ନୂଆଦିଲ୍ଲୀ: ବ୍ରାଜିଲର ପାରାନାରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ରହସ୍ୟମୟ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ସେ ଏକ ବସ୍ରେ ଯାତ୍ରା କରୁଥିଲେ । ଏହି ସମୟରେ ତାଙ୍କର ହୃଦଘାତ ହୋଇଥିଲା ବୋଲି କୁହାଯାଉଛି । ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ସମୟରେ ତାଙ୍କ ଶରୀରରେ ୨୬ଟି ଆଇଫୋନ୍ ଲାଗି ରହିଥିଲା । ଏଭଳି ଘଟଣା ଜୁଲାଇ ୨୯ରେ ଘଟିଥିଲା । ତେବେ ଯୁବତୀଜଣଙ୍କ ଏତେ ସଂଖ୍ୟକ ଆଇଫୋନ୍ ଚୋରି କରି ନେଉଥିଲେ ବୋଲି ପୁଲିସ କହିଛି । କିନ୍ତୁ ତାଙ୍କର ମୃତ୍ୟୁ ଆଇଫୋନ୍ର ବିକିରଣ ଯୋଗୁଁ ହୋଇଛି କି ନାହିଁ ତାହା ଜଣାପଡ଼ି ନାହିଁ ।
ପୁଲିସ ତଦନ୍ତରୁ ଜଣାପଡିଛି ଯେ, ମୃତ ମହିଳା ଇଗୁଆସୁରୁ ସାଓ ପାଉଲୋ ଯାତ୍ରା କରୁଥିଲେ । ଯାତ୍ରା ସମୟରେ ତାଙ୍କର ହୃଦଘାତ ହୋଇଥିଲା ଏବଂ ତାଙ୍କର ମୃତ୍ୟୁ ହୋଇଥିଲା । ଗୁଆରାପୁଆଭା ସହର ନିକଟରେ ଏକ ରାସ୍ତା ପାର୍ଶ୍ୱ ରେଷ୍ଟୁରାଣ୍ଟରେ ବସ୍ ଅଟକିବା ମାତ୍ରେ ହଠାତ୍ ତାଙ୍କର ଶ୍ବାସକ୍ରିୟା କରିବାରେ ଅସୁବିଧା ହୋଇଥିଲା । ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ଡାକ୍ତର ଯେତେବେଳେ ମହିଳାଙ୍କ ଯାଞ୍ଚ କଲେ, ତାଙ୍କ ମୁଣ୍ଡରୁ ପାଦ ଯାଏଁ ୨୬ଟି ପ୍ୟାକେଟ ଲାଗିଥିବା ଦେଖିବାକୁ ମିଳିଥିଲା। ଏହି ସବୁ ପ୍ୟାକେଟ୍ ଖୋଲିବା ପରେ ଜଣାପଡିଥିଲା ଯେ, ଏଗୁଡ଼ିକ ଆଇଫୋନ ଥିଲା ।
ଯୁବତୀଙ୍କ ବ୍ୟାଗରୁ ମଦ ବୋତଲ ମଧ୍ୟ ମିଳିଥିଲା। ପୁଲିସ ଆଇଫୋନଗୁଡ଼ିକୁ ଜବତ କରି ବ୍ରାଜିଲର ଫେଡେରାଲ ରାଜସ୍ୱ ସେବାକୁ ହସ୍ତାନ୍ତର କରିଛି । ପାରାନା ପୁଲିସ ଏହି ଘଟଣାର ତଦନ୍ତ କରୁଛି । ସେମାନେ ବର୍ତ୍ତମାନ ମୃତ ଯୁବତୀଙ୍କ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା ରହିଛି । ଯାହା ଦ୍ଵାରା ଘଟଣା ପଛର ସଠିକ୍ କାରଣ ଜଣାପଡିପାରିବ । ଲୋକମାନେ ସନ୍ଦେହ କରୁଛନ୍ତି ଯେ, ମୃତ୍ୟୁର କାରଣ ଆଇଫୋନ୍ ହୋଇପାରେ । ଶରୀରରେ ଦୀର୍ଘ ସମୟ ଧରି ୨୬ଟି ଆଇଫୋନ୍ ଲାଗି ରହିବା ପରେ ଏଭଳି ହୋଇଥାଇପାରେ ।
ଫରେନସିକ୍ ରିପୋର୍ଟ ଆସିବା ପରେ ହିଁ ଯୁବତୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ । ସେପଟେ ବ୍ରାଜିଲରେ ମୋବାଇଲ୍ ଚୋରାଚାଲାଣ ଘଟଣା ସରକାର ଚିନ୍ତା ବଢ଼ାଇ ଦେଇଛି । ବ୍ରାଜିଲରେ ପ୍ରତିଦିନ ପ୍ରାୟ ୧୦,୦୦୦ ମୋବାଇଲ୍ ଫୋନ୍ ଚୋରାଚାଲାଣ ହେଉଛି । ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ମେ ପର୍ଯ୍ୟନ୍ତ ଆଇଫୋନ୍ ଚୋରାଚାଲାଣରେ ପ୍ରାୟ ୨୫% ବୃଦ୍ଧି ଘଟିଛି ।