ବରଗଡ଼, ୧୪/୦୮: ଆନ୍ଦୋଳନ କରିବା ବେଳେ ଚାଷୀଙ୍କୁ ଉଠେଇ ନେଲା ପୋଲିସ । ପଞ୍ଜୀକରଣକୁ ସରଳିକରଣ ପାଇଁ ଆଜି ବରଗଡ ଜିଲ୍ଲା କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ତଥା ରାଜପଥ ଅବରୋଧ କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆନ୍ଦୋଳନ କରିବା ମାତ୍ରେ ପୁଲିସ ଚାଷୀ, ନେତା ତଥା ଶତାଧିକ ଚାଷୀଙ୍କୁ କଳାପାଣି ମାର୍କେଟ ମଣ୍ଡିରୁ ଉଠାଇ ନେବା ପରେ ଚାଷୀଙ୍କ ସରକାରୀ କଳ ଓ ବଳର ଦୁର୍ବ୍ୟବହାର ଅଭିଯୋଗ ଏବେ ଚର୍ଚ୍ଚାର ପରିସରଭୁକ୍ତ ହୋଇଯାଇଛି । ଏଭଳି ଘଟଣା ଆଜି ଦେଖିବାକୁ ମିଳିଥିଲା ବରଗଡ ଜିଲ୍ଲାରେ ।
ସୂଚନା ମୁତାବକ, ଚାଷୀ ପଞ୍ଜୀକରଣରେ ବଂଶବଳି ନିୟମକୁ ବିରୋଧ କରିଆସୁଥିବା ଜିଲ୍ଲାର ଚାଷୀମାନେ ପ୍ରଶାସନିକ ଓ ସରକାରୀ ଅଣଦେଖା, ଉପେକ୍ଷାକୁ ବିରୋଧ କରି ଆଜି ରାସ୍ତାରୋକ ପାଇଁ ପ୍ରସ୍ତୁତି ଚଳାଇଥିଲେ । ସେଥିପାଇଁ ଜିଲ୍ଲାର ବିଭିନ୍ନ ବ୍ଲକ୍ ପଞ୍ଚାୟତରୁ ପ୍ରତିନିଧିମାନେ ଠୁଳ ହେଉଥିବା ବେଳେ ପୁଲିସ ଆସି ସମସ୍ତଙ୍କୁ ଗିରଫ କରି ନେଇଥିଲା । ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚାଷୀଙ୍କର କ'ଣ ଗଣତାନ୍ତ୍ରିକ ଅଧିକାର ନାହିଁ କି ? ବୋଲି ପ୍ରଶ୍ନ କରି ଚାଷୀନେତା ରମେଶ ମହାପାତ୍ର ନୂଆ ନିୟମ ପ୍ରତ୍ୟାହାର ନକଲେ ଆଗକୁ ଆହୁରି ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।