ଭୁବନେଶ୍ୱର, ୦୯/୦୨: ମା କ୍ଷୀର ହେଉଛି ଶିଶୁ ପାଇଁ ଅମୃତ । ମା’କ୍ଷୀର ନପାଇଲେ ଶିଶୁର ଜୀବନ ଚାଲିଯିବାର ଆଶଙ୍କା ଥାଏ । ସେଥିପାଇଁ ନବଜାତ ଶିଶୁକୁ ପ୍ରଥମ ଆହାର ଭାବେ ମା’ର କ୍ଷୀର ଦେବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି । ହେଲେ ଏମିତି କିଛି ଜନ୍ମିତ ଶିଶୁ ଥାଆନ୍ତି, ଯେଉଁମାନଙ୍କୁ ମା’କ୍ଷୀର ମିଳିନଥାଏ କିମ୍ବା ଜନ୍ମ ଦେବାପରେ ମା’ଙ୍କ ମୃତ୍ୟୁ ଘଟେ । ସେଭଳି ଶିଶୁଙ୍କୁ ମା’କ୍ଷୀର ଦେବା ପାଇଁ ଓଡ଼ିଶାରେ ପ୍ରଥମ ଥର ପାଇଁ କ୍ୟାପିଟାଲ ହସ୍ପିଟାଲରେ ଖୋଲିଛି ମା’କ୍ଷୀର ଭଣ୍ଡାର(ମଦର୍ସ ମିଲ୍କ ବ୍ୟାଙ୍କ) । ଏଠାରେ ମାତୃହୀନ ନବଜାତ ଶିଶୁଙ୍କୁ ନିଶୁଳ୍କରେ ମା’କ୍ଷୀର ଯୋଗାଇ ଦିଆଯାଉଛି । ଗତ ବର୍ଷକ ମଧ୍ୟରେ ୪୨୬ଜଣ ମା’ ସ୍ୱଇଚ୍ଛାରେ ଏଠାରେ କ୍ଷୀରଦାନ କରିଛନ୍ତି । ମୋଟ ୬୪୬୬୩୩ ମିଲିଲିଟର କ୍ଷୀର ସଂଗ୍ରହ ହୋଇଛି । ସେହିପରି ୧୪୧୬ ଶିଶୁଙ୍କୁ କ୍ଷୀର ପାନ କରାଯାଇଛି । ପ୍ରତିଦିନ ୩ରୁ ୪ ଲିଟର କ୍ଷୀର ସଂଗ୍ରହ କରାଯାଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । କ୍ୟାପିଟାଲ ହସ୍ପିଟାଲ ପରେ ଏବେ କଟକ ଏସ୍ସିବିରେ ଏକ ମଦର ମିଲ୍କ ବ୍ୟାଙ୍କ ଖୋଲିଛି ।
ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ କ୍ୟାପିଟାଲ ହସ୍ପିଟାଲ ମିଳିତ ସହଭାଗିତାରେ ୨୦୨୨ ଜାନୁଆରୀ ୭ରେ କ୍ୟାପିଟାଲ ହସ୍ପିଟାଲ ଶିଶୁ ବିଭାଗ ପରିସରରେ ମଦର୍ସ ମିଲ୍କ ବ୍ୟାଙ୍କ୍ ସ୍ଥାପନ ହୋଇଥିଲା । ଏହାକୁ କମ୍ପ୍ରେହେନସିଭ୍ ଲାକ୍ଟେସନ୍ ମ୍ୟାନେଜମେଣ୍ଟ ସେଣ୍ଟର (ସିଏଲ୍ଏମ୍ସି) ମଧ୍ୟ କୁହାଯାଉଛି । ସ୍ୱଇଚ୍ଛାରେ ମା’ମାନେ କ୍ଷୀରଦାନ କରିବାକୁ ହସ୍ପିଟାଲର ପ୍ରସୂତି ବିଭାଗରେ ସଚେତନ କରାଯାଉଛି ।
କ୍ଷୀରଦାନ କରୁଥିବା ମା’ ଗତ ବାରମାସ ମଧ୍ୟରେ ରକ୍ତ ନେଇନଥିବେ କିମ୍ବା ଶରୀରର କୌଣସି ଅଙ୍ଗ ପ୍ରତିରୋପଣ କରାଇ ନଥିବେ କିମ୍ୱା ଟାଟୁ କରିନଥିବେ । କୌଣସି ମାଦକ ଦ୍ରବ୍ୟ ସେବନ କରୁନଥିବେ । ମହିଳାଙ୍କୁ ଏଚ୍ଆଇଭି, ଯକ୍ଷ୍ମା କିମ୍ୱା କୌଣସି ରୋଗ ହୋଇନଥିବ । ଗତ ୩ ବର୍ଷ ମଧ୍ୟରେ ସେ କର୍କଟ ରୋଗରେ ଆକ୍ରାନ୍ତ କିମ୍ବା ୧୫ଦିନ ମଧ୍ୟରେ ତାଙ୍କର ଥଣ୍ଡା କିମ୍ୱା କାଶ ଲାଗି ରହି ନଥିବ । ମାସକ ମଧ୍ୟରେ ରୁବେଲା, ମିଜାଇଲସ୍ ଆଦି ଟିକା ନେଇ ନ ଥିବେ । ୩ ମାସ ମଧ୍ୟରେ ଭ୍ୟାରିସିଲା ଭ୍ୟାକ୍ସିନ୍ ନେଇ ନ ଥିବେ । ମିଳିମିଳା, ହାଡ଼ଫୁଟି, ହରପିସ୍ ଭଳି ରୋଗରେ ଆକ୍ରାନ୍ତ ନ ଥିବେ । ଏସବୁ ଯାଞ୍ଚ ପରେ ମା’ଙ୍କୁ ସାନିଟାଇଜ୍ କରାଯାଇଥାଏ ଓ ପିନ୍ଧାବସ୍ତ୍ର ପରିବର୍ତ୍ତନ କରି ୟୁନିଟ୍କୁ ନିଆଯାଏ । ପରେ ମା’ଙ୍କ ସ୍ତନ ସଫା କରିବା ପାଇଁ ସାପ୍ ୱାଟର ଏବଂ ଆରୋ ୱାଟର୍ ବ୍ୟବହାର କରାଯାଏ । ପରେ ତାଙ୍କୁ ମେସିନ୍ ନିକଟରେ ବସାଇ କ୍ଷୀର ସଂଗ୍ରହ କରାଯାଇଥାଏ । ଏହାପରେ ଏମ୍ଓଏମ୍(ମଦର ଓନ୍ ମିଲ୍କ) ବା ନିଜ ପିଲା ପାଇଁ ଆବଶ୍ୟକ କ୍ଷୀରକୁ ଅଲଗା କରାଯାଏ । ବଳକା କ୍ଷୀରକୁ ଫ୍ରିଜ୍ରେ ୨୪ ଘଣ୍ଟା ପର୍ଯ୍ୟନ୍ତ ଏବଂ ପରେ ମାଇନସ୍ ୨୦ ଡିଗ୍ରୀରେ ଡିପ୍ ଫ୍ରିଜରରେ ରଖାଯାଏ । ୩ ମାସ ପର୍ଯ୍ୟନ୍ତ କ୍ଷୀର ଡିପ୍ ଫ୍ରିଜରରେ ରୁହେ । ଏହି ୩ମାସ ମଧ୍ୟରେ କ୍ଷୀରକୁ ପୃଥକୀକରଣ କରାଯାଇଥାଏ ।
ଏଥିପାଇଁ ପୂର୍ବଦିନରୁ କ୍ଷୀରକୁ ଡିପ୍ ଫ୍ରିଜରରୁ ବାହାର କରାଯାଇ ନର୍ମାଲ ଫ୍ରିଜ୍ରେ ରଖାଯାଇଥାଏ । ପ୍ରକ୍ରିୟାକରଣ କରାଯିବା ସ୍ଥାନକୁ ଭଲ ଭାବରେ ସଫା କରାଯିବା ସହ କ୍ଷୀରକୁ ମାଇକ୍ରୋବାୟୋଲୋଜି ଟେଷ୍ଟ ପାଇଁ ପଠାଯାଏ । ଏଥିପାଇଁ ନମୁନା ସଂଗ୍ରହ କରିବାକୁ ଆବଶ୍ୟକ ଉପକରଣଗୁଡ଼ିକ ୟୁଭି ଲାଇଟ୍ ଅନ୍ କରାଯାଇ କ୍ଲାରିଫାଏ କରାଯାଏ । ଏହି ଲାଇଟ୍ ବନ୍ଦ ହେବା ପରେ ବିଶୁଦ୍ଧୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ପରେ ପୁଣି ଥରେ କ୍ଷୀରକୁ କଲ୍ଚର୍ ଭାଲ୍ଭରେ ଟେଷ୍ଟ ପାଇଁ ପଠାଯାଏ । ରିପୋର୍ଟ ଆସିବା ପରେ କ୍ଷୀରକୁ (୨୫୦ମିଲିଲିଟର) ବୋତଲରେ ସିଲ୍ କରାଯାଇ ଡିପ୍ ଫ୍ରିଜ୍ରେ ରଖାଯାଇଥାଏ । ଏହି କ୍ଷୀର ୨ ପ୍ରକାର ଯଥା, ପିଟି (ପ୍ରିଟର୍ମ), ଯେଉଁ କ୍ଷୀରକୁ ୩୭ ମାସ ପୂର୍ବର ହୋଇଥିବା ପିଲା ଖାଇବେ ଏବଂ ଏଫ୍ଟି (ଫୁଲ ଟର୍ମ)କୁ ୩୭ ମାସରୁ ଅଧିକ ଦିନର ଶିଶୁ ଖାଇପାରିବେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।