ନୂଆଦିଲ୍ଲୀ,୧୪/୦୩: ଭାରତୀୟ ପ୍ରମିୟର ଲିଗ୍ ଏମିତି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଯେଉଁଥିରେ ଅଂଶଗ୍ରହଣ କରୁଛନ୍ତି ବିଶ୍ବର ଅନେକ ଦେଶର ପ୍ରମୁଖ ଖେଳାଳି। ସବୁ ସିଜନ୍ରେ ସବୁ ଫ୍ରାଞ୍ଚାଇଜ ଏହାର ଟିମ୍ ପାଇଁ ଖେଳାଳି ଚୟନ କରିଥାନ୍ତି, ଯେଉଁଥିରେ ଘରୋଇ ଏବଂ ଆନ୍ତର୍ଜାତୀୟ ଖେଳାଳି ଉଭୟେ ଅଂଶଗ୍ରହଣ କରିଥାଆନ୍ତି। କ୍ରିକେଟର ଏହି ମହାଲିଗ ୨୦୦୮ରୁ ଆରମ୍ଭ ହୋଇଥିଲା। ତେବେ ଆଇପିଏଲ୍ରେ ଏମିିତି ୪ଜଣ ଖେଳାଳି ରହିଛନ୍ତି, ଯେଉଁମାନେ କି ପ୍ରଥମ ସିଜିନ୍ରୁ ଆଜି ପର୍ଯ୍ୟନ୍ତ ସବୁ ଲିଗ୍ରେ ଖେଳିଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଚାରିଜଣ ଖେଳାଳି ମଧ୍ୟ ଏଥର ମଇଦାନରେ ନଜର ଆସିବେ।
ଲଗାତାର ୧୮ଟି ସିଜିନ୍ ଖେଳିଛନ୍ତି ଏହି ୪ ଖେଳାଳି:
ଆଇପିଏଲ୍ ୨୦୨୫ ଏହି ଚାରି ଖେଳାଳିଙ୍କ ପାଇଁ ବହୁତ ସ୍ୱତନ୍ତ୍ର ହେବାକୁ ଯାଉଛି। ଏହି ଖେଳାଳିମାନେ କ୍ରମାଗତ ୧୮ ତମ ସିଜନ ଖେଳିବାକୁ ଯାଉଛନ୍ତି। ଏହି ଖେଳାଳୀମାନଙ୍କ ମଧ୍ୟରୁ ଜଣେ ସମାନ ଫ୍ରାଞ୍ଚାଇଜ୍ ପାଇଁ ସମସ୍ତ ସିଜିନ୍ରେ ଖେଳିଛନ୍ତି, ସେ ହେଉଛନ୍ତି ବିରାଟ କୋହଲି। ଆଇପିଏଲରେ ଏହା ତାଙ୍କର ୧୮ ତମ ସିଜନ ହେବ।ଏମାନଙ୍କ ବ୍ୟତୀତ ଏମ୍ଏସ୍ ଧୋନି, ରୋହିତ ଶର୍ମା ଏବଂ ମନୀଷ ପାଣ୍ଡେ ମଧ୍ୟ ସେମାନଙ୍କର ୧୮ ତମ ସିଜିନ ଖେଳିବାକୁ ଯାଉଛନ୍ତି। ଆଇପିଏଲର ସବୁଠାରୁ ବଡ଼ ତଥା ଲୋକପ୍ରିୟ ଖେଳାଳିଙ୍କ ମଧ୍ୟରେ ବିରାଟ କୋହଲିଙ୍କ ନାଁ ଆଗରେ ରହିଛି। ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ର ଅଧିନାୟକ ରହିଛନ୍ତି। ସେ ଆଇପିଏଲ ଇତିହାସରେ ସର୍ବାଧିକ ରନ୍ ସ୍କୋରର ଏବଂ ତାଙ୍କ ନାମଁ ଅନେକ ରେକର୍ଡ ମଧ୍ୟ ଅଛି। ଆଇପିଏଲର ପ୍ରତ୍ୟେକ ସିଜନରେ ବିରାଟ କୋହଲି ତାଙ୍କ ଦଳ ପାଇଁ ଏକ ଦୃଢ଼ ସମର୍ଥନ ଦେଇଥାନ୍ତି ଏବଂ ତାଙ୍କ ଇନିଂସ ଅନେକ ସମୟରେ ପ୍ରଶଂସକଙ୍କୁ ଉତ୍ସାହିତ କରିଥାଏ।
ରୋହିତ-ଧୋନୀ, ସବୁଠାରୁ ସଫଳ ଅଧିନାୟକ:
ଯଦିଓ ଏମଏସ ଧୋନି ଏବଂ ରୋହିତ ଶର୍ମା ବର୍ତ୍ତମାନ ଖେଳାଳି ଭାବରେ ଖେଳୁଛନ୍ତି, ତେବେ ଏହି କିମ୍ବଦନ୍ତୀ ଏହି ଲିଗ୍ର ସବୁଠାରୁ ସଫଳ ଅଧିନାୟକ। ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ପାଞ୍ଚ ଥର (୨୦୧୩, ୨୦୧୫, ୨୦୧୭, ୨୦୧୯, ଏବଂ ୨୦୨୦) ଆଇପିଏଲ୍ ଟାଇଟଲ୍ ଜିତିଛି। ଆଇପିଏଲର ଅନେକ ରୋମାଞ୍ଚକର ମୁହୂର୍ତ୍ତ ରୋହିତଙ୍କ ବ୍ୟାଟିଂରେ ଦେଖିବାକୁ ମିଳେ, ଏଥିରେ ତାଙ୍କର ଚମତ୍କାର ଇନିଂସ ସହିତ ମ୍ୟାଚର ଗତି ବଦଳାଇବାର କ୍ଷମତା ମଧ୍ୟ ରହିଛି। ଅନ୍ୟପକ୍ଷରେ, ଧୋନିଙ୍କ ଅଧିନାୟକତ୍ୱରେ ସିଏସ୍କେ ମଧ୍ୟ ପାଞ୍ଚ ଥର (୨୦୧୦, ୨୦୧୧, ୨୦୧୮, ୨୦୨୧ ଏବଂ ୨୦୨୩) ଆଇପିଏଲ୍ ଟାଇଟଲ୍ ଜିତିଛି।
ଅନେକ ଦଳରେ ସାମିଲ ହୋଇଛନ୍ତି ମନିଷ ପାଣ୍ଡେ:
ମନୀଷ ପାଣ୍ଡେ କର୍ଣ୍ଣାଟକର ଜଣେ ଦକ୍ଷ କ୍ରିକେଟର ଏବଂ ଆଇପିଏଲରେ ଅନେକ ଦଳରେ ଅଂଶ ଗ୍ରହଣ କରିଛନ୍ତି। ମନୀଷ ପାଣ୍ଡେ ତାଙ୍କ ବ୍ୟାଟିଂ କ୍ୟାରିୟର ସମୟରେ ଅନେକ ମ୍ୟାଚ୍ ବିଜୟୀ ପ୍ରଦର୍ଶନ ଦେଇଛନ୍ତି ଏବଂ ୨୦୦୯ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳିଥିବା ଇନିଂସ ପାଇଁ ତାଙ୍କ ନାଁ ବିଶେଷ ଭାବେ ସ୍ମରଣୀୟ ହୋଇ ରହିଛି। ସେ ଏପର୍ଯ୍ୟନ୍ତ ଆଇପିଏଲରେ ୭ ଟି ଦଳ ପାଇଁ ଖେଳିଛନ୍ତି।