ଲିଡ୍ସ: ଭାରତୀୟ ଟିମ୍ ଦ୍ବିତୀୟ ଇନିଂସ୍ରେ ୩୬୪ ରନ୍ରେ ଅଲଆଉଟ୍ ହୋଇଛି । ପ୍ରଥମ ଇନିଂସର ଭୁଲକୁ ପୁଣି ଦୋହରାଇଛି ଭାରତ। ଶେଷ ୬ ଓ୍ଵିକେଟ୍ ମାତ୍ର ୩୧ ରନରେ ହରାଇବା ସହ ଦ୍ଵିତୀୟ ଇନିଂସରେ ୩୬୪ ରନରେ ଅଲଆଉଟ୍ ହୋଇଛି ଭାରତୀୟ ଟିମ୍। ଫଳରେ ଭାରତ ଘରୋଇ ଇଂଲଣ୍ଡକୁ ୩୭୧ ରନର ବିଜୟ ଲକ୍ଷ୍ୟ ଦେଇଛି । କେଏଲ ରାହୁଲ ଓ ଋଷଭ ପନ୍ତଙ୍କ ଶତକକୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଛନ୍ତି। ମ୍ୟାଚ୍ ଏବେ ରୋମାଞ୍ଚକର ମୋଡ଼ ନେଇଛି। ଉଭୟ ଦଳ ପାଖରେ ମ୍ୟାଚ୍ ଜିତିବାର ସୁଯୋଗ ରହିଛି। ଭାରତ ପ୍ରଥମ ଇନିଂସରେ ୪୭୧ ରନ କରିଥିବା ବେଳେ ଇଂଲଣ୍ଡ କରିଥିଲା ୪୬୫ ରନ।
ତୃତୀୟ ଦିନର ଅସମାପ୍ତ ଖେଳ ୯୦/୨ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। କ୍ରିଜରେ ଥିଲେ କେଏଲ ରାହୁଲ ଓ ଶୁଭମନ ଗିଲ୍। ଚତୁର୍ଥ ଦିନର ପ୍ରଥମ ସେସନ ଆରମ୍ଭରୁ ଶୁଭମନ ଗିଲ୍(୮ ରନ) ଆଉଟ୍ ହୋଇଥିଲେ। ଏହା ପରେ କେଏଲ ରାହୁଲ ଓ ଋଷଭ ପନ୍ତ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ଚିରାଚରିତ ଶୈଳୀରେ ବ୍ୟାଟିଂ କରି ଭାରତର ସ୍ଥିତି ମଜବୁତ କରିଥିଲେ। ଏଥିସହ ନିଜ ନିଜର ଚିତ୍ତାକର୍ଷକ ଶତକ ହାସଲ କରିଥିଲେ ରାହୁଲ ଓ ପନ୍ତ। ଦୁଇ ବ୍ୟାଟର ଚତୁର୍ଥ ଓ୍ଵିକେଟ୍ ପାଇଁ ୧୯୫ ରନ ଯୋଡ଼ି ଦଳର ସ୍କୋରକୁ ୨୮୭ ରନରେ ପହଞ୍ଚାଇଥିଲେ। ପନ୍ତ ୧୪୦ ବଲରୁ ୧୫ ଚୌକା ଓ ୩ ଛକା ସହ ୧୧୮ ରନର ଐତିହାସିକ ଇନିଂସ ଖେଳିଛନ୍ତି।
ପନ୍ତଙ୍କ ପରେ କ୍ରିଜରେ ଜମିଥିବା କେଏଲ ରାହୁଲ ଆଉଟ୍ ହେବା ଭାରତୀୟ ଦଳକୁ ବଡ଼ ଝଟକା ଦେଇଥିଲା। ରାହୁଲ ୧୮ ଚୌକା ସହ ୧୩୭ ରନର ଇନିଂସ ଖେଳିଥିଲେ। ଏହା ପରେ ଭାରତ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। କରୁଣ ନାୟର ମିଳିଥିବା ସୁଯୋଗର ଫାଇଦା ଉଠାଇ ପାରି ନଥିଲେ। ସେ ୨୦ ରନ କରି ପାଭିଲିୟନ ଫେରିଥିଲେ । ୯୧ ତମ ଓଭରରେ ଭାରତ ୩ ଓ୍ଵିକେଟ୍ ହରାଇବାରୁ ଦଳ ୩୫୦ ରନ ଭିତରେ ଅଲଆଉଟ୍ ହେବାର ସମ୍ଭାବନା ସୃଷ୍ଟି ହୋଇଥିଲା।
ସେହି ଓଭରରେ ଜୋଶ ଟଙ୍ଗଙ୍କ ଉକ୍ତ ଓଭରରେ ଶାର୍ଦ୍ଦୁଳ ଠାକୁର(୪), ମହମ୍ମଦ ସିରାଜ(୦) ଓ ଯଶପ୍ରୀତ ବୁମରା(୦) ଆଉଟ୍ ହୋଇଥିଲେ। ତେବେ ଶେଷ ଆଡ଼କୁ ଜାଡ଼େଜା ୨୫ ରନ କରିବାରୁ ଭାରତ ୩୬୪ ରନ କରି ପାରିଛି। ପ୍ରଥମ ଇନିଂସରେ ୬ ରନ ଅଗ୍ରଣୀ ସହ ଭାରତ ଘରୋଇ ଇଂଲଣ୍ଡକୁ ୩୭୧ ରନର ବିଜୟ ଲକ୍ଷ୍ୟ ମିଳିଛି। ବୋଲିଂରେ ବ୍ରାଇଡନ କାର୍ସ ଓ ଜୋଶ ଟଙ୍ଗ ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଶୋଏବ ବସିରଙ୍କୁ ୨ଟି ଓ୍ଵିକେଟ୍ ମିଳିଛି । ଏବେ ଇଂଲଣ୍ଡକୁ ହରାଇବାକୁ ହେଲେ ଭାରତୀୟ ବୋଲରଙ୍କୁ କମାଲ କରିବାକୁ ପଡ଼ିବ ।