୧୩।୧୦: ଭାରତରେ କାହିଁ କେଉଁ କାଳରୁ ରହିଛି ମନ୍ଦିରର ଇତିହାସ । ଏଭଳି ଅନେକ ପ୍ରାଚୀନ ମନ୍ଦିର ରହିଛି, ଯାହାର ରହସ୍ୟ ସାଧାରଣ ଲୋକଙ୍କୁ ତ ଆଶ୍ଚର୍ଯ୍ୟ କରେ, ବୈଜ୍ଞାନିକମାନେ ବି ହୋଇଥାନ୍ତି ଅବାକ୍ । ଠିକ୍ ସେହିଭଳି ଏକ ରହସ୍ୟମୟୀ ମନ୍ଦିର ରହିଛି କେରଳରେ । ଯାହା କେତୁ ଦେବତାଙ୍କୁ ସମର୍ପିତ । ତେଣୁ ଏହି ମନ୍ଦିର କେତୁ ସ୍ଥଳ ଭାବେ ମଧ୍ୟ ଜଣାଶୁଣା । ଏହି ମନ୍ଦିରର ବିଶେଷତା ହେଉଛି, ଏଠାରେ ଭକ୍ତ ଭଗବାନଙ୍କ ଉପରେ ଯେଉଁ କ୍ଷୀର ଚଢ଼ାନ୍ତି ତାହା ରଙ୍ଗ ପରିବର୍ତ୍ତନ କରିଥାଏ । କେରଳର କାବେରୀ ନଦୀ କୂଳରେ ରହିଛି ଏହି ମନ୍ଦିର । ଭଗବାନ ଶିବ ଏହି ମନ୍ଦିରର ଆରାଧ୍ୟ ଦେବତା । ମହାଦେବଙ୍କ ବ୍ୟତୀତ ଏଠାରେ ରାହୁ ଓ କେତୁ ଭଗବାନଙ୍କ ପ୍ରତିମା ମଧ୍ୟ ସ୍ଥାପନା କରାଯାଇଛି । କେରଳର କିଜାପେରୁମପଲ୍ଲମ ଗାଁରେ ରହିଛି ନାଗନାଥସ୍ୱାମୀ ମନ୍ଦିର । କାବେରୀ ନଦୀ କୂଳରେ ନିର୍ମିତ ମନ୍ଦିରରେ କେତୁ ଗ୍ରହ ପୂଜା ପାଉଛନ୍ତି ଶିବ । ମହାଦେବାଙ୍କୁ ଏଠାରେ ନାଗନାଥ କୁହାଯାଏ ।
ଲୋକମାନେ ବହୁ ଦୂରଦୂରାନ୍ତରୁ ଆସି ଏହି ମନ୍ଦିରରେ ରାହୁ-କେତୁ ଉପରେ କ୍ଷୀର ଅର୍ପଣ କରନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ, ଯେଉଁମାନେ କେତୁ ଗ୍ରହର ତ୍ରୁଟିରେ ପୀଡ଼ିତ ସେମାନଙ୍କ କ୍ଷୀରର ରଙ୍ଗ ବଦଳିଯାଏ ବୋଲି କୁହାଯାଏ । କ୍ଷୀରର ରଙ୍ଗ ଧଳାରୁ ନୀଳ ପଡ଼ିଯାଏ । ତେବେ ଏଠାରେ କ୍ଷୀର ଢାଳିଲେ ରାହୁ ଓ କେତୁ ଶାନ୍ତି ହୋଇଥାନ୍ତି ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । କିଭଳି କ୍ଷୀରର ରଙ୍ଗ ନୀଳ ହୁଏ ତାହା ଆଜି ବି ରହସ୍ୟ ଘେରରେ । ବହୁ ପ୍ରାଚୀନ ପୁରାତନ ଏହି ମନ୍ଦିର । ମନ୍ଦିରର ନିର୍ମାଣ ଶୈଳୀ ମଧ୍ୟ ବେଶ୍ ଆକର୍ଷଣୀୟ । ପୌରାଣିକ କଥା ଅନୁଯାୟୀ, ରାହୁ ଅନେକ ବଳଶାଳୀ ରାକ୍ଷସ । ରାହୁକୁ କୁଟନୀତି, ରାଜନୀତି, ଭ୍ରମ, ସତ୍ତା ପଦର ଗ୍ରହ ମଧ୍ୟ କୁହାଯାଏ । ସେହିଭଳି କେତୁଙ୍କୁ ମେକ୍ଷକାରକ ଓ ରହସ୍ୟମୟୀ ଗୁପ୍ତ ବିଦ୍ୟା ପ୍ରଦାୟ ଗ୍ରହ କୁହାଯାଏ । କୁଣ୍ଡଳୀରେ ରାହୁ କେତୁଙ୍କ ପାଇଁ କାଳସର୍ପ ଦୋଷ ମଧ୍ୟ ଲାଗିଥାଏ ।
ପୌରାଣିକ ମାନ୍ୟତା ଅନୁସାରେ, ଋଷିଙ୍କ ଅଭିଶାପରୁ ମୁକ୍ତି ପାଇବା ଲାଗି କେତୁ ଦେବତା ଏହି ମନ୍ଦିରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଲାଗି ଆରାଧନା ଆରମ୍ଭ କରିଥିଲେ । ତାଙ୍କ ଆରାଧନାରେ ପ୍ରସନ୍ନ ହୋଇ ଶିବରାତ୍ରିରେ ଭଗବାନ ଶିବ କେତୁଙ୍କୁ ଦର୍ଶନ ଦେଇଥିଲେ । ଏଥିସହ କେତୁଙ୍କୁ ଅଭିଶାପରୁ ମୁକ୍ତ କରିଥିଲେ । କେତୁଙ୍କୁ ସର୍ପଙ୍କ ଦେବତା ମଧ୍ୟ କୁହାଯାଏ । କାରଣ କେତୁ ଦେବତାଙ୍କ ମୁଣ୍ଡ ମନୁଷ୍ୟର ହୋଇଥିବା ବେଳେ ବାକି ଶରୀର ସର୍ପର ।