ନୂଆଦିଲ୍ଲୀ,୨୫/୦୬: ଭାରତୀୟ କ୍ରିକେଟ୍ ଟିମ୍ ଇଂଲଣ୍ଡ ବିପକ୍ଷରେ ଲିଡ୍ସର ହେଡିଂଲରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ୫ ୱିକେଟରେ ପରାସ୍ତ ହୋଇଛି । ବିଜୟ ପାଇଂ ଇଂଲଣ୍ଡକୁ ୩୭୧ରନ୍ ଟାର୍ଗେଟ ମିଳିଥିଲା । ଯାହାକୁ ମ୍ୟାଚରେ ଶେଷ ଦିନରେ ଶେଷ ସେସନ୍ରେ ହାସିଲ କରିନେଇଥିଲା । ଏହି ବିଜୟ ସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଘରୋଇ ଦଳ । ସିରିଜର ଦ୍ୱିତୀୟ ଟେଷ୍ଟ ଜୁଲାଇ ୨ରୁ ଏଜବେଷ୍ଟେନରେ ଖେଳାଯିବ । ତେବେ କାହିଁକି ଜିତିବା ମ୍ୟାଚକୁ ହାରିଲା ଭାରତ । କେଉଁଠି ରହିଲା ତ୍ରୁଟି । ଜାଣନ୍ତୁ ୫ କାରଣ ।
୪ ବ୍ୟାଟର ଶତକ କରିବା ସହିତ ମୋଟ ୫ଟି ସେଞ୍ଚୁରୀ କରିବା ପରେ ଭାରତ ପରାସ୍ତ ହୋଇଛି । ମ୍ୟାଚ ହାରିବାର ବଡ଼ କାରଣ କ୍ୟାଚ୍ ମିସ୍ । ଯଶସ୍ୱୀ ଜୈସ୍ୱାଲ ସବୁଠୁ ଅଧିକ କ୍ୟାଚ ଛାଡିଥିଲେ । ସେହିପରି ଜାଡେଜା, ପନ୍ତ, ସାଇ ସୁଦର୍ଶନ ଓ ବୁମରା ଗୋଟିଏ ଲେଖାଏଁ କ୍ୟାଚ ଛାଡିଥିଲେ । ସେହିପରି ଲୋୟର ଅର୍ଡରର ଫ୍ଲପ ଶୋ ପରାଜୟର ଏକ କାରଣ । ମୁକାବିଲାରେ ଶୀର୍ଷକ୍ରମର ପ୍ରଦର୍ଶନ ଭଲ ଥିଲା । ହେଲେ ଲୋୟର ଅର୍ଡର ବ୍ୟାଟିଂ ନୈରାଶ୍ୟଜନକ ଥିଲା । ପ୍ରଥମ ଇନିଂସରେ ଭାରତର ଶେଷ ୭ ୱିକେଟ୍ ୪୧ ରନ୍ରେ ପତନ ହୋଇଥିଲା । ଦ୍ୱିତୀୟ ଇନିଂସରେ ୩୧ ରନ୍ରେ ୬ ୱିକେଟ ହରାଇଥିଲା । ଫଳରେ ଭାରତ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା ।
୭୨ ରନ୍ରେ ୧୩ ୱିକେଟ୍, ୬ କ୍ୟାଚ୍ ମିସ୍- ପ୍ରଥମ ଟେଷ୍ଟରେ ଭାରତର ନିମ୍ନ କ୍ରମର ବ୍ୟାଟିଂ ଅତି ନୈରାଶ୍ୟଜନକ ରହିଥିଲା । ପ୍ରଥମ ଇନିଂସରେ ଦଳ ୪୧ ରନ୍ରେ ୭ ୱିକେଟ୍ ଏବଂ ଦ୍ୱିତୀୟ ଇନିଂସରେ ୩୧ ରନ୍ରେ ୬ଟି ୱିକେଟ୍ ହରାଇଥିଲା । ଯାହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଲା । ଯଦି ନିମ୍ନ ଭାଗର ବ୍ୟାଟିଂରେ କିଛି ସ୍କୋର ହୋଇଥାନ୍ତା, ତେବେ ଫଳାଫଳ ଭିନ୍ନ ହୋଇଥାନ୍ତା ।
ଶୁଭମନ ଗିଲ କହିଥିଲେ, ‘କିଛି କ୍ୟାଚ୍ ହାତଛଡ଼ା କରିବା ଏବଂ ନିମ୍ନ ଭାଗରେ ଦୁର୍ବଳ ଯୋଗୁ ଆମେ ପରାଜିତ ହେଲୁ । ତେବେ ଆମେ ଯୁବ, ଆମେ ଶିଖୁଛୁ³ ଆଶା କରୁଛି ଦଳ ପରବର୍ତ୍ତୀ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବ ।’ ଇଂଲଣ୍ଡର ରେକର୍ଡ ପଶ୍ଚାତଧାବନରେ ଇଂଲଣ୍ଡ ଦ୍ୱିତୀୟ ବୃହତ ବିଜୟ (୩୭୧ ରନ୍) ହାସଲ କରିଛି ।
ପୂର୍ବରୁ ୨୦୨୨ରେ ବର୍ମିଂହାମରେ ଭାରତ ବିପକ୍ଷରେ ଦଳ ୩୭୮ ରନ୍ର ଲକ୍ଷ୍ୟ ପୂରଣ କରିବାରେ ସଫଳ ହୋଇଥିଲା । କ୍ରମାନ୍ୱୟରେ ଭାରତର ତୃତୀୟ ପରାଜୟ ଭାରତ ଶେଷ ୯ଟି ଟେଷ୍ଟରୁ ୭ଟିରେ ପରାଜିତ ହୋଇଛି । ଗୋଟିଏ ଜିତିଥିବାବେଳେ ଗୋଟିଏ ଡ୍ର’ ରଖିଛି । ସେମିତି ଶେଷ ୩ଟି ମ୍ୟାଚ୍ରେ ଦଳ ପରାସ୍ତ ହୋଇଛି । ଉଭୟ ଇନିଂସରେ ୫ଟି ଶତକ ସତ୍ତେ୍ୱ ଭାରତ ପରାଜିତ ହେଲା । ଏହା ଏକ ଅଲୋଡ଼ା ରେକର୍ଡ । ପୂର୍ବରୁ ଅଷ୍ଟ୍ରେଲିଆ ୪ଟି ଶତକ ହାସଲ କରି ମଧ୍ୟ ଇଂଲଣ୍ଡ ଠାରୁ ପରାସ୍ତ ହୋଇଥିଲା ।