ଭୁବନେଶ୍ୱର, ୨୫।୧୨: ବର୍ଷକର ଆହାର ଛଡ଼ାଇ ନେଇଛି ଅଦିନିଆ ବର୍ଷା । ଚାଷୀଭାଇମାନେ ବହୁ ପରିଶ୍ରମ କରି ଧାନ ଚାଷ କରି କାଟିବାକୁ ଯାଉଥିବା ସମୟରେ ବାରମ୍ବାର ଅଦିନିଆ ବର୍ଷା ହେବାରୁ ସେମାନଙ୍କ ସାରା ବର୍ଷର ଫସଲ ଧୋଇଗଲା । ତେଣେ ଧାନମଣ୍ଡିରେ ପାଣି ପଶିଯାଇ ଥିବାରୁ ଚାଷୀମାନେ ଉପଯୁକ୍ତ ଦରରେ ବିକିବା ଅନିଶ୍ଚିତ ହୋଇସାରିଛି । ଏକକାଳୀନ ଲଘୁଚାପ ଜନିତ ବର୍ଷାପାଣି ଜମିରେ ଲହଡ଼ି ଭାଙ୍ଗିବାରୁ ଚାଷୀମାନଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି । ଛତିଶିରୁ ଚାଳିଶି ଘଣ୍ଟା ବିଲରେ ବତୁରି ଯାଇଥିବା ପାଚିଲା ଧାନ ଆଉ ଆଦାୟ ହେବାର ଆଶା ନାହିଁ । ଅଧିକାଂଶ ଜିଲ୍ଲାରେ ବାରମ୍ବାର ଏଭଳି ହେଉଥିବାରୁ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ପୁଣି ପାଣିପାଗ ବିଜ୍ଞାନ ବିଭାଗ କହିଲାଣି ଯେ, ୫ଟି ଜିଲ୍ଲାରେ ଭାରୀ ବର୍ଷା ହେବ । ଚାଷୀମାନେ ପାଚିଲା କଳେଇରୁ ଯେତିକି ଧାନ ପାଉଛନ୍ତି, ସେଥିରୁ ଅଧିକାଂଶ ବିଲରେ ଝଡ଼ିଯାଉଛି । ଖାଲି କେରା କେରା ପାଳ ବିଲରୁ ଛଣାଯାଉଛି । ବର୍ଷକର ଉଜୁଡ଼ା ଫସଲ ଦେଖି ହାହାକାର କରିବା ଛଡ଼ା ଚାଷୀଙ୍କୁ ଅନ୍ୟ କିଛି ବାଟ ଦିଶୁନାହିଁ ।
କୃଷିପ୍ରଧାନ ଦେଶ ବୋଲି ଯେତେ କୁହାଯାଉଥିଲେ ସୁଦ୍ଧା ବାରମ୍ବାର ପ୍ରକୃତି ଯେଭଳି ଦାଉ ସାଧିବାରେ ଲାଗିଛି, ସେଥିପାଇଁ କାହାରି ପାଖରେ ଉପାୟ ନାହିଁ । କେବଳ ଧାନଚାଷୀମାନେ ଭୀଷଣ ଭାବେ ପ୍ରଭାବିତ ହୋଇଛନ୍ତି, ତାହା ନୁହେଁ । ପନିପରିବା ଚାଷ କରି ଦି' ପଇସା ପାଇବାକୁ ଚାହିଁ ବସିଥିବା ଚାଷୀମାନେ କ୍ଷତି ଭୋଗିବାରେ ଲାଗିଛନ୍ତି । ଏମିତିରେ ସବୁ ପରିବା ଦର ଆକାଶଛୁଆଁ ରହିଛି । ଅଦିନିଆ ବର୍ଷା ପାଇଁ ସେମାନଙ୍କ ସଂସାର ଉଜୁଡ଼ି ଯାଇଛି । ରବି ଫସଲ କରି ଚାଷୀମାନେ ଯେମିତି ଭଲ ଆୟ କରିବା ପାଇଁ ଆଶା ବାନ୍ଧିଥିଲେ, ସେଥିରେ ଭାରୀ ବର୍ଷା ବଡ଼ ବାଧକ ହୋଇଛି । ଉଭୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଲଘୁଚାପ ବର୍ଷା ବ୍ୟାପକ କ୍ଷତି କରିସାରିଛି । ସରକାର ଏହା ଭିତରେ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ପ୍ରସ୍ତୁତ କରିସାରିଛନ୍ତି । ତାହା ଉପରେ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନେ ଯେଉଁ ରିପୋର୍ଟ ଦେଉଛନ୍ତି, ସେଥିରେ କ୍ଷେତ୍ର ବିଶେଷରେ ବିଭିନ୍ନତା ଦେଖାଯାଉଛି । ସବୁ ରିପୋର୍ଟକୁ ଏକାଠି କରି ରାଜସ୍ୱ କର୍ମଚାରୀମାନେ କିଭଳି ଚାଷୀମାନଙ୍କୁ ସହାୟତା ଯୋଗାଇଦେବେ, ତାହା ବିଭାଗ ପାଇଁ ନିଶ୍ଚିତ ଆହ୍ୱାନ ସୃଷ୍ଟି କରିବ । ରାଜ୍ୟପାଇଁ ଭାତହାଣ୍ଡି କୁହାଯାଉଥିବା ପଶ୍ଚିମ ତଥା ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷତି ହୋଇଥିବାରୁ ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ କେମିତି ଦୁଃସ୍ଥିତି ସମ୍ଭାଳୁଛନ୍ତି ତାହା ଦେଖିବାର କଥା । ଚଳିତ ବର୍ଷ ଠିକଣା ସମୟରେ ବର୍ଷା ହେଲାନାହିଁ । ଅଥଚ ଅଦିନରେ ଭାରୀ ବର୍ଷା ଅଜାଡ଼ିଦେଲା । ସେଥିପାଇଁ ଚାଷୀମାନଙ୍କର ଦୁର୍ଭୋଗ ବଢ଼ିଗଲା । ସରକାର ଏହା ଭିତରେ ସର୍ବନିମ୍ନ କ୍ରୟମୂଲ୍ୟ ୩୧୦୦ ଟଙ୍କା ଘୋଷଣା କରିଛନ୍ତି । ତାହା ଭିତରେ କଟ୍ନି ଛଟ୍ନି ହେବନାହିଁ ବୋଲି କୁହାଗଲା, ମାତ୍ର ତାହା ବାସ୍ତବରେ ପାଳନ କରାଗଲାନାହିଁ । ପରିଚାଳନାରେ ତ୍ରୁଟି ରହିବା ଏବଂ ପ୍ରତିଶ୍ରୁତି ପାଳନରେ ସମସ୍ୟା ଧାନ ସଂଗ୍ରହରେ ବଡ଼ ବାଧକ ହୋଇ ଦେଖାଦେଲା ବୋଲି ଚାଷୀମହଲ ଅଭିଯୋଗ କରୁଛନ୍ତି ।
ଅଦିନିଆ ବର୍ଷା ସାଙ୍ଗକୁ କୋହଲା ପାଗ ଓ ଘନକୁହୁଡ଼ି ସମସ୍ୟାକୁ ଅଧିକ ଉତ୍କଟ କରିଦେଲା । ବର୍ଷ ପରେ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଆମ ରାଜ୍ୟ ପାଇଁ ଅଭିଶାପ ଭଳି ଆସୁଛି । ୧୯୯୯ର ମହାବାତ୍ୟା ଯେଉଁ କ୍ଷତ ଛାଡ଼ିଯାଇଛି, ତାହାକୁ କେହି ଭୁଲିପାରି ନାହାନ୍ତି । ଏମିତି କୌଣସି ବର୍ଷ ଯାଇନାହିଁ, କୌଣସି ନା କୌଣସି ପ୍ରାକୃତିକ ବିପତ୍ତି ନଆସିଛି । ଫନି, ହୁଡ୍ହୁଡ୍, ତିତ୍ଲି ହେଉ କି' ସର୍ବଶେଷ ଦାନା ହେଉ, ଧନ ଜୀବନ ହାନି ପାଇଁ ପ୍ରମୁଖ କାରଣ ସାଜିଛି । "ଦାନା' ପାଇଁ ଯଦିଓ ଜୀବନ ହାନି ହେଇନାହିଁ, ଉତ୍ତର ବାଲେଶ୍ୱରରେ ଆଣିଦେଇଥିଲା ବନ୍ୟା । ପୂର୍ବ ସରକାରଙ୍କର ଆଶ୍ରୟସ୍ଥଳ ନିର୍ମାଣ ଏବଂ ଆନୁଷଙ୍ଗିକ ପୂର୍ବ ପ୍ରସ୍ତୁତି କିଭଳି ସହାୟକ ହୋଇଥିଲା, ତାହା ଅଧିକ କ୍ଷତି ନହେବାରୁ ବଞ୍ଚାଇ ଦେଇଛି ଓଡ଼ିଶାକୁ । ଦକ୍ଷିଣ-ପଶ୍ଚିମ ବର୍ଷା ବିଭିନ୍ନ ସମୟରେ ଆମ ଉପରେ ଦାଉ ସାଧୁଛି । ଉପକୂଳ ଓଡ଼ିଶାରେ ସାମୁଦ୍ରିକ ଝଡ଼ ବେଳେବେଳେ ବିପର୍ଯ୍ୟୟ ଆଣିଦେଉଛି । ମୁଗ, ବିରି ଭଳି ରବି ଫସଲ ନଷ୍ଟ ହେଉଛି । ପରିବାପତ୍ର ଚାଷୀମାନେ ଶାଗ ମାଛ ଦରରେ ଅଗତ୍ୟା ବିକ୍ରି କରିଦେବାକୁ ବାଧ୍ୟ ହେଉଛନ୍ତି । ସରକାର ଏହା ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରି । ଆଳୁ, ପିଆଜ ଭଳି ଅନ୍ୟ ସବୁ ପନିପରିବା ରଖିବା ପାଇଁ ଶୀତଳ ଭଣ୍ଡାର ଯୋଜନା କରୁଛନ୍ତି । ତାହା ଶୀଘ୍ରାତିଶୀଘ୍ର ହେବା ଯେମିତି ଜରୁରି, ବିପଣନ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯିବା ମଧ୍ୟ ଆବଶ୍ୟକ । ଏହାଦ୍ୱାରା ଫସଲ ଫଳାଉଥିବା ଚାଷୀ ଉପକୃତ ହେବ, ଖାଉଟିମାନେ ମଧ୍ୟ ଉପଯୁକ୍ତ ମୂଲ୍ୟରେ ପାଇପାରିବେ । ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ଖାଉଟି ପାଇଁ ଚାଉଳ, ଅଟା, ଖାଇବା ତେଲ କେଉଁଭଳି ହେଲାଣି, ତାହା କାହାକୁ ବେମାଲୁମ୍ ନାହିଁ । ମହଙ୍ଗା ମୂଲ୍ୟରେ ଜିନିଷ କିଣିବା ଅଭ୍ୟାସ କାଳେ ବଢ଼ାଇବା ସରକାରଙ୍କ ଇଚ୍ଛା ବୋଲି କହିବାକୁ ଲୋକଙ୍କର ଅଭାବ ନାହିଁ । ଏହାର କିଛି ବାସ୍ତବତା ସମ୍ମତ ରାସ୍ତା ବାହାର କରାଯିବା ଅତ୍ୟନ୍ତ ଜରୁରି ।