ଭୁବନେଶ୍ୱର,୨୮/୦୭: ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ଷୀର ଦର ନିୟନ୍ତ୍ରଣରେ ନାହିଁ । ବିଭିନ୍ନ ସଂସ୍ଥା, ଗୋପାଳକ ମନଇଚ୍ଛା ଦରରେ କ୍ଷୀର ବିକ୍ରି କରୁଛନ୍ତି । ଦୁଗ୍ଧଚାଷୀ ସମବାୟ ସମିତି ଜରିଆରେ ବିଭିନ୍ନ ଅଞ୍ଚଳରୁ କ୍ଷୀର ସଂଗ୍ରହ କରି ଓମ୍ଫେଡ ରାଜ୍ୟର ଖାଉଟିଙ୍କୁ ବିକ୍ରି କରୁଥିଲା । ଓମ୍ଫେଡ୍ ଦରକୁ ଏକ ଷ୍ଟାଣ୍ଡାର୍ଡ ଦର ଭାବେ ବିଚାରକୁ ନେଇ ଘରୋଇ ଗୋପାଳକମାନେ ସେମାନଙ୍କ ଦୁଗ୍ଧର ମାନ ନେଇ ଭିନ୍ନ ଭିନ୍ନ ଦର ଧାର୍ଯ୍ୟ କରୁଥିଲେ । କ୍ଷୀର ହେଉଛି ପୁଷ୍ଟିକର ଓ ଅତ୍ୟାବଶ୍ୟକ ଶିଶୁ ଖାଦ୍ୟ । ତାଛଡ଼ା ପୂଜା ଆଦି ଧର୍ମକାର୍ଯ୍ୟ ପାଇଁ ବିଶୁଦ୍ଧ କ୍ଷୀର ଦରକାର । ହେଲେ କିଏ ଲିଟର ପିଛା ୫୦ ଟଙ୍କା, ଆଉ କିଏ ୫୬ଟଙ୍କାରେ କ୍ଷୀର ବିକୁଛି । ଗୋପାଳକଙ୍କ ବି ଦାବି, ଖାଣ୍ଟି କ୍ଷୀର ନେଲେ ୫୨, ପାଣି ମିଶା ଦେଲେ ୪୦ ଟଙ୍କା ।
୨୦୧୨-୧୯ ମଧ୍ୟରେ ରାଜ୍ୟରେ ପଶୁ ସମ୍ପଦ ସଂଖ୍ୟା ୧୨.୪ ପ୍ରତିଶତ ହ୍ରାସ ପାଇଛି । ୨୦୧୯ ସୁଦ୍ଧା ରାଜ୍ୟରେ ଶଙ୍କରଜାତୀୟ ଗାଈଗୋରୁଙ୍କ ସଂଖ୍ୟା ୧୬.୦ ପ୍ରତିଶତ ଥିଲା । ସେହିପରି ଦୁଗ୍ଧ ଉତ୍ପାଦନ ସର୍ବଭାରତୀୟ ସ୍ତରରେ ଉତ୍ପାଦନର ମାତ୍ର ୧.୧ ପ୍ରତିଶତ । କମ୍ ଉତ୍ପାଦନ ଓ ସଙ୍କରଜାତୀୟ ଗୋରୁ କମ୍ ଥିବା ଏହାର କାରଣ । ୨୦୨୨-୨୩ ସୁଦ୍ଧା ରାଜ୍ୟରେ କ୍ଷୀର ଉତ୍ପାଦନ ୨୪.୮ଲକ୍ଷ ମେଟ୍ରିକ ଟନ୍ ଥିବା ଅର୍ଥନୈତିକ ସର୍ଭେ ରିପୋର୍ଟ ଦଶାଇଛି । ଦୁଗ୍ଧର ଅଭାବୀ ବିକ୍ରିକୁ ବନ୍ଦ କରିବା, ଖାଉଟିଙ୍କୁ ଉନ୍ନତମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଯୋଗାଇଦେବାକୁ ୧୯୮୦ ଦଶକରେ ଓମଫେଡ୍ ଆରମ୍ଭ ହେଲା । ଦୁଗ୍ଧ ଉତ୍ପାଦନ ଉପରେ ନିର୍ଭର କରି ଚଳୁଥିବା ଗ୍ରାମାଞ୍ଚଳର ଗରିବ ନିମ୍ନ ମଧ୍ୟବିତ୍ତ ପରିବାରର ଅର୍ଥନୀତିକୁ ସୁଦୃଢ଼ କରିବା ଓମଫେଡ୍ର ମୁଖ୍ୟ ଲକ୍ଷ୍ୟ ଥିଲା ।
