କଟକ,୨୧/୦୭: ଅନୁଗୁଳରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ମାମଲାରେ ଫାଶୀ ଦଣ୍ଡ ପାଇଥିବା ୨ ଅଭିଯୁକ୍ତଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଅଭିଯୁକ୍ତ ହେଲେ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀ । ଆବଶ୍ୟକ ପ୍ରମାଣ ଅଭାବରୁ ଅଦାଲତ ଏହି ଆଦେଶ ଦେଇଛନ୍ତି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ଏବଂ ଜଷ୍ଟିସ୍ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି ।
କହିରଖୁ କି, ୨୦୧୭ ମସିହାରେ ଅନୁଗୁଳର ଆଠମଲ୍ଲିକ ଅଞ୍ଚଳରେ ବିଭତ୍ସ ହତ୍ୟାକାଣ୍ଡ ଘଟିଥିଲା । ଦେଢ଼ଲକ୍ଷ ଟଙ୍କା ପାଇଁ ଏକ ପରିବାରର ବାପା, ମାଆ ଏବଂ ତାଙ୍କର ଏକ ପୁଅକୁ ଅଭିଯୁକ୍ତ ପ୍ରକାଶ ବେହେରା ଏବଂ ନନ୍ଦ କିଶୋର ସେଠୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଆଠମଲ୍ଲିକ ଅତିରିକ୍ତ ସେସନ୍ସ ଜଜ୍ ୨୦୨୪ ସେପ୍ଟେମ୍ବର ୨୭ ତାରିଖରେ ଏହି ମାମଲାରେ ରାୟ ପ୍ରକାଶ କରି ସେହିଦିନ ଦଣ୍ଡାଦେଶ ଘୋଷଣା କରିଥିଲେ । ଉଭୟ ଆସାମୀଙ୍କୁ ଫାଶୀ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଅଭିଯୁକ୍ତ ଦ୍ୱୟ ହାଇକୋର୍ଟକୁ ଆସିଥିଲେ । ଆସାମୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟ ରଞ୍ଜନ ମୂଳିଆ ମାମଲା ପରିଚାଳନା କରୁଛନ୍ତି ।