ନୂଆଦିଲ୍ଲୀ,୨୯/୦୬: ୨୦୨୪ ଜୁନ୍ ୨୯ ତାରିଖ । ମ୍ୟାଜିକାଲ୍ ଥିଲା ଗୋଟିଏ ରାତି । ଯେବେ ଇତିହାସ ରଚିଥିଲା ଭାରତ । ବିଦେଶରେ ଉଡ଼ିଥିଲା ତ୍ରିରଙ୍ଗା । ସମସ୍ତଙ୍କ ଆଖିରେ ଥିଲା ଆନନ୍ଦର ଅଶ୍ରୁ । ୧୭ ବର୍ଷ ଅପେକ୍ଷାର ଅନ୍ତ ହୋଇଥିଲା । ରୋହିତ ଶର୍ମାଙ୍କ ଟିମ୍ ଇଣ୍ଡିଆ ଜିତିଥିଲା ବିଶ୍ୱକପ୍ । ଗତବର୍ଷ, ଆଜିର ଦିନରେ ଅସରନ୍ତି ସ୍ମୃତି ସହ ଘରକୁ ଆସିଥିଲା ବିଶ୍ୱକପ୍ ଟ୍ରଫି । ରୋମାଞ୍ଚକର ଟି-ଟେଣ୍ଟି ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ହରାଇ ଭାରତ ହୋଇଥିଲା ଟି-୨୦ ବିଶ୍ୱ ଚାମ୍ପିଅନ୍ । ୧୧ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିଥିଲା । ଏହି ଦିନକୁ ଭାରତୀୟ କେବେ ଭୁଲି ପାରିବେ ନାହିଁ । ଏହି ବିଜୟକୁ ବର୍ଷେ ପୂରଣ ହୋଇଛି । ସେହି ମୁହୂର୍ତ୍ତକୁ ମନେ ପକାଇଛନ୍ତି ଭାରତୀୟ ଓ କ୍ରିକେଟ ଫ୍ୟାନ୍ସ ।
ଗତବର୍ଷ ଅର୍ଥାତ ୨୦୨୪ ଆଜିର ଦିନରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ମୁହାଁମୁହିଁ ହୋଇଥିଲେ ଭାରତ ଓ ଦକ୍ଷିଣ ଆଫ୍ରିକା । ସଂଘର୍ଷପୂର୍ଣ୍ଣ ରହିଥିଲା ଟାଇଟଲ ଲଢେଇ । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ ୧୭୬ ରନ୍ କରିଥିଲା । ବିରାଟ କୋହଲି ଓ ଅକ୍ଷର ପଟେଲ ଦାୟିତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ବିରାଟ ୭୬ରନ୍ର ପାଳି ଖେଳିଥିଲେ । ଅକ୍ଷର ପଟେଲ୍ ୪୭ ରନ୍ କରିଥିଲେ । ଦକ୍ଷିଣ ଆଫ୍ରିକାକୁ ୧୭୭ ବିଜୟ ଲକ୍ଷ୍ୟ ମିଳିଥିଲା । ଶେଷ ୩୦ ବଲରେ ୩୦ ରନ୍ ଦରକାର ଥିଲା । କ୍ରିଜରେ ଥିଲେ ଦୂର୍ଦ୍ଦଷ ବ୍ୟାଟର ଡେଭିଡ୍ ମିଲର ଓ ହେନରିକ୍ କ୍ଲାସେନ୍ । ୧୫ ତମ୍ ଓଭରରେ ଅକ୍ଷରଙ୍କୁ ନିର୍ଦ୍ଧୁମ ପ୍ରହାର କରି କ୍ଲାସେନ୍ ୨୪ ରନ୍ କରିଥିଲେ । ଭାରତ କବଜାରୁ ମ୍ୟାଚ ଖସିଯାଇଥିଲା । ଯଶପ୍ରୀତ ବୁମରା ଓ ଅର୍ଶଦୀପଙ୍କ ଉପରେ ଆଶା ଥିଲା । ପରବର୍ତ୍ତୀ ୪ ଓଭର ନାଟକୀୟ ମୋଡ ନେଇଥିଲା । ଦକ୍ଷିଣ ଆଫ୍ରିକା ପଞ୍ଝାରୁ ଭାରତ ମ୍ୟାଚ ଛଡାଇ ଆଣିଥିଲା ।
