ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ ଘଟଣାରେ ମୁମ୍ବାଇ ପୋଲିସକୁ ମିଳିଲା ବଡ ସଫଳତା। ଛୁରାମାଡ ହେବାର ମାତ୍ର କେଇଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରିଛି ମୁମ୍ବାଇ ପୋଲିସ। ସୂଚନା ମୁତାବକ ଗୁରୁବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଜଣକ ସୈଫ୍ ଙ୍କୁ ଛୁରାମାଡ କରିଥିଲା। ତେବେ ବର୍ତ୍ତମାନ ସେ ମୁମ୍ବାଇର ଲିଳାବତୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସହ ସୁରକ୍ଷିତ ଥିବା ଜଣାପଡିଛି।
ସୂଚନା ମୁତାବକ, ଅଭିଯୁକ୍ତ ଜଣଙ୍କ ସୈଫ୍ ଙ୍କ ଫାୟାର ଏକ୍ସିଟ ସିଡି ଦେଇ ରାତି ୨ଟା ୩୦ ସୁଦ୍ଧା ଘର ଭିତରକୁ ପଶିଥିଲା। ଚୋରି କରିବା ଉଦ୍ଦେଶ୍ୟ ନେଇ ଘର ଭିତରକୁ ପଶି ଆସିଥିବା ଏହି ଅଭିଯୁକ୍ତ ଜଣଙ୍କ ସିଧା ଯାଇ ସୈଫ୍ ଙ୍କ ପିଲାମାନେ ରହୁଥିବା ଘରେ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଥିବା ଘରୋଇ ସହାୟକ ଜଣଙ୍କ ତାଙ୍କୁ ସେଠାରେ ଦେଖି ପାଟି କରିଥିଲେ। ପାଟି ଶୁଣି ସୈଫ୍ ପିଲାମାନେ ରହୁଥିବା ଘରକୁ ଧାଇଁ ଆସିଥିଲେ। ସେହି ସମୟରେ ଅଭିଯୁକ୍ତ ଜଣଙ୍କ ସୈଫ୍ ଙ୍କ ଉପରେ 6ଥର ଛୁରାମାଡ କରିଥିଲା। ଅନ୍ୟପଟେ ସୈଫ୍ ଙ୍କୁ ବଞ୍ଚେଇବାକୁ ଆସିଥିବା ଘରୋଇ ସହାୟକ ଜଣଙ୍କୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ଛାଡି ନଥିଲା। ଅଭିଯୁକ୍ତର ଛୁରାମାଡରେ ଘରୋଇ ସହାୟକ ଜଣକଙ୍କ ହାତରେ ମଧ୍ୟ ଗଭୀର ଆଘାତ ସୃଷ୍ଟି ହୋଇଛି। ଏହି ଘଟଣା ଘଟେଇ ଅଭିଯୁକ୍ତ ଜଣଙ୍କ ଉକ୍ତ ସ୍ଥାନ ଛାଡି ଫେରାର ହୋଇଯାଇଥିଲା।
ସୈଫଙ୍କ ଉପରେ ଆକ୍ରମଣ ହେବା ପରେ ତାଙ୍କୁ ତୁରନ୍ତ ଲିଳାବତୀ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା। ସେଠାରେ ତାଙ୍କର ଅସ୍ତ୍ରୋପଚାର ହେବା ସହ ତାଙ୍କ ଚିକିତ୍ସା ଜାରି ରହିଛି। ତେବେ ଏହି ଘଟଣାରେ ସୈଫ୍ ଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଛି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସୂଚନା ପ୍ରଦାନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୈଫ୍ ଅଲ୍ଲୀ ଖାନ ସୁରକ୍ଷିତ ଥିବା ନେଇ ଡାକ୍ତରଖାନାରୁ ସୂଚନା ମିଳିଛି।
ଏହି ଘଟଣା ଘଟିବା ପରେ ମାମଲାର ଯାଞ୍ଚ ପାଇଁ ସୈଫ୍ ଙ୍କ ଘରେ ପୋଲିସ ସମେତ ଫରେନସିକ ଟିମ ପହଞ୍ଚିଥିଲେ। ଏହି ମାମଲାରେ ଜଡିତ ପ୍ରମାଣକୁ ଉଭୟଦଳ ଉଦ୍ଧାର କରିବା ସହ ମୁମ୍ବାଇପୋଲିସ ଅଭିଯୁକ୍ତକୁ ଖୋଜିବା କାମରେ ଲାଗିଯାଇତିଲା।
ସୈଫ୍ ଙ୍କ ଘରେ ପଶି ଆକ୍ରମଣ କରିଥିବା ଆକ୍ରମଣକାରିକୁ ଧରିବା ପାଇଁ ମୁମ୍ବାଇ ପୋଲିସ ଉପରେ ବହୁ ଚାପ ରହିଥିଲା। ଏହି ଘଟଣାରେ ମୁମ୍ୱାଇ ପୋଲିସ ଏକ ଦଶ ଜଣିଆ ଟିମ ଗଠନ କରି ଆଖପାଖ ଅଞ୍ଚଳର ୨୫ରୁ ୩୦ଟି ସିସିଟିଭି ଫୁଟେଜର ଯାଞ୍ଚ କରିଥିଲେ। ସିସିଟିଭି ଫୁଟେଜରେ କଏଦ ହୋଇଥିବା ଅଭିଯୁକ୍ତ ଜଣଙ୍କୁ ପୋଲିସ ଅଭିଯୁକ୍ତ ଜଣଙ୍କୁ ଚିହ୍ନଟ କରିବାରେ ସଫଳତା ପାଇଛି ବୋଲି ପୋଲିସ ସୂଚନା ପ୍ରଦାନ କରିଛି।