ପ୍ରମୂଖ ଖବର
  • ଝାଡ଼ଖଣ୍ଡରେ ଏନ୍‌କାଉଣ୍ଟର, ସୁରକ୍ଷାବାହିନୀ ଗୁଳିରେ ଟଳିଲେ ୩ ନକ୍ସଲ, ସର୍ଚ୍ଚ ଅପରେସନ୍ ଜାରି
  • ||
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଦୂର ହେଲା ପାଣି ସମସ୍ୟା, ଏଣିକି ଗାଁକୁ ମିଳିବେ ବୋହୂ : ‘ପ୍ରମେୟ’କୁ ଶ୍ରେୟ ଦେଲେ ଗ୍ରାମବାସୀ

Published By : Prameya | July 25, 2025 1:09 PM

ନବରଙ୍ଗପୁର/ମୈଦଲପୁର,୨୫/୦୭:  ‘ଏଣିକି ଆଉ ଗାଁର ଯୁବକମାନେ ଅଭିଆଡ଼ା ରହିବେ ନାହିଁ । ସେମାନଙ୍କୁ ଠିକଣା ସମୟରେ ମିଳିଯିବେ କନିଆଁ ।  ଗାଁକୁ ବୋହୂ ମିଳିବାରେ ଆଉ ସମସ୍ୟା ହେବନି । ଦଶନ୍ଧି  ଦଶନ୍ଧି ଧରି ଲାଗି ରହିଥିବା ସମସ୍ୟା ଟଳିଯାଇଛି ।  ମେଗା ପ୍ରକଳ୍ପରେ ମିଳିଛି ପାଇପ୍‌ ପାଣି । ଘର ଘରକୁ ସଂଯୋଗ ଦିଆଯାଇଛି । ଏଥିଲାଗି ସବୁ ଶ୍ରେୟର ହକ୍‌ଦାର କେବଳ ‘ପ୍ରମେୟ’ ।’ ଆନନ୍ଦରେ ବିଭୋର୍‌ ହୋଇ ଏହା  କହିଛନ୍ତି ପାପଡ଼ାହାଣ୍ଡି ବ୍ଲକ ସାନବାର୍ଲି ପଞ୍ଚାୟତ ବଡ଼ବାର୍ଲି  ଗ୍ରାମବାସୀ । ଉପରକୁ ହାତ ଟେକି କୃତଜ୍ଞତା ଜଣାଇଛନ୍ତି ।

ଗାଁରେ ନ ଥିଲା ପାଣି ସୁବିଧା । ଦୂରରେ ଥିବା  ଦୂଷିତ ଝରଣା ପାଣିରେ ମେଣ୍ଟୁଥିଲା ଲୋକଙ୍କ  ଶୋଷ । ଏଥିଲାଗି ଗାଁରେ କନିଆଁ ଦେବାକୁ କେହି  ରାଜି ହେଉ ନ ଥିଲେ । ବନ୍ଧୁ ବାନ୍ଧିବାକୁ ମୁହଁ ଫେରାଇ  ନେଉଥିଲେ । ଏହି କାରଣରୁ ଗାଁର ପ୍ରାୟ ୪୦ ଯୁବକ  ଅବିବାହିତ ହୋଇ ରହିଥିଲେ । ଏହା ଜାଣିବା ପରେ  ଆମେ ପହଞ୍ଚିଥିଲୁ ଗାଁରେ । ଗ୍ରାଉଣ୍ଡ୍‌ ଜିରୋରୁ ସଂଗ୍ରହ  କରିଥିଲୁ ଟିକିନିଖି ତଥ୍ୟ । ସେସବୁକୁ ଆଧାର କରି ଗତ ଏପ୍ରିଲ୍‌ ୮ ତାରିଖରେ ପ୍ରକାଶ କରିଥିଲୁ ଏକ  ସ୍ୱତନ୍ତ୍ର ଖବର । ଯାହାର ଶୀର୍ଷକ ଥିଲା ‘ପାଣି ନାହିଁ,  ଗାଁକୁ ମିଳୁନାହାନ୍ତି ବୋହୂ’ । ଏହି ଖବର ପ୍ରକାଶ  ପାଇବା ପରେ ଗମ୍ଭୀରତାକୁ ଆଖିରେ ରଖି ତତ୍ପରତା  ଦେଖାଇଥିଲା ଜିଲ୍ଲା ପ୍ରଶାସନ । 

