ଭୁବନେଶ୍ୱର,୧୯/୦୬: ଶୁକ୍ରବାର ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ଭୁବନେଶ୍ୱର ଗସ୍ତ ପାଇଁ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସ୍ପିଜି (ସ୍ପେସାଲ ପ୍ରୋଟେକ୍ସନ ଗ୍ରୁପ୍) କମାଣ୍ଡୋଙ୍କ ସହ ମିଶି ବ୍ଲୁ ବୁକ୍ ଅନୁସାରେ କମିଶନରେଟ୍ ପୁଲିସ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ମୋଦିଙ୍କ ରୋଡ୍ ସୋ’ ରୁଟ୍ ଓ ଜନତା ମଇଦାନ ସମାରୋହ ସ୍ଥଳରେ ପ୍ରାୟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ଜଗିବେ। ଆଜି ପ୍ରଧାନମନ୍ତ୍ରୀଙ୍କ କାରକେଡ୍ ରିହର୍ସାଲ କରାଯିବ । ୨୦ ତାରିଖ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଯାଏ ପ୍ରାୟ ୩ ଘଣ୍ଟା ବିମାନବନ୍ଦରରୁ ଏଜି ଛକ, ରାଜଭବନ ଗୋଲେଇ, ଜୟଦେବ ବିହାର ଓ ଜାଭିୟର ଛକ ରାସ୍ତା ବନ୍ଦ ରହିବ ।
ପ୍ରଧାନମନ୍ତ୍ରୀ ଗସ୍ତ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି ହୋଇଛି। କର୍ମୀ/ସମର୍ଥକଙ୍କୁ ଧରି କଟକ ପଟୁ ଆସୁଥିବା ବସ୍ ରସୁଲଗଡ଼ ରେଳୱେ ଓଭରବ୍ରିଜ୍ ଠାରୁ ସର୍ଭିସ ରୋଡରେ ଆସି ବାଣୀବିହାର ଛକ, ଆଚାର୍ଯ୍ୟ ବିହାର ଛକରୁ ସୈନିକ ସ୍କୁଲ ରାସ୍ତା ଦେଇ ଜନତା ମଇଦାନକୁ ଯିବ । ଖୋର୍ଦ୍ଧା ଆଡୁ ଆସୁଥିବା ବସ୍ଗୁଡିକ ଜୟଦେବ ବିହାର ଫ୍ଲାଏ ଓଭର ବ୍ରିଜ୍ର ସର୍ଭିସ ରୋଡରେ ଆଚାର୍ଯ୍ୟବିହାର ଛକରୁ ବାମ ପଟେ ଆପୋଲୋ ହସ୍ପିଟାଲ, ସୈନିକ ସ୍କୁଲ ରାସ୍ତାରେ ସପ୍ତମ ବାଟାଲିଅନ ପଡିଆରେ ଅଟକିବ । କଳିଙ୍ଗ ହସ୍ପିଟାଲ-ହାତିଆଶୁଣୀ ରାସ୍ତାରେ ବସ୍ ପାର୍କିଂ କରିପାରିବେ ।
ନନ୍ଦନକାନନ ରାସ୍ତା ପଟୁ ଆସୁଥିବା ବସ ନାଲକୋ ଛକ-କଳିଙ୍ଗ ହସ୍ପିଟାଲ ରାସ୍ତା ଦେଇ ରେଳୱେ କଲୋନି ଗୋଲେଇ ଛକଠାରୁ ଉତ୍କଳ ହସ୍ପିଟାଲ-ହାତିଆଶୁଣୀ ରାସ୍ତାରେ ଗାଡି଼ଗୁଡ଼ିକ ପାର୍କିଂ କରିପାରିବେ । ପୁରୀ ପଟୁ ଆସୁଥିବା ବସ୍ କଳ୍ପନା, ରାଜମହଲ, ଶିଶୁଭବନ ଛକ, କ୍ୟାପିଟାଲ ହସ୍ପିଟାଲ ଛକର ଏକ ଲାଇନ୍ରେ ପାର୍କିଂ କରିପାରିବେ । ଏହି ବସ୍ରେ ଥିବା ସମର୍ଥକମାନେ ରୋଡ୍ ସୋ ଦେଖିପାରିବେ । ଖୋର୍ଦ୍ଧା ପଟୁ ଆସୁଥିବା ଭାରୀଯାନ ପିତାପଲ୍ଲୀ ଛକଠାରୁ ଚନ୍ଦକା ରାସ୍ତା ଦେଇ କଟକ ଆଡୁ ଯାଇପାରିବ । କଟକ ପଟୁ ଭାରୀଯାନ ଆସିଲେ, ବାଲିକୁଦା ଛକଠାରୁ ତ୍ରିଶୁଳିଆ ଦେଇ ପିତାପଲ୍ଲୀ ଛକୁ ଯାଇପାରିବ । ସେହିପରି ବିମାନବନ୍ଦର, ଏଜି ଛକ, ରାଜଭବନ ଗୋଲେଇ, ନାଲ୍କୋ ଛକ ଯାଏଁ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ଭିତରେ ନଯିବାକୁ ସାଧାରଣ ଜନତାଙ୍କୁ ପୁଲିସ ଅପିଲ୍ କରିଛି ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଓ ସୁରକ୍ଷିତ ସମାରୋହ ପାଇଁ ୩୩ଜଣ ଏଡିସିପି, ୯୩ଜଣ ଏସିପି, ୧୦୬ଜଣ ଇନ୍ସପେକ୍ଟର, ୪୫୦ଜଣ ସବ୍ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ପାହ୍ୟା ଅଧିକାରୀ ମୁତୟନ ହେବେ । ମୋଦିଙ୍କ ରୋଡ୍ ସୋ ବେଳେ ଟ୍ରାଫିକ୍ ପରିଚାଳନାକୁ ଗୁରୁତ୍ୱ ଦେଉଛି କମିଶନରେଟ୍ ପୁଲିସ । ୨୪ ପ୍ଲାଟୁନ୍ ଫୋର୍ସ ଟ୍ରାଫିକ୍ ପରିଚାଳନା ପାଇଁ ସଜାଗ ରହିବେ । ଏହି ରୁଟ୍ରେ ପଡୁଥିବା ୯୨ଟି ଲେନ୍ ଓ ବାଇଲେନ୍କୁ ବ୍ଲକ୍ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜନତା ମଇଦାନର ସଭାସ୍ଥଳକୁ ନୋ ଫ୍ଲାଇଙ୍ଗ୍ ଜୋନ୍ ଘୋଷଣା କରାଯାଇଛି । କେହି ଡ୍ରୋନ୍ ଉଡ଼ାଇଲେ ଗୁଳି କରି ଖସାଇ ଦିଆଯିବ । ବିମାନବନ୍ଦରରୁ ଏଜି ଛକ, ରାଜଭବନ, ଜୟଦେବ ବିହାର, ଜନତା ମଇଦାନ ରାସ୍ତାର ୨ ପାଶ୍ୱର୍ରେ ପଡୁଥିବା ସପିଂ ମଲ୍, ଉଚ୍ଚ ଅଟାଳିକାଗୁଡିକୁ ଯାଞ୍ଚ କରାଯାଇଛି ।