ସହରାଞ୍ଚଳରେ ଏହା ୨୦.୪% ରୁ ବଢ଼ି ୨୫.୪% ସ୍ତରରେ ରହିଛି । ଏ କ୍ଷେତ୍ରରେ ୨୫% ଅଭିବୃଦ୍ଧି ଘଟିଛି । ସେହିଭଳି ରାଜ୍ୟ ସ୍ତରରେ ଏହାର ବଡ଼ ପାର୍ଥକ୍ୟ ରହିଛି । ଝାଡ଼ଖଣ୍ଡର ଗ୍ରାମାଞ୍ଚଳରେ ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ହାର ୨୩୩% ବୃଦ୍ଧି ହୋଇଥିବା ବେଳେ ବିହାର ୬ ଗୁଣ ଅଭିବୃଦ୍ଧି ହାସଲ କରିପାରିଛି । ଉତ୍ତରପୂର୍ବ ରାଜ୍ୟ ଗୁଡିକ ମଧ୍ୟ ଏ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛନ୍ତି । ନାଗାଲାଣ୍ଡ ୧୫.୭%ରୁ ୭୧.୧% ସ୍ତର ଛୁଇଁବାକୁ ସକ୍ଷମ ହୋଇଛି । ତେବେ ସହରାଞ୍ଚଳଗୁଡିକ ସାମଗ୍ରିକ ଭାବେ ସାମାନ୍ୟ ଅଭିବୃଦ୍ଧି କରିଛନ୍ତି ।
ସହରାଞ୍ଚଳ କଥା ବିଚାରକୁ ନେଲେ ଗୁଜରାଟରେ ଏହା ୧୬.୨%ରୁ ବଢ଼ି ୨୬.୪%, ତାମିଲନାଡୁରେ ଏହା ୨୭.୬% ରୁ ବଢ଼ି ୨୮.୮% ରହିଛି । ଶ୍ରମ ଶକ୍ତିରେ ପ୍ରାୟ ସବୁ ରାଜ୍ୟରେ ମହିଳାଙ୍କ ଯୋଗଦାନ ବଢ଼ିଛି । ଅବିବାହିତ ମହିଳାଙ୍କ ତୁଳନାରେ ଗ୍ରାମାଞ୍ଚଳରେ ବିବାହିତ ମହିଳାଙ୍କ ଯୋଗଦାନ ହାର ଆଗରେ ରହିଛି । ରାଜସ୍ଥାନ ଓ ଝାଡ଼ଖଣ୍ଡ ଭଳି ରାଜ୍ୟଗୁଡିକ ଏ କ୍ଷେତ୍ରରେ ଆଗରେ ରହିଛନ୍ତି । ଆଞ୍ଚଳିକ ଓ ଆନ୍ତଃ ରାଜ୍ୟ କଥା ବିଚାରକୁ ନେଲେ ଏ କ୍ଷେତ୍ରରେ ବଡ଼ ଭିନ୍ନତା ରହୁଛି । ପଞ୍ଜାବ ଓ ହରିଆଣାରେ ଏହି ହାର ଅପେକ୍ଷାକୃତ କମ୍ । ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ବିହାରରେ ଏହି ହାର ସବୁଠାରୁ କମ୍ ରହୁଥିବା ବେଳେ ଏବେ ଏ କ୍ଷେତ୍ରରେ ବୃଦ୍ଧି ହେଉଛି । ଏହି ରାଜ୍ୟରେ ବିଶେଷ କରି ଗ୍ରାମାଞ୍ଚଳର ବିବାହିତ ମହିଳାମାନେ ଅଧିକ ସଂଖ୍ୟାରେ ଶ୍ରମଶକ୍ତିରେ ଯୋଡ଼ି ହେଉଛନ୍ତି । ଉତ୍ତରପୂର୍ବ ରାଜ୍ୟଗୁଡିକ ମଧ୍ୟରେ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଆଗରେ ରହିଛନ୍ତି । ପଶ୍ଚିମ ଏବଂ ଦକ୍ଷିଣ ଭାଗ ରାଜ୍ୟଗୁଡିକରେ ଗ୍ରାମାଞ୍ଚଳରେ ମହିଳାଙ୍କ ଅଂଶଗ୍ରହଣ ଆଖିଦୃଶିଆ ବୃଦ୍ଧି ହୋଇଛି ।
