ଧର୍ମଶାଳା,୧୪/୦୮ ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ। ୩୮ଜଣ ଜଣ ସରପଞ୍ଚ ଓ ସମିତି ସଭ୍ୟ ଆଣିଲେ ଅନାସ୍ଥା। ଉପଜିଲ୍ଲାପାଳଙ୍କ ନିକଟ ପହଞ୍ଚି ଲିଖିତରେ ଦେଲେ ଜନପ୍ରତିନିଧି। ଗୁରୁବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ୩୮ଜଣ ଜଣ ସରପଞ୍ଚ ଓ ସମିତି ସଭ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜ ନିଜର ପ୍ରମାଣପତ୍ର ସହ ପହଞ୍ଚି ଦସ୍ତଖତ ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଥିବା ଜଣାପଡିଛି।
ଚଳିତ ମାସ ୧୧ ତାରିଖରେ ୩୮ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କର ବାରବାଟୀ ଠାରେ ଏକ ରୁଦ୍ଧଦ୍ୱାର ବୈଠକ ପରେ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଆଣିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥିରେ ୨୦ଜଣ ସରପଞ୍ଚ ଓ ୧୮ଜଣ ସମିତି ସଭ୍ୟ ସ୍ୱାକ୍ଷର କରିଥିଲେ । ଏହି ସମସ୍ତ ପ୍ରତିନିଧି ଗତ ନିର୍ବାଚନରେ ବିଜେଡି ସମର୍ଥନରେ ବିଜୟୀ ହୋଇଥିଲେ । ଚଳିତ ସାଧାରଣ ନିର୍ବାଚନରେ ବିଧାୟକ ଭାବେ ହିମାଂଶୁ ଶେଖର ସାହୁ ବିଜୟୀ ହୋଇଥିଲେ । ଏହା ପର ଠାରୁ ବିଜେପି ବିଧାୟକ ଓ ବିଜେଡି ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ପଞ୍ଚାୟତରେ ସରକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟ କରିବାରେ ସମସ୍ୟା ସୃଷ୍ଟି ହୋଇଥିଲା ।
ଏଥିପାଇଁ ଗତବର୍ଷ ଡିସେମ୍ବର ମାସରେ ୩୦ରୁ ଊଦ୍ଧ୍ୱର୍ ଜନପ୍ରତିନିଧି ବିଜେପିରେ ଯୋଗ ଦେଇଥିଲେ । ଏହାପରେ ଆହୁରି ଅନେକ ଜନପ୍ରତିନିଧି ବିଧାୟକଙ୍କ ସହିତ ଯୋଗାଯୋଗରେ ରହିଥିଲେ । ୪୫ପଞ୍ଚାୟତରୁ ବହୁ ସରପଞ୍ଚ ଓ ସମିତିସଭ୍ୟ ବର୍ତ୍ତମାନ ବିଜେପିକୁ ଆସିବା ପରେ ବିଜେପି ଧୀରେ ଧୀରେ ସୁଦୃଢ଼ ହୋଇଛି । ଅଧ୍ୟକ୍ଷ ବଦଳିଲେ ଅବଶିଷ୍ଟ ଦେଢ଼ ବର୍ଷ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ସଠିକ୍ ଭାବରେ ଚାଲିବ ବୋଲି ସଦସ୍ୟମାନେ ପ୍ରକାଶ କରିଛନ୍ତି।