ଭୁବନେଶ୍ୱର,୧୯/୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୨୭୦୦ କୋଟିରୁ ଅଧିକ ମୂଲ୍ୟର ଯୋଜନା ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ କରିବେ। ଏହି କାର୍ଯ୍ୟକ୍ରମ 'ବିକଶିତ ଭାରତ - ବିକଶିତ ଓଡ଼ିଶା' ସଂକଳ୍ପକୁ ସାକାର କରିବା ଦିଗରେ ଏକ ବଡ଼ ପଦକ୍ଷେପ। ୧୧ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଓଡ଼ିଶା ସରକାରଙ୍କ ଗୋଟିଏ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଐତିହାସିକ ହେବାକୁ ଯାଉଛି।
ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ସରଳା-ଶାସନ ମଧ୍ୟରେ ତୃତୀୟ ଏବଂ ଚତୁର୍ଥ ରେଳ ଲାଇନର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପ ଝାରସୁଗୁଡ଼ା-ସମ୍ବଲପୁର ଭଳି ବ୍ୟସ୍ତତମ ରେଳ ସେକ୍ସନରେ ଟ୍ରାଫିକ ଭାର ହ୍ରାସ କରିବ ଏବଂ ଶିଳ୍ପ ଏବଂ ଯାତ୍ରୀ ପରିବହନକୁ ବୃଦ୍ଧି କରିବ । ଏହା ସହିତ, ପ୍ରଧାନମନ୍ତ୍ରୀ ସୋନପୁର-ପୁରୁଣାକଟକ ମଧ୍ୟରେ ୭୩ କିଲୋମିଟର ଲମ୍ବା ନୂତନ ରେଳ ଲାଇନର ଉଦଘାଟନ କରିବେ। ଏହି ରେଳ ଲାଇନ ୩୦୧ କିଲୋମିଟର ଲମ୍ବା ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ଲାଇନର ଏକ ଅଂଶ।ଏହାର ନିର୍ମାଣ ସହିତ, ବୌଦ୍ଧ ଜିଲ୍ଲା ମୁଖ୍ୟାଳୟ ପ୍ରଥମ ଥର ପାଇଁ ରେଳ ନେଟୱାର୍କ ସହିତ ସଂଯୋଗ ହେବାକୁ ଯାଉଛି। ଏହି ଅଞ୍ଚଳ ଏବେ ଭାରତର ରେଳ ମାନଚିତ୍ରରେ ଅନ୍ତର୍ଭୁକ୍ତ ହେବ, ଯାହା ସ୍ଥାନୀୟ ଲୋକଙ୍କ ଦଶନ୍ଧି ପୁରୁଣା ସ୍ୱପ୍ନ ପୂରଣ କରିବାକୁ ଯାଉଛି । ଏହା ସହିତ ଭକ୍ତମାନେ ଭୈରବୀ ମନ୍ଦିରକୁ ଯିବା ଆସିବାରେ ସାହାଯ୍ୟ ପାଇବେ। ପ୍ରଥମ ଥର ପାଇଁ, ସୋନପୁର ଏବଂ ପୁରୁଣାକ୍କଟକ ମଧ୍ୟରେ ନୂତନ ରେଳ ଲାଇନ ମାଧ୍ୟମରେ ସିଧାସଳଖ ରେଳ ସଂଯୋଗ ହାସଲ କରାଯାଉଛି, ଯାହା ଏହି ଅଞ୍ଚଳର ସାମାଜିକ ଏବଂ ଅର୍ଥନୈତିକ ସଂଯୋଗକୁ ଆହୁରି ମଜବୁତ କରିବ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଇଁ ନୂତନ ରେଳ ସେବାର ଶୁଭାରମ୍ଭ କରିବେ। ନୂତନ ଟ୍ରେନ୍ ସେବା ସହିତ ବୋଦ୍ଧ ଜିଲ୍ଲାର ଅଞ୍ଚଳଗୁଡ଼ିକ ପ୍ରଥମ ଥର ପାଇଁ ରାଜଧାନୀ ଭୁବନେଶ୍ୱର ସହିତ ସୁଲଭ ଏବଂ ସୁବିଧାଜନକ ରେଳ ସେବା ପାଇବେ। ଗତ ୧୧ ବର୍ଷ ମଧ୍ୟରେ ଓଡ଼ିଶାରେ ରେଳ ବିକାଶ ଅଭୂତପୂର୍ବ ଗତି ହାସଲ କରିଛି। ରାଜ୍ୟରେ ରେଳ ନେଟୱାର୍କକୁ ୧୦୦ ପ୍ରତିଶତ ବିଦ୍ୟୁତୀକରଣ କରାଯାଇଛି ଏବଂ ରାଜ୍ୟର ୫୯ଟି ଷ୍ଟେସନକୁ ଆଧୁନିକ ସୁବିଧା ସହିତ ସଜ୍ଜିତ କରି ଅମୃତ ଷ୍ଟେସନ ଭାବରେ ବିକଶିତ କରାଯାଉଛି। ସେହି ସମୟରେ, ରାଜ୍ୟର ୧୭ଟି ଜିଲ୍ଲା ୬ଟି ବନ୍ଦେ ଭାରତ ଟ୍ରେନ୍ ମାଧ୍ୟମରେ ଆଧୁନିକ ରେଳ ଯାତ୍ରାର ଲାଭ ପାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହେବାକୁ ଥିବା ନୂତନ ଟ୍ରେନଗୁଡ଼ିକ ହେଉଛି ବୌଦ୍ଧ-ଭୁବନେଶ୍ୱର ନୂଆ-ବୌଦ୍ଧ ସାପ୍ତାହିକ ଏକ୍ସପ୍ରେସ୍ ଏବଂ ସମ୍ବଲପୁର-ବୌଦ୍ଧ-ସମ୍ବଲପୁର ସାପ୍ତାହିକ ଏକ୍ସପ୍ରେସ୍ | ଏହା ବ୍ୟତୀତ, ଭୁବନେଶ୍ୱର-ସୋନପୁର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ଏବଂ ଦୁଇ ଯୋଡ଼ା ବଲାଙ୍ଗୀର-ସୋନପୁର ସଟଲ୍ ପାସେଞ୍ଜର ଟ୍ରେନ୍ ପ୍ରଥମ ଥର ପାଇଁ ପୁରୁଣାକଟକ ପର୍ଯ୍ୟନ୍ତ ଚଳାଚଳ କରିବ ।