ନୂଆଦିଲ୍ଲୀ,୩।୫: ଭାରତ ଓ ପାକିସ୍ତାନ ଭିତରେ ବିବାଦ ବଢିବାରେ ଲାଗିଛି। ପହଲଗାମ୍ ଆକ୍ରମଣ ପରେ ଭାରତ ପକ୍ଷରୁ କଡା ଆକ୍ସନ ନିଆଯାଇଛି। ଯେଉଁଥିରେ ସିନ୍ଧୁ ଜଳ ଚୁକ୍ତିକୁ ପ୍ରଥମେ ରଦ୍ଦ ରିଥିଲା ଭାରତ। ଏହାଦ୍ବାରା ପାକିସ୍ତାନରେ ଜଳ ସଙ୍କଟ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ସିନ୍ଧୁ ନଦୀର ଗୋଟିଏ ବୁନ୍ଦା ପାଣି ପାକିସ୍ତାନକୁ ପଠାଇବାକୁ ମନା କରିଛନ୍ତି। ଫଳରେ ପଡୋଶୀ ଦେଶର ନିଦ ହଜିଛି। ଏହାକୁ ନେଇ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଦେଇଛନ୍ତି ଭାରତକୁ ଧମକ। ସେ କହିଛନ୍ତି, ଯଦି ଭାରତ ସିନ୍ଧୁ ନଦୀର ପାଣି ରୋକିବା ପାଇଁ ଡ୍ୟାମ୍ କରେ ତେବେ ପାକିସ୍ତାନ ତାକୁ ଆକ୍ରମଣ କରି ଉଡାଇ ଦେବ।
ଏକ ଇଣ୍ଟରଭ୍ୟୁରେ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଏଭଳି ଧମକ ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନକୁ ଦିଆଯାଉଥିବା ସିନ୍ଧୁ ନଦୀର ପାଣିକୁ ରୋକିଲେ ଆମେ ଏହାକୁ ସହ୍ୟ କରିବୁନି। ଏଭଳି କରି ପାକିସ୍ତାନ ଉପରେ ଭାରତ ଆକ୍ରମଣ କରିଛି। ଆକ୍ରମଣ କେବଳ ତୋପ ଓ ଗୁଳିଗୋଳାରେ ହୁଏନି, ପାଣି ରୋକିବା ମଧ୍ୟ ପାକିସ୍ତାନ ଉପରେ ଆକ୍ରମଣ। ଭାରତ ଯଦି ସିନ୍ଧୁ ନଦୀ ପାଣିକୁ ରୋକିବାକୁ ଡ୍ୟାମ୍ ତିଆରି କରେ ତେବେ ପାକିସ୍ତାନ ଏହାକୁ ନଷ୍ଟ କରିଦେବ।’
ଉଲ୍ଲେଖନୀୟ ଯେ, ଜାମ୍ମୁ-କଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କୀ ହମଲାରେ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ପାକିସ୍ତାନର ଲସ୍କର-ଇ-ତୋଇବା ସଂଗଠନର ଟିଆରଏଫ୍ ଆତଙ୍କବାଦୀମାନେ କରିଥିଲେ। ଆକ୍ରମଣ ପରେ ଦୁଇ ଦେଶର ସମ୍ପର୍କ ଆହୁରି ଖରାପ ହୋଇଛି। ଭାରତ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବହୁ ସଂଖ୍ୟାରେ ପାକିସ୍ତାନର ସୋସିଆଲ ମିଡିଆ ଆକାଉଣ୍ଟକୁ ମଧ୍ୟ ବ୍ୟାନ୍ କରିଛି। ଏହା ସହ ସିନ୍ଧୁ ଜଳ ଚୁକ୍ତି ରଦ୍ଦ, ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ହ୍ରାସ, ସମସ୍ତ ବାଣିଜ୍ୟ କାରବାର ବନ୍ଦ ସହ ଡାକ ଓ ପାର୍ସଲ ସେବାକୁ ରୋକି ଦେଇଛି।