ନୂଆଦିଲ୍ଲୀ,୨୧/୦୧: ଭାରତ ଏବଂ ଇଂଲଣ୍ଡ ୨୦୨୫ ରେ ସେମାନଙ୍କର ପ୍ରଥମ ସିରିଜ୍ ଖେଳିବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଜାନୁଆରୀ ୨୨ ରୁ ଆରମ୍ଭ ହେବ। ପ୍ରଥମ ମୁକାବିଲା କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଅନୁଷ୍ଠିତ ହେବ। ଏହି ଗ୍ରାଉଣ୍ଡରେ ଶେଷ ଟି-୨୦ ମ୍ୟାଚ୍ ୨୦୨୨ ରେ ଖେଳାଯାଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୧୭ ରନରେ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା। ସେହିପରି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଶେଷ ଟି୨୦ ବିଶ୍ବକପ୍ ମ୍ୟାଚ୍ ୨୦୨୪ରେ ଖେଳାଯାଇଥିଲା, ଯେଉଁଠାରେ ଟିମ୍ ଇଣ୍ଡିଆ ୬୮ ରନରେ ଜିତିଥିଲା।
ଟି-୨୦ କ୍ରିକେଟ ଇତିହାସରେ ଏପର୍ଯ୍ୟନ୍ତ ଭାରତ ଏବଂ ଇଂଲଣ୍ଡ ୨୪ ଥର ପରସ୍ପରକୁ ସାମ୍ନା କରିଛନ୍ତି। ଟିମ୍ ଇଣ୍ଡିଆ ୧୩ ଥର ଏବଂ ଇଂଲଣ୍ଡ ୧୧ ଥର ବିଜୟୀ ହୋଇଛି। ତଥାପି ଭାରତୀୟ ଦଳକୁ ମଧ୍ୟ ମନେ ରଖିବାକୁ ହେବ ଯେ, ଇଡେନ ଗାର୍ଡେନରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ଗୁଡ଼ିକରେ ସେମାନେ ଏପର୍ଯ୍ୟନ୍ତ ଇଂଲଣ୍ଡକୁ ପରାସ୍ତ କରିପାରି ନାହାଁନ୍ତି। ଏପର୍ଯ୍ୟନ୍ତ, ଇଡେନ୍ ଗାର୍ଡେନ୍ସରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍ ଇଂଲଣ୍ଡ ଦଳ ଜିତିଛି। ସିରିଜ ବିଷୟରେ କହିବାକୁ ଗଲେ, ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ମୋଟ ୮ ଟି ଟି୨୦ ସିରିଜ ଖେଳାଯାଇଛି। ଏଥିମଧ୍ୟରୁ ଭାରତ ଚାରି ଥର ଏବଂ ଇଂଲଣ୍ଡ ତିନି ଥର ଜିତିଛି। ଗୋଟିଏ ସିରିଜ୍ ଡ୍ର ରହିଥିଲା। ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଗତ ୭ ଟି-୨୦ ମ୍ୟାଚ୍ରେ ଭାରତ ୫ ଥର ବିଜୟୀ ହୋଇଛି। ପରିସଂଖ୍ୟାନ ଦର୍ଶାଉଛି ଯେ ଟିମ୍ ଇଣ୍ଡିଆ ଏଥର ମଧ୍ୟ କୋଲକାତାରେ ବିଜୟୀ ହୋଇପାରେ।
କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଏପର୍ଯ୍ୟନ୍ତ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୫ ଥର ବିଜୟୀ ହୋଇଥିବା ବେଳେ ଦ୍ବିତୀୟ ଇନିଂସରେ ଖେଳିଥିବା ଦଳ ୭ ଥର ବିଜୟୀ ହୋଇଛି। ଏପର୍ଯ୍ୟନ୍ତ, ଏହି ଗ୍ରାଉଣ୍ଡରେ କେବଳ ଥରେ ୨୦୦ ରନର ସ୍କୋର ଅତିକ୍ରମ ହୋଇଛି, ଏହି ରନ୍ ୨୦୧୬ ରେ ବାଂଲାଦେଶ ବିପକ୍ଷରେ ପାକିସ୍ତାନ କରିଥିଲା। ପାକିସ୍ତାନର ସେହି ୨୦୧ ରନ୍ ର ରେକର୍ଡ ଏପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାଁନ୍ତି। ଇଡେନ୍ ଗାର୍ଡେନ୍ସରେ ଭାରତର ସର୍ବାଧିକ ସ୍କୋର ୧୮୬ ରହିଛି, ଏହା ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଥିଲା।