ପୁରୀ, ୦୫/୦୬: ଭିଜିଲାନ୍ସ ଜାଲରେ ସେକ୍ସନ ଅଫିସର । ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ପୁରୀ ସ୍ବଡିଭିଜିଓଆଲ ଭେଟେନାରୀ କାର୍ଯ୍ୟାଳୟ (ଏସଡିଭଓ)ର ସେକ୍ସନ ଅଫିସର ମନୋଜ ମହାନ୍ତି । ସେ ଜଣେ କର୍ମଚାରୀଙ୍କ ଠାରୁ ୬ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ବାନ୍ଧିଛି । ସେ ଏହି ଲାଞ୍ଚ ଟଙ୍କା ଅଫିସ୍ର ଜଣେ କର୍ମଚାରୀ ଓ ଅନ୍ୟ ୩ଜଣଙ୍କ ପାଇଁ ଇଲେକ୍ଟ୍ରିକ ଭେଇକଲ (ଇଭି) ଅଗ୍ରୀମ ପ୍ରକ୍ରିୟାକରଣ କରିବା ନିମନ୍ତେ ଦାବି କରିଥିଲେ ।
ସୂଚନା ଅନୁଯାୟୀ, ସରକା କର୍ମଚାରୀଙ୍କ ଇଲେକ୍ଟ୍ରିକ ଭେଇକଲ ପାଇଁ ଆବଶ୍ୟକ ରାଶି ପୂର୍ବରୁ ମଞ୍ଜୁର କରିଥିଲେ । ହେଲେ, ଅଭିଯୁକ୍ତ ସେକ୍ସନ ଅଫିସର ମନୋଜ ମହାନ୍ତି ଏହି ରାଶି ଉଠାଇବା ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରୁଥିଲେ ଏବଂ ୬ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। କର୍ମଚାରୀ ଜଣଙ୍କ କୌଣସି ଉପାୟ ନପାଇ ଏହି ଘଟଣା ଭିଜିଲାନ୍ସକୁ ଜଣାଇଥିଲେ। ଏହାପରେ ଦୁର୍ନୀତି ନିବାରଣ ଶାଖାର ଅଧିକାରୀମାନେ ମନୋଜ ମହାନ୍ତି ଲାଞ୍ଚ ନେଉଥିବା ବେଳେ ଧରିଥିଲେ।
ସମସ୍ତ ଲାଞ୍ଚ ଟଙ୍କା ଅଭିଯୁକ୍ତଙ୍କ ଠାରୁ ଜବତ କରାଯାଇଛି । ଏହାସହିତ ସେକ୍ସନ ଅଫିସର ମନୋଜ ମହାନ୍ତିଙ୍କ ଦୁଇଟି ସ୍ଥାନରେ ଆୟାବହିର୍ଭୁତ୍ତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ଟିମ୍ ଏକକାଳୀନ ତଦନ୍ତ କରୁଛି । ଏ ସମ୍ପର୍କରେ ଭୁବନେଶ୍ୱର ଭିଜିଲାନ୍ସ ପିଏସ ମାମଲା ନଂ. ୧୦/୨୦୨୫, ପିସି (ସଂଶୋଧନ) ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ଅଭିଯୁକ୍ତ ମନୋଜ ମହାନ୍ତିଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି ।