ବଲାଙ୍ଗିର,୧୮/୧୧: ବଲାଙ୍ଗିର-ବରଗଡ଼ ଜିଲ୍ଲା ସୀମାନ୍ତ ଗନ୍ଧମାର୍ଦ୍ଦନ ପାହଡ଼ର ପାଦଦେଶରେ ଆଦାନୀ ଗ୍ରୁପ ଜମି କିଣିଛି । ଗୁଜରାଟର ଅହମଦାବାଦସ୍ଥିତ ଆଦାନୀ କର୍ପୋରେଟ୍ ହାଉସ ପକ୍ଷରୁ ‘ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ ଲିମିଟେଡ଼’ ନାଁରେ ସେଠି ଜମି କିଣାଯାଇଛି । ଗତ ଦୁଇଦିନ ହେଲା ପାହାଡ଼ ପାଦଦେଶରେ ଥିବା ଖପ୍ରାଖୋଲ ତହସିଲ ଅନ୍ତର୍ଗତ ଭରୁଆମୁଣ୍ଡା ମୌଜାର ୧୮.୩୯ ଏକର ଜମି କମ୍ପାନି ନାଁରେ ପଞ୍ଜିକୃତ ଆରଓଆର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଗନ୍ଧମାର୍ଦ୍ଦନ ପାହାଡ଼ରେ ପ୍ରଚୁର ପରିମାଣର ବକ୍ସାଇଟ ରହିଛି ଏବଂ ପୂର୍ବରୁ ଥରେ ଏହାକୁ ଉତ୍ତୋଳନ କରିବାକୁ ଆସି ବାଲକୋ(ଭାରତ ଆଲୁମିନିଅମ କମ୍ପାନି) ବିଫଳ ହୋଇ ଫେରିଯାଇଛି । ତେଣୁ ଆଦାନୀ ଗ୍ରୁପର ଜମିକିଣା ତଥ୍ୟ ସାମ୍ନାକୁ ଆସିବା ପରେ ପୁଣିଥରେ ବକ୍ସାଇଟ ଖନନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଧିବାସୀ, ପରିବେଶ କର୍ମୀ, ପ୍ରକୃତିପ୍ରେମୀ ଏବଂ ବୁଦ୍ଧିଜୀବୀଙ୍କ ପକ୍ଷରୁ ଜମିକିଣାର ଅସଲ ଉଦ୍ଦେଶ୍ୟ କଣ ବୋଲି ଚର୍ଚ୍ଚା ଆରମ୍ଭ କରିଛନ୍ତି । ଗନ୍ଧମାର୍ଦ୍ଦନ ସଂଲଗ୍ନ ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି ।
ଗତ ସେପ୍ଟେମ୍ବର ୭ତାରିଖରେ ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ବା ଆଦାନୀ କର୍ପାରେଟ୍ ହାଉସ, ଅହମଦାବାଦ୍, ଗୁଜରାଟ ପକ୍ଷରୁ ଭରୁଆମୁଣ୍ଡା ମୌଜାରେ ୧୮.୩୯ ଏକର ଜମି କିଣାଯାଇଛି । ଏହି ଜମିର ସ୍ୱତ୍ତ୍ୱ ‘ରୟତି’ ରହିଛି । ଜମି କିଣାବିକା ବାବଦରେ ୪ଟି ଦାଖଲ ଖାରଜ ମାମଲା ହୋଇଛି । ଯେଉଁଥିରେ ସମୁଦାୟ ୨୪ଟି ପ୍ଲଟ(୧୦ଟି ବାହାଲ ମାମୁଲି, ୧୦ଟି ଆଟ ମାମୁଲି, ୨ଟି ମାଲ ମାମୁଲି, ଗୋଟିଏ ବେର୍ଣ୍ଣା ଏବଂ କ୍ଷେତ ଆଡି) ରହିଛି । କେବଳ ୧୮ ଏକର ନୁହେଁ ସେହି ଅଞ୍ଚଳରେ ବିଭିନ୍ନ ନାଁରେ ଆହୁରି ଜମି କିଣାଯାଇଥିବା ଚର୍ଚ୍ଚା ହେଉଛି ।
ଅପରପକ୍ଷେ, କେବଳ ଖଣି ଖନନକୁ ସୁହାଇବାଭଳି ନିକଟରେ ବରଗଡ଼-ନୂଆପଡା ରେଳଲାଇନକୁ ସବୁଜ ସଙ୍କେତ ଦିଆଯିବା ସହ ପାଟଣାଗଡ଼ରେ ଏୟାରଷ୍ଟ୍ରିପ କରିବାକୁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି । ଏହି ପ୍ରସଙ୍ଗ ନେଇ ସୋସିଆଲ ମିଡିଆରେ ଦୋଷ ଲଦାଲଦି ଚାଲିଥିବା ବେଳେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ସମେତ ବିଭିନ୍ନ ସଂଗଠନ ପୁଣିଥରେ ସକ୍ରିୟ ହୋଇ ଉଠିଛନ୍ତି । ଅପରପକ୍ଷେ ବନ ବିଭାଗର ଚିଠି ନମ୍ବର ୮୫୨୬/୧୮ା୧୦ା୨୦୨୪ ଅନୁଯାୟୀ ସଂପୃକ୍ତ କମ୍ପାନି ମହାନଦୀ ମାଇନ୍ସ ଆଣ୍ଡ ମିନେରାଲ ପ୍ରାଇଭେଟ ଲିମିଟେଡକୁ ପ୍ରତିପୂରକ ବନୀକରଣ ପାଇଁ ହରିଶଙ୍କର ରେଞ୍ଜ ଅଞ୍ଚଳରେ ଅନୁମତି ଦିଆଯାଇଛି । ସେଥିପାଇଁ କମ୍ପାନି ସେଠି ଗଛ ଲଗାଇବାକୁ ଜମି ନେଉଛି । ସଂପୃକ୍ତ କମ୍ପାନି ଏନେଇ ହରିଶଙ୍କର ରେଞ୍ଜରଙ୍କୁ ଗତ ଅକ୍ଟୋବର ୧ତାରିଖରେ ଚିଠି ନମ୍ବର ୭୮୯କ୍ରମେ ଅନୁମତି ଲୋଡିଥିଲା । ବନବିଭାଗ ପକ୍ଷରୁ ଏହି କମ୍ପାନିର ସୁନ୍ଦରଗଡ଼ରେ ପ୍ରସ୍ତାବିତ ବିଝନ କୋଲ ମାଇନ୍ସ ପ୍ରୋଜେକ୍ଟ ପାଇଁ ଜଙ୍ଗଲ ଜମିର ଭରଣ କରିବାକୁ ଖପ୍ରାଖୋଲ ତହସିଲର ଭରୁଆମୁଣ୍ଡା ଏବଂ ବରତିଆ ମୌଜାରେ ଅନୁମତି ଦେଇଥିବା କୁହାଯାଇଛି ।
ପ୍ରକାଶ ଯେ, ଗନ୍ଧମାର୍ଦ୍ଦନ ପାହାଡ଼ର ବଲାଙ୍ଗିର ପଟେ ହରି-ଶଙ୍କର ଏବଂ ବରଗଡ଼ ପଟେ ନୃସିଂହନାଥ ପୂଜା ପାଉଛନ୍ତି । ବୈଶାଖ ମାସରେ ଉଭୟ ହରିଶଙ୍କର ଏବଂ ନୃସିଂହନାଥ ପୀଠରେ ବୈଶାଖୀ ମେଳାର ଆୟୋଜନ ହୋଇଥାଏ । ଯେଉଁଥିରେ ଓଡିଶା ସମେତ ପଡୋଶୀ ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧପ୍ରଦେଶରୁ ଶ୍ରଦ୍ଧାଳୁ ଆସିଥାନ୍ତି । ଏହି ପାହାଡ଼ରେ ଅନେକ ବିଲୁପ୍ତପ୍ରାୟ ଉଦ୍ଭିଦ, ଗୁଳ୍ମ, ସରୀସୃପ ଆଦି ରହିଛନ୍ତି । ଏପରିକି ବିଗତ ୨୦୨୩ ମସିହାରେ ହରିଶଙ୍କରକୁ ‘ବାୟୋଡାଇଭର୍ସିଟି ହେରିଟେଜ ସାଇଟ’ ଘୋଷଣା କରାଯାଇଥିଲା । ଅପରପକ୍ଷେ ୩ଦଶନ୍ଧି ପୂର୍ବରୁ ବାଲକୋ ଗନ୍ଧମାର୍ଦ୍ଦନରେ ଖଣି ଖନନ ଉଦ୍ୟମ କରିବାରୁ ତାହାକୁ ବିରୋଧ କରି ଉଭୟ ଜିଲ୍ଲାରୁ ହଜାରହଜାର ଆଦିବାସୀ, ସ୍ଥାନୀୟ ଅଧିବାସୀ ମିଶି ‘ବାଲକୋ ହଟାଓ ଆନ୍ଦୋଳନ’ କରିଥିଲେ । ୧୯୮୩ରୁ ୧୧୯୧ ମସିହା ପର୍ଯ୍ୟନ୍ତ ଚାଲିଥିବା ଆନ୍ଦୋଳନରେ ତତ୍କାଳୀନ ସରକାର ଖଣି ଖନନ ପାଇଁ ଅନୁମତି ଦେଇଥିଲେ ହେଁ ଆନ୍ଦୋଳନ ଆଗରେ ଶେଷରେ ମୁଣ୍ଡ ନୁଆଇଥିଲା ଏବଂ ବାଲକୋ ଫେରିଯାଇଥିଲା । ତେବେ ଆଦାନୀ ଗ୍ରୁପ ଜମି କିଣିବା ପରେ ସେହି ପ୍ରସଙ୍ଗ ପୁଣିଥରେ ଉଦ୍ଜୀବିତ ହୋଇଛି।