ମୁମ୍ବାଇ ୩୦/୧୦: ଚଳିତ ମାସ ୯ ତାରିଖରେ ୮୬ ବର୍ଷୀୟ ବିଜ୍ନେସ ଟାଇକୁନ୍ ରତନ ଟାଟାଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗରେ ସାରା ଦେଶ ଶୋକରେ ବୁଡ଼ିଥିଲା । କିଛି ସେଲିବ୍ରିଟି ସେମାନଙ୍କ ଦୁଃଖ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏହି କ୍ରମରେ ‘କୌନ୍ ବନେଗା କରୋଡ଼ପତି’ର ସଦ୍ୟତମ ଏପିସୋଡ୍ରେ ରତନ ଟାଟାଙ୍କ ସହିତ ନିଜର ସ୍ମୃତି ଉଜାଗର କରିଛନ୍ତି ବିଗ୍ ବି ।
ଏହି ଏପିସୋଡ୍ରେ ଫରାହ ଖାନ୍ ଓ ବୋମନ ଇରାନି ନଜର ଆସିଥିଲେ । ରତନ ଟାଟାଙ୍କ ବିଷୟରେ ବର୍ଣ୍ଣନା କରି ଅମିତାଭ କହିଲେ ‘କ୍ୟା ଆଦ୍ମୀ ଥେ ମେଁ ବତା ନହିଁ ସକ୍ତା । ଜଣେ ଅତ୍ୟନ୍ତ ସରଳ ମଣିଷ ।’ ଉଭୟଙ୍କ ସାକ୍ଷାତ କଥା ମନେପକାଇ ଅମିତାଭ କହିଲେ ‘ଥରେ ଗୋଟିଏ ବିମାନରେ ଆମ ଦୁହିଁଙ୍କର ଭେଟ ହୋଇଥିଲା । ଆମେ ହିଥ୍ରୋ ବିମାନବନ୍ଦରରେ ଓହ୍ଲାଇଲୁ । ଯେଉଁମାନେ ତାଙ୍କୁ ନେବାକୁ ଆସିଥିଲେ, ସେତେବେଳକୁ ବୋଧହୁଏ ସେମାନେ ଚାଲିଯାଇଥିଲେ । ମୁଁ ଦେଖିଲି, ରତନ ଟାଟା ସେଠାରେ ଠିଆ ହୋଇଥିଲେ । ଫୋନ୍ କରିବାକୁ ସେ ଏକ ଫୋନ୍ ବୁଥ୍କୁ ଗଲେ । କିଛି ସମୟ ପରେ ମୋ ପାଖକୁ ଆସିଲେ ଏବଂ ପଚାରିଲେ ‘ଅମିତାଭ, ମୁଁ ତୁମଠୁ କିଛି ଟଙ୍କା ଉଧାର ନେଇପାରିବି? ଫୋନ୍ କଲ୍ କରିବାକୁ ମୋ ପାଖରେ ଟଙ୍କା ନାହିଁ ।’ ମଜା କଥା ହେଉଛି, ବିଗ୍ ବି ଓ ରତନଙ୍କର ପ୍ରଥମ ଭେଟ ମଧ୍ୟ ଏକ ବିମାନରେ ହୋଇଥିଲା । ସେତେବେଳେ ରତନ ତାଙ୍କୁ ଚିହ୍ନି ପାରିନଥିଲେ । ରତନଙ୍କ ସ୍ୱଭାବ ତାଙ୍କୁ ନମ୍ର ହେବା ଶିଖାଇଥିଲା ବୋଲି ଅମିତାଭ ଥରେ କହିଥିଲେ । ରତନଙ୍କ ଦେହାନ୍ତରେ ମର୍ମାହତ ବିଗ୍ ବି ତାଙ୍କ ଉଦ୍ଦେଶ୍ୟରେ ଏକ ଭାବପ୍ରବଣ ବାର୍ତ୍ତା ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ରେ ଶେୟାର କରିଥିଲେ ।