୧୬ତମ ଓଭରରେ ବୁମରା ମାତ୍ର ୪ରନ୍ ଦେଇଥିଲେ । ୧୭ତମ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା କ୍ଲାସେନ୍ଙ୍କୁ ଆଉଟ୍ କରି ବାଜି ପଲଟାଇ ଦେଇଥିଲେ । ୧୮ ତମ୍ ଓଭରରେ ବୁମରା ଜାନସେନ୍ଙ୍କୁ ଆଉଟ୍ କରିଥିଲେ । ଶେଷ ଓଭରରେ ଦକ୍ଷିଣ ଆଫ୍ରିକାକୁ ଜିତିବାକୁ ୧୬ ରନ୍ ଦରକାର ଥିଲା । ଦଳ ପାଇଁ ଟ୍ରାକକୁ ଫେରିବା ଆଉ ସମ୍ଭବ ନଥିଲା । ତଥାପି ଡେଭିଡ୍ ମିଲର ଛକା ମାରିଥିଲେ । ଲଙ୍ଗଅନ୍ରେ ଫିଲ୍ଡିଂ କରୁଥିବା ସୂର୍ଯ୍ୟକୁମାର ଧରିଥିଲେ ଅବିଶ୍ୱସନୀୟ କ୍ୟାଚ । ବାଉଣ୍ଡରୀ ଲାଇନ୍ରେ କ୍ୟାଚଟିକୁ ଚୋରାଇ ଆଣିଥିଲେ ସୂର୍ଯ୍ୟ । ବୁମରା, ପାଣ୍ଡ୍ୟା ଓ ଅର୍ଶଦୀପଙ୍କ ଘାତକ ବୋଲିଂ ବଳରେ ଦକ୍ଷିଣ ଆଫ୍ରିକାକୁ ୭ ରନ୍ରେ ହରାଇ ଟି-ଟ୍ୱେଣ୍ଟି ବିଶ୍ୱକପ ଚାମ୍ପିଅନ୍ ହୋଇଥିଲ ଭାରତ । ଆଉ ତାପରେ କ୍ରିକେଟରଙ୍କଠୁ ନେଇ ଫ୍ୟାନ୍ସଙ୍କ ଆଖିରେ ଥିଲା ବିଜୟର ଲୁହ ।
୩ କିମ୍ବଦନ୍ତୀଙ୍କ ସନ୍ନ୍ୟାସ- ଟି-୨୦ ବିଶ୍ୱକପ ବିଜୟ ସହ ୩ କ୍ରିକେଟ କିମ୍ବଦନ୍ତୀ ସନ୍ନ୍ୟାସ ନେଇଥିଲେ । ବିଶ୍ୱ ବିଜୟୀ ହେବା ପରେ ରୋହିତ ଶର୍ମା, ବିରାଟ କୋହଲି ଓ ରବୀନ୍ଦ୍ର ଜାଡ଼େଜା ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଥିଲେ । ସେହିପରି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ଜୀବନରେ ଏହା ଥିଲା ପ୍ରଥମ ବିଶ୍ୱକପ୍ ଟ୍ରଫି । ଖେଳିବା ସମୟରେ ବିଶ୍ୱକପ ଟ୍ରଫି ଜିତିବାର ସୌଭାଗ୍ୟ ମିଳିନଥିଲା ହେଲେ କୋଚ୍ ଭାବରେ ସେହି ସ୍ୱପ୍ନ ସାକାର ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟ ପରେ କୋଚ୍ ଭାବେ ଟିମ୍ ଇଣ୍ଡିଆରୁ ବିଦାୟ ନେଇଥିଲେ ।
ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ଏକ ସ୍ୱପ୍ନ ପୂରଣ ହୋଇଥିଲା । ୨୦୨୩ର ଲୁହଠାରୁ ବାରବାଡୋସରେ ବିଜୟ ପର୍ଯ୍ୟନ୍ତ । ରୋହିତ ଶର୍ମା ଜଣେ ଯୋଦ୍ଧା ପରି ନେତୃତ୍ୱ ନେଇଥିଲେ । ୨୦୦୭ରେ ପ୍ରଥମ ଟାଇଟଲ ଜିତିଥିଲା ଟିମ୍ ଇଣ୍ଡିଆ । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପ ଜିତିଥିଲା ଭାରତ । ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟ ସର୍ବଦା ସ୍ମରଣୀୟ ହୋଇ ରହିବ ।