ବିଗତ ୧୦ ବର୍ଷରେ ସରକାରଙ୍କ ମହିଳାଙ୍କ ସଶକ୍ତିକରଣ ଲାଗି ଅନେକ ଯୋଜନା ହାତକୁ ନେଇଛନ୍ତି । ଏହାର ସୁଫଳ ତୃଣମୂଳ ସ୍ତରରେ ଦେଖାଯାଇଛି ବୋଲି ପ୍ରଧାନମନ୍ତ୍ରୀଙ୍କ ଆର୍ôଥକ ପରାମର୍ଶଦାତା ପରିଷଦର ସଦସ୍ୟ ଡକ୍ଟର ଶର୍ମିଳା ରବି ଏବଂ ଦିଲ୍ଲୀ ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଗବେଷକ ମୁଦିତ କପୁରଙ୍କ ଦ୍ୱାରା କରାଯାଇଥିବା ଏକ ବିଷ୍ଳେଷଣରେ କୁହାଯାଇଛି । ଓଡ଼ିଶା କଥା ବିଚାରକୁ ନେଲେ ଗତ ୫ ବର୍ଷରେ ଏଠାରେ ଶ୍ରମ ଶକ୍ତିରେ ମହିଳାଙ୍କ ଯୋଗଦାନ ଲଗାତାର ବଢ଼ି ୨ ଗୁଣ ହୋଇଛି । ୨୦୧୭-୧୮ରେ ଏହା ୧୯.୫% ଥିବା ବେଳେ ୨୦୨୨-୨୩ରେ ୪୪.୭%କୁ ବଢ଼ିଛି । ଜାତୀୟ ସ୍ତରଠାରୁ ଓଡ଼ିଶାର ପ୍ରଦର୍ଶନ ଉନ୍ନତ ରହିଛି । ଉତ୍ତରପୂର୍ବ ରାଜ୍ୟ ସିକ୍କିମରେ ଏହା ୬୮.୬% ଥିବା ବେଳେ ନାଗାଲାଣ୍ଡରେ ୬୫.୨% ଏବଂ ମେଘାଳୟରେ ୬୦.୯% ରହିଛି । ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, ଗତ ୫ ବର୍ଷ ହେବ ଜାତୀୟ ସ୍ତରରେ ଗତ ୫ ବର୍ଷରେ ମହିଳାଙ୍କ ଶ୍ରମ ଶକ୍ତିରେ ଅଂଶଗ୍ରହଣ ବଢ଼ିଛି । ୨୦୧୭-୧୮ରେ ଏହା ୨୩.୩% ଥିବା ବେଳେ ୨୦୨୨-୨୩ରେ ୩୭% ଛୁଇଁଛି ।
୨୦୨୨-୨୩ରେ ଓଡ଼ିଶାର ଶ୍ରମ ଶକ୍ତି ଅଂଶଗ୍ରହଣ ହାର ଥିଲା ୫୬.୫% । ୨୦୧୯-୨୦ରେ ଏହା ୫୫.୩% ଥିଲା । ମହିଳାଙ୍କୁ ସମାନ ସୁବିଧା ସୁଯୋଗ ଏବଂ ସୌହାର୍ଦ୍ଧ୍ୟପୂର୍ଣ୍ଣ କାର୍ଯ୍ୟସ୍ଥଳ ସହ ସବୈତନିକ ମାତୃତ୍ୟ ଛୁଟି, ସୁବିଧାଜନକ କାର୍ଯ୍ୟ ବିଧି ଏବଂ ସମାନ ବେତନ ପ୍ରଦାନ କରିବା ଭଳି ଶ୍ରମ ଆଇନରେ ନିୟମ ରହିଛି । ମହିଳାଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଲାଗି ମହିଳା ଶିଳ୍ପ ତାଲିମ ପ୍ରତିଷ୍ଠାନ, ଜାତୀୟ ଧନ୍ଦାମୂଳକ ଶିକ୍ଷା ପ୍ରତିଷ୍ଠାନ, ଆଞ୍ଚଳିକ ଧନ୍ଦାମୂଳକ ତାଲିମ କେନ୍ଦ୍ରମାନ ସ୍ଥାପନ କରାଯାଉଛି । ଏବେ ମଧ୍ୟ କୃଷି ଓ ନିର୍ମାଣ କ୍ଷେତ୍ରରେ ଅଧିକାଂଶ ମହିଳା ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ମହିଳାଙ୍କୁ ଉନ୍ନତ ନିଯୁକ୍ତି ଓ ବେତନ ସୁବିଧା ଯୋଗାଣ ଦିଗରେ ରାଜ୍ୟ ଗୁଡିକ ଉଦ୍ୟମ କରୁଥିବା ଏହି ରିପୋର୍ଟରେ କୁହାଯାଇଛି ।