ଭୁବନେଶ୍ୱର,୦୭/୦୭: ଚଳିତ ଶିକ୍ଷା ବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ନାମଲେଖା ପାଇଁ ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ୯୨ ପ୍ରତିଶତ ଛାତ୍ରଛାତ୍ରୀଙ୍କ ପ୍ରଥମ ତାଲିକାରେ ଚୟନ ହୋଇଛନ୍ତି। କଳା, ବିଜ୍ଞାନ, ବାଣିଜ୍ୟ କଟ୍ଅଫ୍ ମାର୍କରେ ଆଗରେ ରହିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ। କଳାରେ ୮୧.୩୩%, ବିଜ୍ଞାନରେ ୯୧.୮୩%, ବାଣିଜ୍ୟରେ ୮୦.୨୦% ରହିଛି। ଏଥିରେ ମନୋନୀତ ଶିକ୍ଷାର୍ଥୀମାନେ ୮ରୁ ୧୪ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ସୂଚନା ଦେଇଛନ୍ତି। ତେବେ ଜୁଲାଇ ୨୪ରୁ ପାଠପଢ଼ା ଆରମ୍ଭ କରିବାକୁ ବ୍ୟବସ୍ଥା କରାଯାଇଛି।
ଚଳିତ ବର୍ଷ ୪ ଲକ୍ଷ ୪୬ ହଜାର ୨୦୫ ଛାତ୍ରଛାତ୍ରୀ ଆବେଦନ କରିଥିବା ବେଳେ ୪ ଲକ୍ଷ ୧୩ ହଜାର ୮୦୪ ଜଣ ଛାତ୍ରଛାତ୍ରୀଙ୍କ ପ୍ରଥମ ଚୟନ ତାଲିକାରେ ନାମ ରହିଛି । କଳା ପାଇଁ ୨ ଲକ୍ଷ ୬୪ ହଜାର ୭୬୬ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି। ବାଣିଜ୍ୟରେ ୨୦ ହଜାର ୫୫୨ ଓ ବିଜ୍ଞାନ ପାଇଁ ଏକ ଲକ୍ଷ ୧୭ ହଜାର ୮୯ ଜଣ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି ।
୨୧ ତାରିଖରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ନାମଲେଖା ୨୩ରୁ ୨୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ସ୍ପଟ୍ ମେଧା ତାଲିକା ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ । ଅଗଷ୍ଟ ୮ରୁ ୧୩ ତାରିଖ ମଧ୍ୟରେ ନାମଲେଖା ପାଇଁ ସମୟ ସୀମା ଧାର୍ଯ୍ୟ କରାଯାଇଛି । ଜୁଲାଇ ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ ।