ଆଜି କିମ୍ବା କାଲି ନୁହଁ । ଆଳୁ ଯାତନା ପ୍ରାୟ ୧୦/୧୨ ବର୍ଷ ତଳର । ସରକାର ସମାଧାନର ବାଟ ପାଉନାହାନ୍ତି । କେବଳ ଗୋଲାପୀ ଭାଷଣ ଦେଇ ଆତ୍ମସନ୍ତୋଷ ନେଉଛନ୍ତି । ଖାଉଟି ବିଚରା ଦରବୃଦ୍ଧିର ଅଠାକାଠିରେ ଛଟପଟ ।
ମହଙ୍ଗା ନିଆଁ । ଦରବୃଦ୍ଧିର କୋରଡ଼ା ମାଡ଼ । କାନ୍ଦୁଛି ଖାଉଟି । ସାରା ରାଜ୍ୟ ଆଳୁ ଯାତନାରେ ଛଟପଟ । ହୁ ହୁ ହୋଇ ଦର ବଢ଼ୁଛି । ନିଇତି ହାଣ୍ଡିଶାଳରେ ଦରକାର ପଡ଼ୁଥିବା ଆଳୁ କରୁଛି ପକେଟ ଖାଲି । ବଜାରରେ ଦି’ଗୁଣା ଦରରେ ଆଳୁ କିଣୁଛି ସାଧାରଣ ଖାଉଟି । ଗରିବ ପରିବାରକୁ କଲବଲ କରୁଛି ଆଳୁ । ସରକାର ହାତ ଟେକି ଦେଇଛନ୍ତି । ପଡ଼ୋଶୀ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇ ବସିଛନ୍ତି । କୋଲକାତା ଯେମିତି ନଚାଉଛି, ଆମେ ସେମିତି ନାଚୁଛୁ । ମଥାପାତି ସହୁଛୁ ଜୁଲୁମ୍ । କ’ଣ ବା ଆଉ ଚାରା ଅଛି? ‘ଆଳୁ’ରେ ଆତ୍ମନିର୍ଭରଶୀଳ ହେବାକୁ ସବୁ ସମ୍ଭାବନା ଅଛି । ମାତ୍ର ସରକାରୀ ଇଚ୍ଛାଶକ୍ତି ଓ ଆନ୍ତରିକତାର ଅଭାବ ହାଣ୍ଡିଶାଳରେ ପକାଉଛି ଚଡ଼କ । ପୁରୁଣା ସରକାର ନାନାବାୟା ଗୀତ ଶୁଣାଇ ଶୁଣାଇ ଗଲେ । ନୂଆ ସରକାରରେ ଏବେ ନୂଆ ଗପ । କେତେବେଳେ ‘ଉତ୍ତରପ୍ରଦେଶ ଆଳୁ’ ତ ଆଉ କେତେବେଳେ ‘ପଞ୍ଜାବ ଆଳୁ’ର ସ୍ୱପ୍ନ ଦେଖାଉଛନ୍ତି । ଟ୍ରେନ୍ରେ ଆଳୁ ଆସିବ କହି କଟା ଘା’ରେ ଚୂନ ମାରୁଛନ୍ତି । ଅସଲ ସମସ୍ୟା ଯେଉଁଠିକୁ ସେଇଠି । ଖାଉଟି ହେଉଛି ଛଟପଟ ।
‘ଆଳୁ ମିଶନ୍’ ଫେଲ୍
ଆଳୁ ଏବେ ନିତିଦିନର ବ୍ରେକିଂ ନ୍ୟୁଜ୍ । ପିଆଜ ବି ଆଖିରୁ ଲୁହ ନିଗାଡ଼ୁଛି । ଆଳୁ କାଟିଲା ବେଳକୁ ହାତ ଥରୁଛି । ଲମ୍ବା ଲମ୍ଫ ମାରି ଆଳୁ ଦର ଛୁଇଁଛି ୫୫ । ନାହିଁ ନଥିବା ଦରବୃଦ୍ଧିରେ ସମସ୍ତେ ଜର୍ଜରିତ । କେବେ ମିଳିବ ମୁକ୍ତି? କଳାବଜାରୀ ମୁନାଫା ଉଠାଇ ଚାଲିଛନ୍ତି । ଖାଉଟିର ସରୁନି ଯାତନା । ଦିନକୁ ଦିନ ଅସହ୍ୟ ହେଉଛି ବଜାର ତାତି । ବଜାରରେ ପ୍ରତ୍ୟେକ ଆବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢ଼ି ଚାଲିଛି । ଦିନ ମଜୁରିଆଙ୍କଠୁ ଆରମ୍ଭ କରି ଗରିବଙ୍କ ଉପରେ ଏ ‘ମହଙ୍ଗା ମାଡ଼’ ମହଙ୍ଗା ପଡ଼ିଛି । ପ୍ରତି ଘର ପାଇଁ ଆବଶ୍ୟକ ଆଳୁ-ପିଆଜର ଦରବୃଦ୍ଧି ତାତିରେ ଖାଉଟି ଅସହାୟ । ଆଜି ନୁହଁ କିମ୍ବା ଗତକାଲି । ଏ ଆଳୁ ଯନ୍ତ୍ରଣା ପ୍ରାୟ ୧୦/୧୨ ବର୍ଷ ତଳର । ସରକାର ସମାଧାନର ବାଟ ପାଉନାହାନ୍ତି । କେବଳ ଗୋଲାପୀ ଭାଷଣ ମାରି ଆମକୁ ଠକୁଛନ୍ତି । ଆତ୍ମସନ୍ତୋଷ ପାଉଛନ୍ତି । ୨୦୧୫-୧୬ରେ ଆଳୁ ଅଭାବ ଏତେ ଦହଗଞ୍ଜ କଲା ଯେ ରାଜ୍ୟ ସରକାର ଆରମ୍ଭ କଲେ ଆଳୁ ମିଶନ । ରାଜ୍ୟରେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା । ଆଳୁ ମିଶନରେ ଲକ୍ଷ୍ୟ ରହିଲା, ୬୦ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେବ । ମିଶନ ଫଳାଇବ ୧୨ ଲକ୍ଷ ଟନ୍ ଆଳୁ । ସରକାର ପାଣି ଭଳି ଟଙ୍କା ଖର୍ଚ୍ଚ କଲେ । ଅବସ୍ଥା କିନ୍ତୁ ଯଥା ପୂର୍ବଂ ତଥା ପରଂ । ନା ଆଳୁ ଚାଷ ବଢ଼ିଲା, ନା ଉତ୍ପାଦନଗ୍ରାଫ୍ ଉପରମୁହାଁ ହେଲା । ଆଳୁ ଉତ୍ପାଦନ ପରେ ସଂରକ୍ଷଣ ବଡ଼ ଚାଲେଞ୍ଜ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ୧୧୨ଟି ଶୀତଳଭଣ୍ଡାର ନିର୍ମାଣ ପାଇଁ ଧାର୍ଯ୍ୟ ହୋଇଥିଲା । ସରକାରୀ ଇଚ୍ଛାଶକ୍ତି ଅଭାବରୁ ମାତ୍ର ୨୬ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଲା । ଟଣା ଓଟରା ହୋଇ ୨୪ଟି ଶୀତଳଭଣ୍ଡାର ନିର୍ମାଣ ହେଲା । ଅଧାରୁ ଅଧିକ ଏବେ ଅଚଳ ଅବସ୍ଥାରେ । କେଉଁ ଶୀଳତଭଣ୍ଡାର ୬ ମାସରେ ତାଲା ପଡ଼ିଲା । ଆଉ କାହାର ଆୟୁଷ ହେଲା ମାତ୍ର ବର୍ଷେ କି ଦି’ବର୍ଷ ।
ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଓ ନିଷ୍ଠାପଣ ଅଭାବରୁ ଆଳୁ ମିଶନ୍ ସମ୍ପୂର୍ଣ୍ଣ ଫେଲ୍ ହେଲା । ମହାଶୂନ୍ୟରେ ମିଳେଇଗଲା ଏ ମିଶନ୍ । ରାଜକୋଷରୁ ପ୍ରାୟ ୨୭୦ କୋଟି ଟଙ୍କା ପାଣିରେ ପଡ଼ିଲା । ଚାଷୀକୁ ପ୍ରୋତ୍ସାହନ ମିଳିଲାନି । ବାବୁମାନେ ପକେଟ୍ ଗରମ କଲେ । ଆଳୁ ଚାହିଦା ପୂରଣ କରିପାରିଲାନି ଉତ୍ପାଦନ । ଆମେ ସେଇମିତି ଅଠାକାଠିରେ କଲବଲ । ନୂଆ ସରକାର ପୁଣି ମିଶନ୍କୁ ୩ ବର୍ଷ ବଢ଼ାଇଛନ୍ତି । ସମଦଶା ପିଆଜର । ସରକାରୀ ଆକଳନ କହୁଛି, ରାଜ୍ୟରେ ବାର୍ଷିକ ହାରାହାରି ୩.୭୫ ଲକ୍ଷ ମେଟ୍ରିକ ଟନ୍ ପିଆଜର ଆବଶ୍ୟକତା ଅଛି । ଗତବର୍ଷ ୪.୨୦ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହେଇଥିଲା । ଅତଏବ ଚାହିଦାଠୁ ଅଧିକ ଉତ୍ପାଦନ । ମାତ୍ର ୬ ମାସ ହେବ ୫୦ରୁ ଦର ଖସୁନି । ଶୀତଳଭଣ୍ଡାର ନ ଥିବାରୁ ଅମଳ ଋତୁରେ ବାହାର ରାଜ୍ୟର ବେପାରୀ କମ୍ ଦାମରେ କିଣି ନେଉଛନ୍ତି । ସଂରକ୍ଷିତ କରୁଛନ୍ତି । ଆମର ସଂକଟ ସମୟରେ ଦି’ଗୁଣା ଦାମରେ ଆମକୁ ବିକୁଛନ୍ତି । ଆମ ଚାଷୀ ହକ୍ ମୂଲ୍ୟ ପାଉନି । ଖାଉଟି କିନ୍ତୁ ଚଢ଼ା ଦାମରେ କିଣୁଛନ୍ତି । ବାଃ..କି ବ୍ୟବସ୍ଥା ଆମର । କାହାକୁ କହିବା । କିଏ ଶୁଣିବ?
ପର୍ଯ୍ୟାପ୍ତ ସମ୍ଭାବନା, ଇଚ୍ଛାଶକ୍ତି ଶୂନ
ଢେର ସମ୍ଭାବନା । ଶୂନ ଇଚ୍ଛାଶକ୍ତି । ଉନ୍ନତ ମାଟି ଆଉ ଅନୁକୂଳ ଜଳବାୟୁ । ହେଲେ ସରକାର ବାହାଦୂରଙ୍କର ନା ଅଛି ଚାଷୀକୁ ପ୍ରୋତ୍ସାହନ ନା ଦୀର୍ଘମିଆଦି ଯୋଜନା । ଆଳୁ ଉତ୍ପାଦନରେ ଆମେ ପଛୁଆ । ସ୍ୱାବଲମ୍ବୀ ହେଇପାରୁନୁ । ପଡ଼ିଶାକୁ ଚାହିଁ ବସିଛୁ । ପଡ଼ୋଶୀ ପଶ୍ଚିମବଙ୍ଗରେ ଆଳୁ ଯାହାକୁ ଯେତେ । ସେଠି ୧୫୦ ଲକ୍ଷ ଟନ୍ ଆଳୁ ଉତ୍ପାଦନ ହେଉଥିଲା ବେଳେ ଆମର ମାତ୍ର ୩ ଲକ୍ଷ ଟନ୍ । କ’ଣ କାରଣ?
ଆଳୁ ମୁଖ୍ୟତଃ ପଟୁ ଓ ଦୋରସା ମାଟିରେ ଚାଷ ହୁଏ । ଏହି ମାଟି ଓଡ଼ିଶାର ବିଭିନ୍ନ ନଦୀକୂଳରେ ରହିଛି । ମହାନଦୀ, ବ୍ରାହ୍ଣଣୀ, ବୈତରଣୀ, ସୁବର୍ଣ୍ଣରେଖା ଓ ଋଷିକୂଲ୍ୟା ଭଳି ନଦୀକୂଳିଆ ଜିଲ୍ଲା ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ, ଗଞ୍ଜାମ ଓ ଗଜପତିରେ ଆଳୁ ଚାଷ ପାଇଁ ଢ଼େର ପଟୁ ଓ ଦୋରସା ମାଟି ରହିଛି । ଏହି ସବୁ ସ୍ଥାନରେ ଆଳୁ ଚାଷ ହୋଇପାରିବ । ରାଜ୍ୟରେ ବିଶେଷଭାବେ ଚନ୍ଦ୍ରମୁଖୀ ଓ କୁଫ୍ରି ଜ୍ୟୋତି ଆଳୁ ଚାଷ ପାଇଁ ପରିବେଶ ରହିଛି । ମାତ୍ର ଆମ ରାଜ୍ୟରେ ବଡ଼ ସମସ୍ୟା ହେଉଛି ଚାଷକୁ ପ୍ରୋତ୍ସାହନ ନାହିଁ । ଶୀତଳଭଣ୍ଡାରର ଅଭାବ ହିଁ ବଜାରରେ ସଂକଟ ଆଣୁଛି । ସରକାର କିନ୍ତୁ ହାତବାନ୍ଧି ବସିଛନ୍ତି ।
ସତୁରୀ ଦଶକରେ ୩୦ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଥିଲା । ଯେଉଁଠି ବର୍ଷକୁ ୩ଲକ୍ଷ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ ହେଉଥିଲା। ଶୀତଳଭଣ୍ଡାର ନଥିବାରୁ ଆଳୁ ଚାଷୀ ହକ୍ ମୂଲ୍ୟ ପାଉନି । ଚାଷ ପାଇଁ ଚାଷୀ କୁନ୍ଥକୁନ୍ଥ । ରାଜ୍ୟର ବାର୍ଷିକ ଚାହିଦା ୧୫ଲକ୍ଷ ଟନ୍ ଆଳୁ । ପଶ୍ଚିମବଙ୍ଗରୁ ଆସେ ପ୍ରାୟ ୯୦ ପ୍ରତିଶତ । ସବୁ ସମ୍ଭାବନା ଥାଇ ମଧ୍ୟ ଆମେ ହାତବାନ୍ଧି ବସିଛୁ । ପଶ୍ଚିମବଙ୍ଗ ସରକାରଙ୍କ ଆଳୁ ଜୁଲମ୍ ସହୁଛୁ । ଗରିବ ମୁଣ୍ଡରେ ଦରବୃଦ୍ଧିର ଚଡ଼କ ପଡ଼ିଲେ ସରକାରଙ୍କର ବା କେତେ ଯାଏ ଆସେ? ମୌନବ୍ରତ ଛାଡ଼ନ୍ତୁ ସରକାର ।
ଆତ୍ମନିର୍ଭର ପାଇଁ ଲୋଡ଼ା ଆନ୍ତରିକତା
ମହଙ୍ଗା ମାଡ଼ର ଘା’ଶୁଖୁନି । ମାସ ମାସ ଯନ୍ତ୍ରଣା ଲାଗି ରହୁଛି । କେବେ ମିଳିବ ମୁକ୍ତି? ଆଳୁ, ପିଆଜର ଦରବୃଦ୍ଧି ଏଡ଼ାଇବାକୁ ସରକାର ବାଟ କାଢ଼ନ୍ତୁ । ବଜାର ଚାହିଦା ଓ ଯୋଗାଣ ମଧ୍ୟରେ ତାଳମେଳ ରଖିବାକୁ ଦୀର୍ଘମିଆଦି ଯୋଜନା ଆଣନ୍ତୁ । ଚାଷ ଓ ଚାଷୀଙ୍କୁ ଦିଅନ୍ତୁ ବଳ । ଅଧିକରୁ ଅଧିକ ପଣ୍ୟାଗାର ଓ ଶୀତଳଭଣ୍ଡାର ନିର୍ମାଣ ହେଉ । ଉନ୍ନତ କୃଷି ବୈଷୟିକ ଜ୍ଞାନ ପ୍ରୟୋଗ ସହ ଭିତ୍ତିଭୂମି ବଢ଼ୁ । ଆଳୁ ଚାଷକୁ ପ୍ରୋତ୍ସାହନ ମିଳୁ । ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ଦିଅନ୍ତୁ ସରକାର । ଚାଷୀ ଇଚ୍ଛା କରିବ । କ୍ଷେତରେ ଆଳୁ ଫଳାଇବ । ଦି’ପଇସା ରୋଜଗାର କରିବ । ହସଖୁସିରେ ଆଗକୁ ଗଡ଼ିବ ତା ସଂସାର ଗାଡ଼ି । ଦରମା ଓ ହାତପାଣ୍ଠି ବଢ଼ାଇବାକୁ ଶାସକ ବିରୋଧୀ ଏକଜୁଟ ହୋଇପାରୁଛନ୍ତି । ମାତ୍ର ଆଳୁ ସଂକଟ ବେଳକୁ କଥା କଟାକଟି । ଦୋଷ ଠେଲାଠେଲି । ଆଳୁଦର ବୃଦ୍ଧିର ପାପ ପୂର୍ବ ସରକାରଙ୍କ ମୁଣ୍ଡରେ ଖାଲି ବୋଳିଦେଲେ ହେବନି । ନୂଆ ସରକାର ଦାୟିତ୍ୱ ନିଅନ୍ତୁ । ଆଳୁ/ପିଆଜରେ ରାଜ୍ୟକୁ ସ୍ୱାବଲମ୍ବୀ କରିବାକୁ ନୂଆ ଯୋଜନା ଆଣନ୍ତୁ । ଆଗ୍ରହ ଓ ନିଷ୍ଠାପଣ ରହୁ । ରାଜ୍ୟରେ ଏବେ ଡବଲ୍ ଇଞ୍ଜିନ ସରକାର । ଲୋକଙ୍କର ବହୁତ ଆଶା । ଆଳୁ ମିଶନ୍କୁ ତ ସରକାର ଆଉ ୩ ବର୍ଷ ବଢ଼ାଇଛନ୍ତି । ଡବଲ୍ ବେଗରେ ମିଶନ କାମ କରୁ । ସରକାର ଗାଲୁଗପ ଛାଡ଼ନ୍ତୁ । ଗମ୍ଭୀର ହୁଅନ୍ତୁ । ଆନ୍ତରିକତା ଓ ଇଚ୍ଛାଶକ୍ତି ଦେଖାନ୍ତୁ । ନୂଆ ସରକାରଙ୍କ ନୂଆ ମିଶନ୍ ଆଜି ନହେଲେ ମଧ୍ୟ ଆସନ୍ତାକାଲି ରାଜ୍ୟବାସୀଙ୍କୁ ମହଙ୍ଗାମାଡ଼ରୁ ନିଶ୍ଚୟ ନିସ୍ତାର ଦେବ ।