ରାଜ୍ୟର ବିଭିନ୍ନ ବ୍ଲକରେ ଦୁଗ୍ଧ ସମବାୟ ସମିତି ଗଠନ କରାଯାଇ କ୍ଷୀର ସଂଗ୍ରହ କରାଯିବା ସହ ଏହାକୁ ସହରାଞ୍ଚଳରେ ବିକ୍ରି କରିବାକୁ ଓମଫେଡ୍ ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଥିଲା । ଯେଉଁ ଚାଷୀମାନେ ଓମଫେଡ୍ ଜରିଆରେ ଦୁଗ୍ଧ ବିକ୍ରି କରୁଥିଲେ ସେମାନଙ୍କୁ ଋଣ ଓ ଶସ୍ତା ମୂଲ୍ୟରେ ଗୋ-ଖାଦ୍ୟ ଏବଂ ଚିକିତ୍ସା ସେବାର ବ୍ୟବସ୍ଥା ସରକାର କରିଥିଲେ । ରାଜ୍ୟର ମୋଟ ୧୧ ଲକ୍ଷ ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଥିଲେ । ଫଳରେ ଦିନକୁ ହାରାହାରି ୬ଲକ୍ଷ ୩୦ହଜାର ଲିଟର ଦୁଗ୍ଧ ସଂଗ୍ରହ କରାଯାଉଥିଲା । ପରବର୍ତ୍ତୀ ସମୟରେ ଓଡ଼ିଶାର ଦୁଗ୍ଧ ବଜାରରେ କିଛି କମ୍ପାନି ଓ ସଂସ୍ଥା ପ୍ରବେଶ କଲେ । ଏମାନେ ନିଜ ଉଦ୍ୟମେରେ ଗ୍ରାମାଞ୍ଚଳର ଦୁଗ୍ଧ ଚାଷୀଙ୍କଠାରୁ କ୍ଷୀର ସ୍ରଂଗ୍ରହ କଲେ । ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ କରି ବଜାରକୁ ପ୍ୟାକେଟ କ୍ଷୀର ଛାଡ଼ିଲେ । ଏମାନେ ପ୍ରଥମେ ଓମ୍ଫେଡ୍ ଦାମ୍ରେ କ୍ଷୀର ବିକ୍ରି କରୁଥିଲେ । କିନ୍ତୁ ପରବର୍ତ୍ତୀ ଅବସ୍ଥାରେ କିଛି ସଂସ୍ଥା ଓମ୍ଫେଡ୍ଠାରୁ ଅଧିକ ଦର ନେଲେ ।
ଓମଫେଡ୍ର ଜଣେ ଅଧିକାରୀ କ୍ଷୀର ଦର ନିୟନ୍ତ୍ରଣରେ ନଥିବା ସ୍ୱୀକାର କରି କହିଛନ୍ତି, ଓମଫେଡ୍ ସହ ପ୍ରତିଯୋଗିତା କରିବା ପାଇଁ ଆହୁରି ଅନେକ ଘରୋଇ ସଂସ୍ଥା ବାହାରିଲେଣି । ଯିଏ ଯେଉଁଠି ପାଇଲା ମନଇଚ୍ଛା ୟୁନିଟ ବସାଇ ଚାଷୀଙ୍କ ଠାରୁ କ୍ଷୀର କିଣିଲେ । ଯାହା ଉପରେ ସରକାରଙ୍କ କୌଣସି ପ୍ରତିବନ୍ଧକ ନାହିଁ । ଆମେ ଚାଷୀଙ୍କୁ ଲିଟର ପିଛା ୩୫.୧୭ ପଇସା ଦେଉଛୁ । ହେଲେ କେତେକ ସଂସ୍ଥା ଏହି ଦରଠୁ ୫/୬ଟଙ୍କା ଅଧିକ ଦେଉଛନ୍ତି । ସେହିପରି ସୋସାଇଟି, ୟୁନିଅନ, ପରିବହନ, ପ୍ରୋସେସିଂ ଆଦିର ଖର୍ଚ୍ଚ ମିଶାଇଲେ ଓମଫେଡ୍ ୪୦ଟଙ୍କା ଖର୍ଚ୍ଚ କରୁଛି । ବର୍ତ୍ତମାନ ଆମର ଦୈନିକ କ୍ଷୀର ଉତ୍ପାଦନ ସାଢେ ୬ଲକ୍ଷ ଲିଟର । ଆମର ଟୋନଡ ମିଲ୍କ ଲିଟର ପିଛା ଦର ୪୬ ଟଙ୍କା ଓ ପ୍ରିମିୟମର ଦର ୫୨ । ହେଲେ ଘରୋଇ କମ୍ପାନି କ୍ଷୀର ଲିଟର ୬ ଟଙ୍କା ଅଧିକରେ ବିକୁଛନ୍ତି ବୋଲି ସେ କହିଛନ୍ତି । କେବଳ କମ୍ପାନି କାହିଁକି, ଭୁବନେଶ୍ୱରର ପ୍ରାୟ ସବୁ ଛକ ଓ ମନ୍ଦିର ପାଖରେ ଏବେ ଶୀତଳୀକରଣ ବ୍ୟବସ୍ଥା ଥାଇ ପ୍ରତିଦିନ ସକାଳେ କ୍ଷୀର ଗାଡ଼ି ସବୁ ଠିଆ ହେଉଛି ।
ଏହି କ୍ଷୀର ଲିଟର ସେମାନେ ୫୫ ଟଙ୍କାରେ ବିକ୍ରି କରୁଛନ୍ତି । ଶୁଦ୍ଧ ଓ ସତେଜ ଗାଈ କ୍ଷୀର ଭାବି ଗ୍ରାହକ ମଧ୍ୟ ୫୫ ଟଙ୍କା ଦେଇ କିଣି ନେଉଛନ୍ତି । ଜଗତସିଂହପୁର, ପୁରୀ ଜିଲ୍ଲାର ଗ୍ରାମାଞ୍ଚଳରେ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ସ୍ଥାପନ କରି କିଛି ବ୍ୟବସାୟୀ ଚାଷୀଙ୍କଠାରୁ କ୍ଷୀର ସଂଗ୍ରହ କରୁଛନ୍ତି ଏବଂ ପରଦିନ ସକାଳେ ଖାଉଟିଙ୍କୁ ଯୋଗାଉଛନ୍ତି । ଓମ୍ଫେଡ୍ ବ୍ୟତୀତ ପ୍ୟାକେଟ କ୍ଷୀର ବିକ୍ରି କରୁଥିବା ଅନ୍ୟ କେତେକ କମ୍ପାନିର ମଧ୍ୟ ପୁରୀ ଜିଲ୍ଲାର ଗ୍ରାମାଞ୍ଚଳରେ ପ୍ଲାଣ୍ଟ ରହିଛି । କିନ୍ତୁ ସରକାରୀ ଭାବେ କ୍ଷୀର ମୂଲ୍ୟ ନିର୍ଦ୍ଧାରଣ ହୋଇ ନଥିବାରୁ ସମସ୍ତେ ନିଜ ନିଜ ଦର ଧାର୍ଯ୍ୟ କରିଛନ୍ତି ।
ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ସଭାପତି ରବି ବେହେରା କହିଛନ୍ତି, ଚାଷୀଙ୍କ ଦୁଃଖ କେହି ବୁଝୁନାହାନ୍ତି । ଚାଷୀଙ୍କ ଦୁଗ୍ଧର ସର୍ବନିମ୍ନ ସହାୟକ ମୂଲ୍ୟ ଲିଟର ପିଛା ଧାର୍ଯ୍ୟ କରିବାକୁ ସେମାନେ ଦାବି ଜଣାଇଛନ୍ତି । ସରକାର ଦର ସ୍ଥିର କଲେ, ସବୁ କମ୍ପାନି ମାନିବାକୁ ବାଧ୍ୟ ହେବେ । ଭରତପୁରର ଜଣେ ଗୋପାଳକଙ୍କ କହିବା କଥା, ବର୍ତ୍ତମାନ ଗୋଖାଦ୍ୟ ଦର ବଢୁଥିବା ବେଳେ ଗୋରୁଙ୍କ ସ୍ୱାସ୍ଥ୍ୟ, ଦୈନିକ ଖାଦ୍ୟ,ରକ୍ଷଣାବେକ୍ଷଣରେ ଅଧିକ ଖର୍ଚ୍ଚ ହେଉଛି । ତେଣୁ କ୍ଷୀର ଦର ବଢ଼ାଇବାକୁ ପଡ଼ୁଛି ।