ରାୟପୁର,୨୧।୧: ଛତିଶଗଡ଼ ଗରିଆବନ୍ଧରେ ସୁରକ୍ଷାବାହୀକୁ ବଡ଼ ସଫଳତା। କମ୍ବିଂ ଅପରେସନ୍ ବେଳେ ଯବାନଙ୍କ ଗୁଳିରେ ୧୬ ମାଓବାଦୀ ନିହତ। ମୃତକଙ୍କ ମଧ୍ୟରେ ରହିଛି ଦୁର୍ଦାନ୍ତ ମାଓବାଦୀ ଜୟରାମ ଓରଫ୍ ଚଲପତି। ଯାହା ଉପରେ ରହିଥିଲା ୧ କୋଟି ଟଙ୍କାର ପୁରସ୍କାର। ଆଗକୁ ଆହୁରି ବଢିପାରେ ମୃତ୍ୟୁ ସଂଖ୍ୟା ।
ଲାଲଗଡ଼ରେ ସୁରକ୍ଷା ବାହିନୀର ବଡ଼ ଧରଣର କମ୍ବିଂ ଅପରେସନ୍। ଟଳିଲେ ଗୋଟିଏ ପରେ ଗୋଟିଏ ହୋଇ ୧୬ ମାଓବାଦୀ। କେବଳ ସେତିକି ନୁହେଁ ଆକ୍ରମଣରେ ନିହତ ହୋଇଛି ମାଓବାଦୀଙ୍କ ଟପ୍ କମାଣ୍ଡର ଜୟରାମ ଓରଫ୍ ଚଲପତି । ମୁଣ୍ଡ ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର। ସେ ନକ୍ସଲଙ୍କ ସେଣ୍ଟ୍ରାଲ କମିଟିର ସଦସ୍ୟ ଥିଲା। ତାକୁ ଦେଶର ସବୁଠାରୁ ଦୁର୍ଦାନ୍ତ ନକ୍ସଲ କମାଣ୍ଡର ଭାବରେ ଗଣାଯାଏ। ଚଲପତି ବହୁବାର ସୁରକ୍ଷାବାହିନୀ ଉପରେ କରିଛି ବଡ଼ ବଡ଼ ହମଲା। ସେ ଓଡିଶା କ୍ୟାଡରର ନକ୍ସଲ ଥିଲା। ଏନକାଉଣ୍ଟରରେ ଚଲପତି ନିହତ ହେବା ନକ୍ସଲ ଅପରେସନ୍ ଇତିହାସରେ ପ୍ରଥମ ଘଟଣା। କମ୍ବି ଅପରେସନ୍ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ, ଓ IED ଜବତ କରାଯାଇଛି। ଗରିଆବନ୍ଧ ଏସ୍ସି ନିଖିଲ ରାଖେଚା କହିଛନ୍ତି, ଏପର୍ଯ୍ୟନ୍ତ ୧୬ ମାଓବାଦୀଙ୍କ ମୃତଦେହ ମିଳିଛି। ତାଙ୍କ ଭିତରେ ଏକ କୋଟି ଟଙ୍କାର ପୁରସ୍କାର ଥିବା ଚଲପତି ରହିଛି।
ଏହି ଘଟଣା ନେଇ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ୍ କରିଛନ୍ତି। ସେ କହିଛନ୍ତି ଏହା ନକ୍ସଲଙ୍କ ବିରୋଧରେ ବଡ଼ ଆକ୍ସନ। ଆମର ସୁରକ୍ଷାବାହିନୀ ନକ୍ସଲ ମୁକ୍ତ ଭାରତ ନିର୍ମାଣ ଦିଗରେ ହାସଲ କରିଛନ୍ତି ସଫଳତା ।ସିଆରପିଏଫ୍, ଏସ୍ଓଜି ଓଡିଶା ଓ ଛତିଶଗଡ ପୋଲିସର ଜଏଣ୍ଟ ଅପରେସନ୍ ନିପାତ ହୋଇଛନ୍ତି ନକ୍ସଲ। ଆଇଜି ଅମରେଶ ମିଶ୍ରା କହିଛନ୍ତି, ଗରିଆବନ୍ଧ ଅପରେସନ୍ ଓଡିଶାର ନୂଆପଡା ଜିଲ୍ଲାର ସୀମାକୁ ଲାଗିଥିବା କୁଲାରୀଘାଟ ସଂରକ୍ଷିତ ଜଙ୍ଗଲରେ ଘଟିଛି। ବହୁ ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ପରେ ଆରମ୍ଭ ହୋଇଥିଲା ତଲାସୀ ଅଭିଯାନ। ୧୯ ତାରିଖ ରାତିରୁ ଅପରେସନ୍ ଆରମ୍ଭ ହୋଇଥିଲା। ଏଥିରେ ୧ ହଜାରୁ ଅଧିକ ଯବାନ ୬୦ ରୁ ଅଧିକ ନକ୍ସଲଙ୍କୁ ଘେରାଉ କରିଥିଲେ। ଏନକାଉଣ୍ଟ ପରେ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଓ ଏକ ସେଲଫ୍ ଲୋଡିଂ ରାଇଫଲ୍ ମିଳିଛି।