ନୂଆଦିଲ୍ଲୀ,୧।୬: ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପୁଣି ଥରେ ତାଙ୍କ ଦେଶର ଦୁର୍ବଳ ଅର୍ଥନୀତି ଉପରେ ଦୁଃଖ ପ୍ରକାଶ କରିଛନ୍ତି। ପାକିସ୍ତାନୀ ସେନା ଅଧିକାରୀମାନଙ୍କୁ ସମ୍ବୋଧିତ କରି ସେ ସ୍ୱୀକାର କରିଛନ୍ତି ଯେ ଏବେ ପାକିସ୍ତାନର ନିକଟତମ ବନ୍ଧୁ ରାଷ୍ଟ୍ର ମଧ୍ୟ ଦେଶକୁ ଆର୍ଥିକ ସହାୟତା ଦେବାରୁ ପଛଘୁଞ୍ଚା ଦେଉଛନ୍ତି। ଭାରତ ସହିତ ନିକଟରେ ହୋଇଥିବା ସାମରିକ ସଂଘର୍ଷ ପରେ ସୈନିକଙ୍କ ମନୋବଳ ବୃଦ୍ଧି କରିବା ସମୟରେ ତାଙ୍କର ଏହି ବୟାନ ଆସିଛି।
ସରିଫ କହିଛନ୍ତି, "ଚୀନ ହେଉଛି ପାକିସ୍ତାନର ସବୁଠାରୁ ପୁରୁଣା ବନ୍ଧୁ। ସାଉଦି ଆରବ, ତୁର୍କୀ, କତାର ଏବଂ ୟୁଏଇ ଆମର ସବୁଠାରୁ ବିଶ୍ୱସ୍ତ ବନ୍ଧୁ, କିନ୍ତୁ ବର୍ତ୍ତମାନ ଏହି ଦେଶଗୁଡ଼ିକ ଆଶା କରୁଛନ୍ତି ଆମେ ସେମାନଙ୍କ ସହିତ ବାଣିଜ୍ୟ, ନବସୃଜନ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ନିବେଶ ଭଳି କ୍ଷେତ୍ରରେ ସହଭାଗୀ ହେଉ। ଏବେ ଏହି ଦେଶଗୁଡ଼ିକ ପାକିସ୍ତାନଠାରୁ ଏକପାଖିଆ ସହାୟତା ନୁହେଁ, ପାରସ୍ପରିକ ଲାଭଦାୟକ ଚୁକ୍ତିନାମା ଆଶା କରୁଛନ୍ତି।
ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ବିଷୟରେ କହି ସରିଫ କହିଛନ୍ତି, ‘ମୁଁ ଏବଂ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏହି ଆର୍ଥିକ ବୋଝ ମୁଣ୍ଡାଇବାରେ ଶେଷ ବ୍ୟକ୍ତି। ଏବେ ଏହି ବୋଝ ସମଗ୍ର ରାଷ୍ଟ୍ରର କାନ୍ଧରେ ରହିଛି।’ ସରିଫ୍ଙ୍କ ଏଭଳି ବୟାନ ସୂଚାଇ ଦେଇଛି ଯେ ଏବେ କେବଳ ସରକାର କିମ୍ବା ସେନା ନୁହେଁ, ବରଂ ସମଗ୍ର ରାଷ୍ଟ୍ରକୁ ଆର୍ଥିକ ସଂସ୍କାରର ଦାୟିତ୍ୱ ନେବାକୁ ପଡିବ। ଏହା ପ୍ରଥମ ଥର ନୁହେଁ, ଯେତେବେଳେ ଶେହବାଜ ପାକିସ୍ତାନର ଆର୍ଥିକ ସମସ୍ୟାକୁ ସ୍ବୀକାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ କହିସାରିଛନ୍ତି, ପ୍ରଧାନମନ୍ତ୍ରୀ ହୋଇ ସାରା ଦୁନିଆ ଆଗରେ ଭିକ୍ଷା ଥାଳି ନେଇ ବୁଲିବାକୁ ଚାହାନ୍ତି ନାହିଁ। ପାକିସ୍ତାନ ନିକଟରେ ଆଇଏମ୍ଏଫ୍ରୁ ଆର୍ଥିକ ସହାୟତା ମାଗିଥିଲା। କିନ୍ତୁ ତାହା ଦେଶର ଗମ୍ଭୀର ଆର୍ଥିକ ସ୍ଥିତିକୁ ସ୍ଥିର କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ।