ଖଲ୍ଲିକୋଟ,୨୨/୭ : ଖଲ୍ଲିକୋଟ ଅଞ୍ଚଳରେ ଦେଶୀ ମଦର ବ୍ୟାପକ ଚୋରା ଚାଲାଣ ହେଉଥିବାବେଳେ ଏହାକୁ ରୋକିବା ପାଇଁ ସ୍ଥାନୀୟ ଅବକାରୀ ବିଭାଗ ତରଫରୁ ସେଭଳି କୌଣସି ଆଖି ଦୃଶିଆ ପଦକ୍ଷେପ ଦେଖିବାକୁ ମିଳୁନି। ଆଜି ଭୋରରୁ ଏକ କାର ଯୋଗେ ଦେଶୀ ମଦ ଚୋରା ଚାଲାଣ ହେଉଥିବାବେଳେ ଖବରପାଇ ଖଲ୍ଲିକୋଟ ପୁଲିସ ଚଢ଼ଉ କରି ବିପୁଳ ପରିମାଣର ଦେଶୀ ମଦ ସହ କାରକୁ ଜବତ କରିଥିଲା। ଏହାସହ ବେଆଇନ ଦେଶୀ ମଦ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ ।
ସୂଚନା ଅନୁସାରେ, ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଥାନା ଏସଆଇ ଦେବଦତ୍ତ ପ୍ରିୟଦର୍ଶୀ, ଏସଆଇ କେଶବ ଷଡ଼ଙ୍ଗୀ, କନଷ୍ଟେବଳ ରମାକାନ୍ତ ନାୟକ, ଓଏପିଏଫ ଆଲିଆସ ଶବର ଆଜି ଭୋର ପ୍ରାୟ ୪ଟା ସମୟରେ ଥାନା ଅଂଚଳରେ ପାଟ୍ରୋଲିଂ କରୁଥିବା ସମୟରେ ରନ୍ଧା ଦେଶୀ ମଦର କୁଟୀର ଶିଳ୍ପ ପାଲଟିଥିବା ଗୁହାରିଆପାଟ ଅଞ୍ଚଳରୁ ଦେଶୀ ମଦ ଏକ କାର ଯୋଗେ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ନିର୍ମଳଝର ଛକ ନିକଟରେ ଚଢ଼ଉ କରିଥିଲେ।
କାର୍ ଭିତରୁ ୧୦ଟି ଅଖା ବସ୍ତାରେ ଥିବା ୭୨୦ଲିଟର ଦେଶୀ ମଦ ସହ କାରକୁ ଜବତ କରିଥିଲେ ଏବଂ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ଗିରଫ ଯୁବକ ଜଣଙ୍କ ଆସିକା କୋଟିନଡ଼ା ଅଞ୍ଚଳର ଶମ୍ଭୁ ସାହୁ ବୋଲି ଜଣା ପଡିଛି । ଏ ସମ୍ପର୍କରେ ଥାନାରେ କେଶ ନମ୍ବର ୬୦୬/୨୫ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।