ଭୁବନେଶ୍ୱର,୯/୦୬: ଏଣିକି ଗୋଟିଏ ମୋବାଇଲ୍ ଆପ୍ରେ ସମସ୍ତ ରାଜସ୍ୱ ସେବା ମିଳିବ । ଘରେ ବସି ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା ଲୋକେ ପାଇବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ଏହି ଆପ୍ ପ୍ରସ୍ତୁତ ହୋଇସାରିଛି । ଖୁବ୍ଶୀଘ୍ର ଆପ୍ ଉନ୍ମୋଚନ ହେବାକୁ ଯାଉଛି । ଏହି ଆପ୍ ଦ୍ୱାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ । ଛୋଟ ଛୋଟ କାମ ପାଇଁ ରାଜସ୍ୱ ବିଭାଗ କିମ୍ବା କାର୍ଯ୍ୟାଳୟକୁ ଲୋକଙ୍କୁ ଦୌଡ଼ିବାକୁ ପଡ଼ିବନି । ଏଥିରେ ବିଭିନ୍ନ ପ୍ରକାର ସେବା ପାଇଁ ଆବେଦନ ହୋଇପାରିବ । ବିଭିନ୍ନ କାଗଜପତ୍ର ଆଦି ଅନ୍ଲାଇନ୍ରେ ଡାଉନ୍ଲୋଡ୍ କରିହେବ ବୋଲି ସେ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ପୂର୍ବରୁ ଲୋକମାନେ ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ପାଇଁ ତହସିଲ ଅଫିସକୁ ଯାଉଥିଲେ । ତହସିଲଦାରଙ୍କ ପାଖରେ ଘଣ୍ଟା ଘଣ୍ଟା ଛିଡ଼ା ହେଉଥିଲେ । ଆପ୍ ଆସିବା ପରେ ଲୋକଙ୍କୁ ଆଉ ତହସିଲ ଅଫିସକୁ ଯିବାକୁ ପଡ଼ିବ ନାହିଁ । ଘରେ ବସି ମୋବାଇଲରେ ବିଭିନ୍ନ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ମୋବାଇଲରେ କେଉଁ ବ୍ୟକ୍ତି, କେଉଁ ସମୟ, କେଉଁଠାରୁ ଓ କେଉଁ ଯୋଜନା ପାଇଁ ଆବେଦନ କରୁଛନ୍ତି, ଏ ସମସ୍ତ ତଥ୍ୟ ପଞ୍ଜିକୃତ ହୋଇ ରହିବ । କେଉଁ ପ୍ରମାଣପତ୍ର କେତେ ସମୟରେ ମିଳିବ, ସେଥିପାଇଁ ସମୟ ଧାର୍ଯ୍ୟ ହେବ । ନିର୍ଦ୍ଦିଷ୍ଟ ସମୟରେ ପ୍ରମାଣପତ୍ର ମିଳିଲେ ରାଜସ୍ୱ ବିଭାଗକୁ ସୂଚନା ଆସିଯିବ । କେଉଁ ତହସିଲଦାରଙ୍କ ଦ୍ୱାରା କେଉଁ ତହସିଲରେ ଏହି ସେବା ଠିକ ସମୟରେ ମିଳିଲା ନାହିଁ, ଉପଭୋକ୍ତା ମାଗିଥିବା ସେବା ପାଇବା ପ୍ରକ୍ରିୟା ଶେଷ ହେବା ପରେ ଏ ବାବଦରେ ତହସିଲଦାର ଆପରେ ଅପଲୋଡ଼ କରିବେ । ଏହି ତଥ୍ୟ ଆବେଦନକାରୀ ଘରେ ବସି ଡାଉନଲୋଡ୍ କରିପାରିବେ । ପ୍ରମାଣପତ୍ରକୁ ବ୍ୟବହାର କରିପାରିବେ । ସାଧାରଣ ଲୋକ ଓ ରାଜସ୍ୱ ସେବା ମଧ୍ୟରେ ଥିବା ବାଧକ ଦୂର ହେବ । ରାଜସ୍ୱ ସେବା ପାଇଁ ଆଉ ସରକାରୀ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ରାଜସ୍ୱ ସେବା ହୋମ ଡେଲିଭରୀ କରିବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।