ଗତ ଜୁନ୍‌ ସୁଦ୍ଧା ଗାଁରେ  ପାଣି ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇଥିଲେ ଜିଲ୍ଲା ଗ୍ରାମ୍ୟ  ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ ପ୍ରତୀକ କୁମାର ରାଉତ । ମାତ୍ର କେଇଦିନ ବିଳମ୍ବ ଅର୍ଥାତ୍‌ ଜୁଲାଇରେ ପହଞ୍ଚିଛି  ପାଇପ୍‌ ପାଣି । ମୈଦଲପୁରରୁ ୧୭ କିମି ଦୂରରେ ଥିବା  ପାହାଡ଼ ଉପର ଏହି ଗାଁକୁ ପାଇପ୍‌ ଲାଇନ୍‌ ବିଛାଯାଇଛି ।  ୧ ଲକ୍ଷ ୪୦ ହଜାର ଲିଟର ବିଶିଷ୍ଟ ଟାଙ୍କି ନିର୍ମାଣ କାମ  ଶେଷ ହୋଇଛି । ଗାଁର ୨୧୮ ଘର ମଧ୍ୟରୁ ଏବେସୁଦ୍ଧା  ୧୮୮ ଘରକୁ ଟ୍ୟାପ୍‌ ପାଣି ପହଞ୍ଚି ସାରିଛି । ବଳକା ୩୦  ଘରକୁ ସଂଯୋଗ କାମ ଜାରି ରହିଛି । ଅଳ୍ପଦିନ ମଧ୍ୟରେ  ସମସ୍ତ ଘରକୁ ପାଣି ପହଞ୍ଚିଯିବ ବୋଲି କହିଛନ୍ତି  କନିଷ୍ଠ ଯନ୍ତ୍ରୀ ଲିଙ୍ଗରାଜ ପଣ୍ଡା । କେବଳ ବଡ଼ବାର୍ଲି  ନୁହେଁ, ସାନବାର୍ଲି ପଞ୍ଚାୟତର ଆଉ ୫ଟି ଗାଁ ନୂଆଗୁଡ଼ା,  ଖଜୁରୀ, ମାଳିଆମ୍ବ ଓ ଜବାଗୁଡ଼ାକୁ ମଧ୍ୟ ଆଉ ମାସକ  ଭିତରେ ପାଇପ୍‌ ପାଣି ଯୋଗାଇ ଦିଆଯିବ ବୋଲି ସେ  କହିଛନ୍ତି । ‘ପ୍ରମେୟ’ରେ ଖବର ପ୍ରକାଶ ପାଇବାର  ମାତ୍ର ୪ ମାସ ମଧ୍ୟରେ ମେଗା ପ୍ରକଳ୍ପ ଦ୍ୱାରା ପହଞ୍ଚିଛି  ପାଇପ୍‌ ପାଣି । ଏଥିଲାଗି ପ୍ରଶାସନ ଏବଂ ବିଭାଗୀୟ  ଅଧିକାରୀମାନଙ୍କୁ ବି ସାଧୁବାଦ ଜଣାଇଛନ୍ତି ଗ୍ରାମବାସୀ ।  

ସୂଚନାଥାଉ କି, ବଡ଼ବାର୍ଲି ଗାଁର ଲୋକେ ଦଶନ୍ଧି  ଦଶନ୍ଧି ଧରି ବିଶୁଦ୍ଧ ପାନୀୟ ଜଳ ଟୋପେ ଲାଗି ନାହିଁ  ନ ଥିବା ଦୁର୍ଦ୍ଦଶା ଭୋଗୁଥିଲେ । ପାହାଡ଼ ଉପରେ ଥିବା  ବଡ଼ବାର୍ଲି ଗାଁକୁ ବିଜୁଳି ଓ ରାସ୍ତା ପହଞ୍ଚି ଯାଇଥିଲେ  ବି ପାଣି ମିଳୁ ନ ଥିଲା । ନଳକୂଅ ଖୋଳାଯାଉଥିଲେ  ମଧ୍ୟ କାମରେ ଲାଗୁ ନ ଥିଲା । ଏଥିଲାଗି ଗାଁରୁ ୧ କିମି  ଦୂରରେ ଥିବା ଝରଣାରୁ ଲୋକେ ବହୁ କଷ୍ଟରେ ପାଣି  ସଂଗ୍ରହ କରୁଥିଲେ । ଝର ପାଖକୁ ଯିବା ଲାଗି ପ୍ରାୟ  ୩୦ ଫୁଟ୍‌ ତଳକୁ ଓହ୍ଲାଉଥିଲେ । ସେଥିଲାଗି ପ୍ରଶାସନ  ପକ୍ଷରୁ ୩୫ଟି ପାହାଚ ନିର୍ମାଣ କରାଯାଇଥିଲା । ପଥର  ସନ୍ଧିରେ ୨ଟି ପାଇପ୍‌ ଲଗାଇ ଝରରୁ ପାଣି ସଂଗ୍ରହ  କରାଯାଉଥିଲା । ଏଭଳି ସମସ୍ୟା ଲାଗି କୌଣସି  ଲୋକ ଗାଁକୁ କନିଆଁ ଦେବାକୁ ରାଜି ହେଉ ନ ଥିଲେ ।  ପାଇପ୍‌ ପାଣି ପହଞ୍ଚିବା ପରେ ଏବେ ସେମାନେ  ଆଶ୍ୱସ୍ତ ହୋଇଥିବା କହିଛନ୍ତି ଗାଁର ରବୀନ୍ଦ୍ର ନାଗ,  ପ୍ରଫୁଲ୍ଲ ନାଗ, ଗୋବିନ୍ଦ ନାଗ, ଭାଗ୍ୟ ଜାନୀ, ଗୌରୀ  ହରିଜନ, କମଳା ହରିଜନ, କୁନି ହରିଜନ ପ୍ରମୁଖ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.