ନୂଆଦିଲ୍ଲୀ,୦୧/୧୦: ସମ୍ପ୍ରତି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ନିମ୍ନ ସ୍ତରରେ ରହିଛି । ବ୍ୟାରେଲ ପିଛା ଏହା ୭୫ ଡଲାର ତଳେ ଅଛି । ଏହାର ଭରପୁର ଲାଭ ମିଳୁଛି ତୈଳ ବିପଣନ କମ୍ପାନିଙ୍କୁ । ରାଷ୍ଟ୍ରାୟତ୍ତ ଇଣ୍ଡିଆନ୍ ଅଏଲ୍ କର୍ପୋରେଶନ୍ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ବିପିସିଏଲ୍) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍ (ଏଚ୍ପିସିଏଲ୍) ଲିଟର ପିଛା ପେଟ୍ରୋଲରେ ୧୫ ଟଙ୍କା ଆଉ ଡିଜେଲ ଉପରେ ୧୨ ଟଙ୍କା ଲାଭ କରୁଛନ୍ତି । କିନ୍ତୁ ଉପଭୋକ୍ତାଙ୍କୁ ଏହାର କୌଣସି ଫାଇଦା ମିଳୁନାହିଁ ।
ଅଶୋଧିତ ତୈଳ ଦର ବଡ଼ ଆକାରରେ ଖସିଥିଲେ ବି ଘରୋଇ ବଜାରରେ ପେଟ୍ରୋଲ ଓ ଡିଜେଲ ଦର ଯେଉଁଠି ଥିଲା ସେଇଠି । ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦର ବୃହତ୍ ମାତ୍ରାରେ ବଢ଼ିଥିବାବେଳେ ଇନ୍ଧନ ବାବଦ ବୋଝ କମିବାର ନାଁ ଧରୁନାହିଁ । ଅଶୋଧିତ ତୈଳ ଦରରେ ଯେଉଁ ମାତ୍ରାରେ ହ୍ରାସ ଘଟିଛି, ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଖାଉଟି ବଡ଼ ହ୍ରାସ ଆଶା ରଖିଥିବା କହିଛନ୍ତି ଇକ୍ରାର କର୍ପୋରେଟ୍ ରେଟିଙ୍ଗ୍ସ ବିଭାଗ ବରିଷ୍ଠ ଉପ-ସଭାପତି ତଥା ଗ୍ରୁପ୍ ମୁଖ୍ୟ ଗିରିଶ କୁମାର କଦମ ।
୨୦୨୪ ମାର୍ଚ୍ଚରୁ ପେଟ୍ରୋଲ ଏବଂ ଡିଜେଲ ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ । ଉକ୍ତ ସମୟରେ ଅର୍ଥାତ୍ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ଲିଟର ପିଛା ଉଭୟ ଇନ୍ଧନ ଦରରେ ୨ ଟଙ୍କା ଲେଖାଏଁ ହ୍ରାସ କରାଯାଇଥିଲା ।
ଗତ କିଛି ବର୍ଷ ହେବ ଭାରତରେ ଇନ୍ଧନ ଦର ଉଚ୍ଚ ସ୍ତରରେ ରହିଆସିଛି । ଦେଶର ଅନେକ ରାଜ୍ୟରେ ଲିଟର ପିଛା ପେଟ୍ରୋଲ ଦାମ ୧୦୦ ଟଙ୍କା ଉପରେ ଥିବାବେଳେ ଡିଜେଲ ୯୦ ଟଙ୍କାରୁ ଅଧିକ ରହିଛି । ଏହି ଦର ମୁଦ୍ରାସ୍ଫୀତି ଉପରେ ସିଧାସଳଖ ପ୍ରଭାବ ପକାଉଛି । ପରିବହନଠାରୁ ଆରମ୍ଭ କରି ବିମାନ ଚଳାଚଳ ଶିଳ୍ପ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ର ପ୍ରଭାବିତ ।
ଅନ୍ୟପକ୍ଷରେ, ଅଶୋଧିତ ତୈଳ ଦର ହ୍ରାସ ଫଳରେ ଭଲ ଲାଭ କରୁଛନ୍ତି ତୈଳ ବିପଣନ କମ୍ପାନି । ୨୦୨୩-୨୪ ଆର୍ଥିକବର୍ଷରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିଙ୍କ ମୋଟ ଲାଭ ୮୬,୦୦୦ କୋଟି ଟଙ୍କା ରହିଛି, ଯାହାକି ୨୦୨୨-୨୩ ତୁଳନାରେ ୨୫ ଗୁଣା ଅଧିକ । ଏତେ ମାତ୍ରାରେ ଲାଭ ସତ୍ତେ୍ୱ ଉପରୋକ୍ତାଙ୍କୁ ଏଯାଏ ଏହାର ସେଭଳି ଫାଇଦା ମିଳିନାହିଁ । ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ ପାଇଁ ଏବେ ଦର ହ୍ରାସ କରିବା ପାଇଁ ଯଥେଷ୍ଟ ସୁଯୋଗ ରହିଥିବା ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଆଗକୁ ମହାରାଷ୍ଟ୍ର ଏବଂ ହରିୟାଣାରେ ନିର୍ବାଚନ ଥିବାବେଳେ ଏହା ପୂବରୁ ଇନ୍ଧନ ଦରରେ ହ୍ରାସ ଘଟିପାରେ ବୋଲି ଆଶା ରହିଛି ।