ପାରାଦୀପ, ୨୨/୦୭ : ମିନି ଇଣ୍ଡିଆ କୁହାଯାଉଥିବା ପାରାଦୀପ ବନ୍ଦର ନଗରୀରେ ସ୍ଵାସ୍ଥ୍ୟସେବା ବିପର୍ଯ୍ୟସ୍ତ। ରୋଗୀଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ମିଳୁନଥିବା ଅଭିଯୋଗ। ଟ୍ରଲିରେ ବୋହି ସ୍ତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କଲେ ବୃଦ୍ଧ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏଭଳି ଏକ ଭିଡିଓ। ସ୍ଵାସ୍ଥ୍ୟସେବାର ବିଫଳ ଚିତ୍ରକୁ ପଦାରେ ପକାଇଛି ପାରାଦୀପର ଏହି ଦୃଶ୍ୟ ।
ଘଟଣାଟି ହେଉଛି ପାରାଦୀପ ଷଣ୍ଢକୁଦ ବସ୍ତି ଅଞ୍ଚଳର। ଜଣେ ବୃଦ୍ଧ ତାଙ୍କ ପତ୍ନୀଙ୍କୁ ଏକ ଟ୍ରଲିରେ ପକାଇ ମେଡିକାଲ ନେଉଥିଲେ। ଅଠରବାଙ୍କି ପୋଲ ନିକଟରେ ଜଣେ ବାଇକ୍ ଆରୋହୀ ସେମାନଙ୍କୁ ଦେଖି ଆମ୍ଵୁଲାନ୍ସ କଥା ପଚାରିଥିଲେ। ହେଲେ ଆମ୍ବୁଲାନ୍ସ ନମିଳିବାରୁ ଟ୍ରଲିରେ ବୋହି ନେଉଥିବା କଥା ବୃଦ୍ଧ ଜଣଙ୍କ କହିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ଯାହାକୁ ନେଇ ପାରାଦୀପରେ ସ୍ଵାସ୍ଥ୍ୟସେବା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପାରାଦୀପର ବସ୍ତି ଅଞ୍ଚଳରେ ଆଦିବାସୀ ଓ ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ରୁହନ୍ତି। ସେମାନେ ମୁଖ୍ୟତଃ ମାଛ ଧରିବା ଏବଂ ମାଛ ବ୍ୟବସାୟ କରୁଥିବାରୁ ଟ୍ରଲି ବ୍ୟବହାର କରିଥାନ୍ତି। ଯଦି କାହାର ଦେହ ଖରାପ ହୁଏ ସେମାନେ ଆମ୍ବୁଲାନ୍ସକୁ ଡାକିବା ବଦଳରେ ସଙ୍ଗେ ସଙ୍ଗେ ରୋଗୀକୁ ଟ୍ରଲିରେ ପକାଇ ମେଡିକାଲ ନେଇ ଆସିଥାନ୍ତି। ଉକ୍ତ ଘଟଣା ସମୟରେ ମଧ୍ୟ କେହି ଆମ୍ବୁଲାନ୍ସକୁ ଫୋନ କରିନଥିବା ତଦନ୍ତରୁ ଜଣାପଡ଼ିଥିବା ଅଠରବାଙ୍କି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।